କୋର୍ଟରେ ହାଜର ହେଲେନି ହନି ସିଂ

କୋର୍ଟରେ ହାଜର ହେଲେନି ବଲିଉଡର ପ୍ରସିଦ୍ଧ ରାପର ୟୋ ୟୋ ହନି ସିଂ । ତାଙ୍କ ବିରୋଧରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଘରୋଇ ହିଂସା ଅଭିଯୋଗ ମାମଲାର ଆଜି କୋର୍ଟରେ ଶୁଣାଣି ଥିଲା । ତେବେ ହନି ସିଂ ଏହି ଶୁଣାଣି ବେଳେ କୋର୍ଟରେ ହାଜର ହୋଇନାହାନ୍ତି।
ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ହନି ସିଂଙ୍କ ବିରୋଧରେ ତାଙ୍କ ପତ୍ନୀ ଶାଲିନୀ ତଲୱାର ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଘରୋଇ ହିଂସାରେ ମହିଳା ସୁରକ୍ଷା ଆଇନ ୨୦୦୫ ଅନୁଯାୟୀ ଦିଲ୍ଲୀ ତିସହଜାରୀ କୋର୍ଟରେ ସେ ମାମଲା ଦାୟର କରିଥିଲେ । ଏହି ମାମଲାର ଆଜି ଶୁଣାଣି ଥିଲା । ତେବେ ଶୁଣାଣି ବେଳେ କିନ୍ତୁ ହନି ସିଂ ହାଜର ହୋଇ ନଥିଲେ । ଏଥିପାଇଁ କୋର୍ଟ ତାଙ୍କୁ କଡା ଭାଷାରେ ଭର୍ତ୍ସନା କରିଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାନିଆ ସିଂ କହିଛନ୍ତି, ‘କେହି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି । ଏହି ମାମଲାକୁ କିପରି ଏତେ ହାଲୁକା ଭାବେ ନିଆଯାଉଛି? ‘
ଅସନ୍ତୋଷ ବ୍ୟକ୍ତ କରି କୋର୍ଟ ହନି ସିଂଙ୍କ ଓକିଲଙ୍କୁ କହିଛନ୍ତି ଯେ ‘ହନି ସିଂ ହାଜର ହୋଇନାହାଁନ୍ତି’ । ଆପଣ ତାଙ୍କର ମାସିକ ଆୟର ଆଫିଡେଭିଟ୍ ମଧ୍ୟ ଦାଖଲ କରିନାହାଁନ୍ତି ଏବଂ ଯୁକ୍ତି ସହିତ ପ୍ରସ୍ତୁତ ନୁହଁନ୍ତି । ଏଥିସହ ବିଚାରପତି ହନି ସିଂଙ୍କୁ କୋର୍ଟରେ ହାଜର ହେବାକୁ ଶେଷ ସୁଯୋଗ ଦେଇଛନ୍ତି । ଏଭଳି ଆଚରଣର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ତାଗିଦ ମଧ୍ୟ କରିଛନ୍ତି ।
ସେପଟେ ହନି ସିଂଙ୍କ ଓକିଲଙ୍କ କହିବା ମୁତାବକ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଏଥିପାଇଁ ସେ ଆଜି କୋର୍ଟକୁ ଆସିପାରି ନାହାନ୍ତି । ତେବେ ପରବର୍ତ୍ତୀ ଶୁଣାଣିରେ ସେ ନିଶ୍ଚିତ ହାଜର ହେବେ ବୋଲି ହନି ସିଂଙ୍କ ଓକିଲ କୋର୍ଟକୁ କଥା ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩ ତାରିଖରେ ହେବ।
ସୂଚନା ମୁତାବକ ଅଗଷ୍ଟ ୩ ତାରିଖରେ ହନି ସିଂଙ୍କ ପତ୍ନୀ ଶାଲିନୀ ତଲୱାର ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଏନେଇ ସେ ତିସ ହଜାରୀ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାନିଆ ସିଂଙ୍କ ସମକ୍ଷରେ ମାମଲା ରଜୁ କରିଥିଲେ। ଏହାପରେ ହନି ସିଂଙ୍କୁ ୨୮ ଅଗଷ୍ଟ ଭିତରେ ନିଜର ଜବାବ ଦାଖଲ କରିବାକୁ ନୋଟିସ ଜାରି କରାଯାଇଥିଲା।