ଓଡ଼ିଶାମୁଖ୍ୟ ଖବର

ଲଘୁଚାପ ପ୍ରଭାବରେ ୩୦ ଯାଏଁ ସାରା ରାଜ୍ୟରେ ବର୍ଷା

ଗୋଟିଏ ଲଘୁଚାପ ଗଲା । ଆଉ ଗୋଟିଏ ଲଘୁଚାପ ଆସିଲା । ତଥାପି ଏହା ପ୍ରଭାବରେ ରାଜ୍ୟରେ ଏଯାଏ ବିଶେଷ ବର୍ଷା ହୋଇନାହିଁ ।

ଲଗାଣ ବର୍ଷା କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ଅନ୍ୟପଟେ ରାଜ୍ୟରେ ବର୍ଷା ଅଭାବୀ ସ୍ଥିତି ଜାରି ରହିଛି । ଏବେ ବି ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‌ ରହିଛି ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ବର୍ଷା ହୋଇପାରେ। ମାତ୍ର ବିଶେଷ ବଡ଼ ବର୍ଷା ସମ୍ଭାବନା ଦେଖାଯାଉନାହିଁ। ତେଣୁ ସ୍ଥିତି ସୁଧୁରିବା ସମ୍ଭାବନା କମ୍‌ ରହିଛି ।ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଅଛି । ଏହା ପଶ୍ଚିମରେ ଗତି କରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଅତିକ୍ରମ କରିବ । ଏହା ପ୍ରଭାବରେ ଓଡ଼ିଶାରେ ୩୦ ତାରିଖ ଯାଏ ବର୍ଷା ହେବ । ମୁଖ୍ୟତଃ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । କେତେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

୨୯ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦେବଗଡ଼, ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୩୦ ତାରିଖରେ ଉତ୍ତର ଓଡ଼ିଶାରେ ମୁଖ୍ୟତଃ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ଏବଂ ନୂଆପଡ଼ା, ବଲାଙ୍ଗିର, ସୋନପୁର, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୩୧ରେ ବର୍ଷା ପରିମାଣ କମିବ । ତଥାପି କେତେକ ଜାଗାରେ ବର୍ଷା ହେବ।ଜୁନ୍‌ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨% କମ୍‌ ବର୍ଷା ହୋଇଛି । ୧୫ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଯାଜପୁରରେ ସ୍ୱାଭାବିକଠାରୁ ୪୯% କମ୍‌ ବର୍ଷା ହୋଇଥିବାବେଳେ ଭଦ୍ରକରେ ୪୫% କମ୍‌ ବର୍ଷା ହୋଇଛି । ବଲାଙ୍ଗିରରେ ୪୧% ବର୍ଷା ନିଅଣ୍ଟିଆ ଥିବାବେଳେ ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ୩୫ ପ୍ରତିଶତ ଲେଖାଏଁ ବର୍ଷା କମ୍‌ ରହିଛି ।

Show More

Related Articles

Back to top button