ବାଣିଜ୍ୟ

ଦେଶରେ ବୃଦ୍ଧି ହୋଇ ଚାଲିଛି ଖାଇବା ତେଲର ଦର

ମୁଦ୍ରାସ୍ଫୀତି କାବୁ ରାସ୍ତାରେ ସାଜିବ କଣ୍ଟା !

ଦେଶରେ ଲଗାତର ଭାବେ ବୃଦ୍ଧି ହୋଇଚାଲିଛି ଖାଇବା ତେଲର ଦର। ଏସବୁ ମଧ୍ୟରେ ମୁଦ୍ରାସ୍ଫୀତିକୁ କାବୁ କରିବା ପାଇଁ ସରକାରଙ୍କ ପ୍ରୟାସ ବାଧା ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏ ବର୍ଷ ତାଳ ତେଲ ଦର ୧୫% ବଢ଼ିଗଲାଣି । ସେହିଭଳି ସୋୟାବିନ ତେଲ ୧୨% ମହଙ୍ଗା ହୋଇଛି । ଏହି କାରଣରୁ ସମଗ୍ର ବିଶ୍ୱରେ ଖାଦ୍ୟ ପଦାର୍ଥ କ୍ଷେତ୍ରରେ ଦରବୃଦ୍ଧି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ତାଳ ତେଲ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନିରେ ସମଗ୍ର ବିଶ୍ୱରେ ଭାରତ ଆଗରେ ରହିଛି । ଉକ୍ତ କାରଣରୁ ଭାରତ ଉପରେ ଖାଦ୍ୟ ତୈଳ ଦର ବୃଦ୍ଧିର ବ୍ୟାପକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ ଦେଶରେ ଡିସେମ୍ବରରେ ଖାଦ୍ୟ ପଦାର୍ଥ ଦର ଗତ ୬ ମାସ ମଧ୍ୟରେ ସବୁଠାରୁ ଦ୍ରୁତ ବେଗରେ ବଢ଼ିଛି । ଫଳରେ ସାଧାରଣ ଖାଉଟିଙ୍କ ବଜେଟ ବିଗିଡିଯାଇଛି । ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଉଥିବା କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ିଯାଇଛି । ସରକାର ଖାଦ୍ୟ ତେଲ ଦରକୁ କାବୁ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି କିନ୍ତୁ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ । ଏଭଳି କ୍ଷେତ୍ରରେ ସରକାରଙ୍କ ପାଖରେ ଏବେ ସୀମିତ ବିକଳ୍ପ ରହିଛି । ଗୋଦରେଜ ଇଣ୍ଟରନ୍ୟାସ୍‌ନାଲ ଲିମିଟେଡ୍‌ର ନିର୍ଦ୍ଦେଶକ ଦୋରାବ ମିସ୍ତ୍ରି କହିଛନ୍ତି ଯେ, ଯଦି ସରକାର ଆମଦାନି ଶୁଳ୍କରେ ଆହୁରି ହ୍ରାସ କରନ୍ତି ତଥାପି ଏହାଦ୍ୱାରା ଦର କମିବ ନାହିଁ । ଏଥିପାଇଁ ତତ୍କାଳ ସମାଧାନ ଦରକାର । ସରକାର ରିଫାଇନ୍‌ଡ ପାମ୍‌ ଅଏଲ୍‌ର ଆମଦାନି କରି ଏହାକୁ ପିଡିଏସ୍‌ ଜରିଆରେ ବଜାର ମୂଲ୍ୟଠାରୁ କମ୍‌ ଦାମ୍‌ରେ ବିକ୍ରି କରିବା ଉଚିତ । ଖାଦ୍ୟ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ପିଡିଏସ୍‌ ଜରିଆରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବିତରଣ ପାଇଁ ଗହମ ଏବଂ ଚାଉଳ ଦେଇଥାନ୍ତି । ରାଜ୍ୟଗୁଡ଼ିକ ଏଥିରେ ନିଜ ବଜେଟ ଅନୁସାରେ ଆଉ କିଛି ଦ୍ରବ୍ୟ ବି ସାମିଲ କରିପାରିବେ ।

ମୁଖପାତ୍ରଜଣକ ଆହୁରି କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଖାଇବା ତେଲ ଦର ବଢ଼ିବା ଦ୍ୱାରା ଦେଶରେ ଦର ମହଙ୍ଗା ହୋଇଛି କିନ୍ତୁ କେନ୍ଦ୍ର ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ଅନେକ ଉପାୟ କରିଥିଲେ । ଏଥିରେ ଶୁଳ୍କ ହ୍ରାସ ନିଷ୍ପତ୍ତି ରହିଥିଲା । ଏହାସହିତ ଖାଇବା ତେଲ ଆମଦାନି ଉପରୁ ନିର୍ଭରତା କମାଇବା ପାଇଁ ମଧ୍ୟମରୁ ଦୀର୍ଘମିଆଦୀ ଉପାୟ କରାଯାଉଛି । ଦୀର୍ଘମିଆଦୀ ବିକଳ୍ପଗୁଡ଼ିକରେ ତୈଳ ଭଣ୍ଡାର ତିଆରି କରିବା, ଘରୋଇ ଉତ୍ପାଦନକୁ ବଢ଼ାଇବା ଏବଂ ଜିଏମ୍‌ ତୈଳବୀଜ ଫସଲକୁ ପ୍ରୋତ୍ସାହନ ରହିଛି । ବିଶେଷଜ୍ଞଙ୍କ କହିବାନୁସାରେ, ଭାରତରେ ଏକ ଖାଇବା ତେଲ ଭଣ୍ଡାର ପ୍ରସ୍ତୁତ କରାଯିବା ଦରକାର । ଫଳରେ ଦର ବଢ଼ିବା ସମୟରେ ଏହା ଆଶ୍ୱସ୍ତି ପ୍ରଦାନ କରିବ । ଭାରତରେ ଗହମ ଏବଂ ଚାଉଳର ଭଣ୍ଡାର ରହିଛି କିନ୍ତୁ ଖାଇବା ତେଲ କ୍ଷେତ୍ରରେ ଏହା ନାହିଁ । ଭାରତ ଏହାର ଆବଶ୍ୟକତାର ୬୦% ଖାଇବା ତେଲ ଆମଦାନି କରିଥାଏ । ଆମଦାନି ଉପରେ ନିର୍ଭରତା କମାଇବା ପାଇଁ ସରକାର ଘରୋଇ ସ୍ତରରେ ତୈଳବୀଜ ଫସଲ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି ।

Show More

Related Articles

Back to top button