ଦେଶମୁଖ୍ୟ ଖବର

ସହିଦ ପରିବାରକୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ୩ ଦିନିଆ ଜମ୍ମୁକାଶ୍ମୀର ଗସ୍ତ । ଘାଟିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ । ଶ୍ରୀନଗରରେ ପହଞ୍ଚି ପ୍ରଥମେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଇନ୍ସପେକ୍ଟର ପରିବାରକୁ ଭେଟିଛନ୍ତି ଗୃହମନ୍ତ୍ରୀ ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାଜଭବନରେ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଛନ୍ତି ।

ଘାଟିରେ ଆତଙ୍କବାଦୀଙ୍କ ସାଧାରଣ ନାଗରିକଙ୍କୁ ବାରମ୍ବାର ଆକ୍ରମଣ ଏବଂ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ଭାରତୀୟ ଯବାନ ସହିଦ ହେବା ପରେ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ଗୃହମନ୍ତ୍ରୀ । ଆଉ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ଅମିତ ଶାହାଙ୍କ ପ୍ରଥମ ଜାମ୍ମୁ-କାଶ୍ମୀର ଗସ୍ତ । ଏନେଇ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଶ୍ରୀନଗର ପହଞ୍ଚି ସୁରକ୍ଷା ବ୍ୟବସ୍ଥା ନେଇ ଏକ ବୈଠକରେ ଯୋଗ ଦେଇଛନ୍ତି ଅମିତ ଶାହା । ରାଜଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଘାଟିର ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ସେପଟେ ଗୃହମନ୍ତ୍ରୀଙ୍କ ଜମ୍ମୁକାଶ୍ମୀର ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ।

ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଜମ୍ମୁକାଶ୍ମୀର ଗସ୍ତ ଏବଂ ଅନ୍ୟପଟେ ପୁଂଚରେ ଏବେ ବି ଜାରି ରହିଛି ସେନାର ସର୍ଚ୍ଚ ଅପରେସନ । ଚଳିତ ବର୍ଷ ସେନା ଗୁଳିରେ ୧୧୪ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆତଙ୍କବାଦୀ ଆକ୍ରମଣରେ ୩୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।

Show More

Related Articles

Back to top button