ଦେଶଭକ୍ତିସ୍ୱତନ୍ତ୍ର

ମୁଁ ଅଟେ ସ୍ୱାଧୀନ କେତେ……

ସକାଳୁ ସକାଳୁ ଶୁଣୁଥାଏ ମୁଇଁ
ଘରଣୀଙ୍କ ଗାରୁ ଗାରୁ,
ଇମିତି ସିମିତି ହୋଇଯାଏ ଡେରି
ନିଜ କାମ ସାରୁ ସାରୁ l
ବାୟ ବାୟ ପରେ ବାଜିଯାଏ ଦଶ
ମୋ ବସ ଧରୁ ଧରୁ,
ବାର ରହଣି ରେ ବାଜଇ ଏଗାର
ଦସ୍ତଖତ କରୁ କରୁ l
ବାଙ୍କ ଚାହାଣି ରେ ମୋ ବସ ଚାହେଁ
ମୁହଁ ଜିନ୍ତି ଶଙ୍ଖ ସାରୁ,
ଥୋଡି କୁ ନେଫାଡି ମୁହଁକୁ ଛିଞ୍ଚାଡି
ଦିଏ ଗାଳି ସରୁ ସରୁ l

“ଆଉ ଟିକେ ଶୀଘ୍ର ଆସୁନ………”

ଚିଆରେ ବସିକି ପାକିଟି ରେ ହାତ
ଛାଡି ଦେଲି ଘରେ ଫୋନ,
ଚାହା ପିଉ ପିଉ ବେଗେ ଉଣ୍ଡାଳେ
ଭୁଲିଲି ପୁଣି ଟିଫିନ l
ଅଫିସ ଭିତରେ ଅଫିସିଏ କାମ
ଜୋମାଟୋ ପୁରାଏ ପେଟ,
ଅଫିସର ପେଟ ହୁଏ କୁଣ୍ଢେ ମୋଟ
ପକେଟେ ଗୋଲାପୀ ନୋଟ l
ସବୁ କାମ ଦାମ ସରିଲା ବେଳକୁ
ଘଡି ରେ ବାଜଇ ସାତ,
ପୁଣି ଘଣ୍ଟାଏ ଦଉଡ଼ ଧାପଡ଼
ଘର ଛୁଉଁ ଛୁଉଁ ଆଠ l
ଦ୍ୱାର ବନ୍ଧ ଘଣ୍ଟି ଚିପୁ ଚିପୁ କିନା
ବାଜିଲା ଇଂରାଜୀ ଗାନ,
ଦ୍ୱାର ଖୋଲି ବୋଲେ ଘର ରଣ ଚଣ୍ଡୀ
“କଉଠି ଥଲ ମଁ ଧନ…..” l

ୱାଶ ରୁମ ରେ ୱାଶ ହୋଉ ହୋଉ
ଆଇନା ରେ ଦେଖେ ମତେ,
ଚଉବନ ରେ ଯଉବନ ଟିକେ
ଛିଡି ଛିଡି ଆସେ ସତେ l
ଘରୁ ଅଫିସକୁ ଅଫିସ ରୁ ଘର
ନିତି କଟେ ଏହିମତେ,
ପଚସ୍ତରୀ ବର୍ଷ ସ୍ୱାଧୀନତା ଅନ୍ତେ
ମୁଁ ଅଟେ ସ୍ୱାଧୀନ କେତେ!!!

ଲେଖା :ଦିଲ୍ଲୀପ ଶତପଥୀ

Show More

Related Articles

Back to top button