ସ୍ୱାସ୍ଥ୍ୟ

ଏଣିକି ଦୁର୍ଗମ ଅଞ୍ଚଳରେ ପ୍ରସବକୁ ସୁବ୍ୟବସ୍ଥିତ କରାଯିବ

ଏସ୍‌ସିବିରେ ହେବ ମିଡ୍‌ୱାଇଫ୍‌ ନର୍ସିଂ ତାଲିମ୍‌ କେନ୍ଦ୍ର, ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ତାଲିମ

ଏଣିକି ମା’ ଏବଂ ଶିଶୁ ମୃତ୍ୟୁହାର ରୋକିବା ସହିତ ସାଧାରଣ ପ୍ରସବକୁ ସୁବ୍ୟବସ୍ଥିତ କରାଯିବ । କୌଣସି ଜଟିଳତା ନଥାଇ ସାଧାରଣ ପ୍ରସବ ହେଲେ ବି ସିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବଡ଼ ଡାକ୍ତରଖାନାକୁ ପ୍ରସୂତିଙ୍କୁ ପଠାଇ ଦିଆଯାଉଛି ।

କାରଣ ଦୁର୍ଗମ ଅଞ୍ଚଳରେ ଭିତ୍ତିଭୂମି ନାହିଁ । ଥିଲେ ବି ତାହା ମଧ୍ୟ ବ୍ୟବହାର କରାଯାଉନି । ଯାହାଫଳରେ, ବଡ଼ ଡାକ୍ତରଖାନା ଉପରେ ଚାପ ବଢୁଛି । ଏଣୁ, ପ୍ରସବ ବ୍ୟବସ୍ଥାକୁ ବ୍ୟବ‌ସ୍ଥିତ କରିବାପାଇଁ ଆଗକୁ ନର୍ସ ବି ସାଧାରଣ ପ୍ରସବ କରାଇପାରିବେ । ସେମାନଙ୍କ ସହିତ କୌଣସି ଡାକ୍ତର ରହିବେନି । ସେମାନେ ନିଜେ ଏକୁଟିଆ ପ୍ରସବ କରାଇବେ । ଏଥିପାଇଁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ-ରୋଗ ଓ ପ୍ରସୂତି ରୋଗ ବିଭାଗରେ ଆରମ୍ଭ ହେବ ମିଡ୍‌ୱାଇଫ୍‌ ନର୍ସିଂ ଟ୍ରେନିଂ ବ୍ୟବସ୍ଥା ।

ପୂର୍ବଭାରତର ଏହି ତାଲିମ କେନ୍ଦ୍ରରେ ରାଜ୍ୟର ନର୍ସମାନଙ୍କୁ ତାଲିମ ଦିଆଯିବ । ଏଥିପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ କମିସନର, ଏନ୍‌ଏଚ୍‌ଏମ୍‌ ଓ ନର୍ସିଂ ଡାଇରେକ୍ଟରଙ୍କୁ ନେଇ ସିଆରଏମ୍‌ ଟିମ୍‌ ଏସ୍‌ସିବି ଗସ୍ତ କରି ଭିତ୍ତିଭୂମି ପରଖିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରାଯାଇଛି ।

ଏସ୍‌ସିବିରେ ବର୍ଷକୁ ପାଖାପାଖି ୧୩ହଜାର ସନ୍ତାନ ପ୍ରସବ ହେଉଥିବାବେଳେ ସେଥିରୁ ପାଖାପାଖି ୫ହଜାର ହେଉଛି ସାଧାରଣ ପ୍ରସବ । ଯାହା ଫଳରେ ଏସ୍‌ସିବି ଉପରେ ଚା‌ପ ବଢୁଛି ଓ କୌଣସି ଜଟିଳତା ନଥିଲେ ବି ପ୍ରସବ ପାଇଁ ସିଧା ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଉଛି । ଅନ୍ୟପଟେ ଗ୍ରାମାଞ୍ଚଳରେ ବି ସମାନ ସ୍ଥିତି । କୌଣସି ଜଟିଳତା ନ ଥାଇ ସାଧାରଣ ପ୍ରସବ ପାଇଁ କ’ଣ ପାଇଁ ପ୍ରସୂତିଙ୍କୁ ନିଜ ଅଞ୍ଚଳରେ ସୁବିଧା ମିଳିବନି? ଏହାକୁ ଦୃଷ୍ଟିରେ ରଖି ନର୍ସମାନଙ୍କୁ ତାଲିମ ଦେବାପାଇଁ କଟକ ବଡ଼ ଡାକ୍ତରଖାନା ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ମିଡ୍‌ୱାଇଫ୍ ନର୍ସିଂ ଟ୍ରେନିଂ ବ୍ୟବସ୍ଥା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ ହେବ । ଏଥିରେ ନର୍ସମାନଙ୍କୁ ମାନିକୁଇନ୍‌, ସ୍କିଲ୍‌ ଲାବ୍‌ ଓ ବିଭାଗରେ କେମିତି ପ୍ରସବ କରାଯିବ, ସେ ସଂପର୍କରେ ତାଲିମ ଦିଆଯିବ । ଏଥିପାଇଁ ୪ଟି ଲେବର ବେଡ୍‌, ୱାର୍ମର ଓ ଅନ୍ୟ ଭିତ୍ତି ସବୁ ପ୍ରସ୍ତୁତ କରାଯାଇଛି ।

Show More

Related Articles

Back to top button