ଓଡ଼ିଶାସ୍ୱାସ୍ଥ୍ୟ

“ମୁଣ୍ଡ ବିନ୍ଧା ହେଲାଣି, ଅମୃତାଞ୍ଜନ ଆଣ”

ଜାତୀୟ କିମ୍ୱା ରାଜ୍ୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେବା ପାଇଁ ଅନେକ ପରୀକ୍ଷାର୍ଥୀ ରାତିଦିନ ଏକ କରି ପାଠ ପଢୁଛନ୍ତି। କିନ୍ତୁ ପ୍ରତିଦିନ ବା ପ୍ରତିଟି ସମୟରେ ନିଜକୁ ପାଠ ପ୍ରତି ଏକାଗ୍ରତା ରଖିବା କଷ୍ଟକର ହୋଇଥାଏ।

ବିଦ୍ୟାର୍ଥୀମାନେ ଅନେକ ସମୟରେ ମାନସିକ ସ୍ଥିରତା ଓ ନିଜ ଭିତରେ ଏକାଗ୍ରତା ରଖିବା ପାଇଁ ଅନେକ ଉପାୟ ଅବଲମ୍ୱନ କରିଥାନ୍ତି। ଯେପରିକି, ସକାଳ ସମୟରେ ପ୍ରାତଃଭ୍ରମଣ କରିବା, ଯୋଗ ଓ ପ୍ରାଣାୟମ କରିବା, ଏହାସହ ଅନେକ ବିଦ୍ୟାର୍ଥୀ ଉତ୍ତମ ଶିକ୍ଷା ପାଇଁ ଏକ ଉତ୍ତମ ସ୍ୱାସ୍ଥ୍ୟର ଆବଶ୍ୟକତା ଥିବା ଅନୁଭବ କରି ପୃଷ୍ଟିକର ଖାଦ୍ୟ ଗ୍ରହଣ କରିଥାନ୍ତି। କିନ୍ତୁ, ସମୟ ଓ ପରିସ୍ଥିତି କାରଣରୁ ଅନେକ ସମୟରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକାଗ୍ରତା ଓ ପାଠପ୍ରତି ଆଗ୍ରହପୂର୍ଣ୍ଣ ମନୋଭାବ ହ୍ରାସ ପାଇଥାଏ। ଯାହାକୁ ନେଇ ପାଠ ପଢିବା ସମୟରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଚିଡିଚିଡାପଣ, କ୍ରୋଧାଭାବ ଓ ମୁଣ୍ଡବିନ୍ଧାର ଲକ୍ଷଣ ବୃଦ୍ଧି ଘିଟିଥାଏ। ତେଣୁ ଏହାର ଶିକାର ହୋଇ ଅନେକ ପିଲାମାନେ ଉକ୍ତ ସମୟ ସହ ପରବର୍ତ୍ତୀ କିଛି ଦିନ ପର୍ଯ୍ୟନ୍ତ ଅବସାଦ ବା ଚିନ୍ତାରେ ରହିବା ଦ୍ୱାରା ଶିକ୍ଷାଗ୍ରହଣର ଧାରା ଭାଙ୍ଗିଥାଏ। ଯାହାର ଠିକ ସମାନ ରୂପ ଅପ୍ରିଲ 30 ତାରିଖ ଭୁବନେଶ୍ୱର ନିଳାଦ୍ରିବିହାର ସ୍ଥିତ ଓଡ଼ିଶା କର୍ମଚାରୀ ଚୟନ ଆୟୋଗର ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଦେଖିବାକୁ ମିଳିଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଏକାଧିକ ଟିମ୍ ଭୁବନେଶ୍ୱର ଓ କଟକ ସ୍ଥିତ 6ଟି ସ୍ଥାନରେ ଚଢଉ କରିଥିଲେ। ଚଢଉ ସମୟରେ ଏତେ ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହେବା ସହ ଗଣି ଗଣି ହାଲିଆ ହୋଇଯାଇଥିଲେ ଭିଜିଲାନ୍ସ କର୍ମଚାରୀ। ଚଢଉ ସମୟରେ ଟଙ୍କା ଗଣି ଗଣି ଭିଜିଲାନ୍ସ କର୍ମଚାରୀମାନେ ଏତେ ହାଲିଆ ହୋଇଯାଇଥିଲେ ଯେ, ଜଣେ କର୍ମଚାରୀ କହିଥିଲେ, “ଆରେ ମୁଣ୍ଡବିନ୍ଧା ହେଲାଣି, କିଏ ଅମୃତାଞ୍ଜନ ଆଣ”। କାରଣ ଭିଜିଲାନ୍ସ କର୍ମଚାରୀମାନେ କେବେ ଅନୁମାନ ହିଁ କରିନଥିଲେ, ଜଣେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଖରୁ ଏତେ ପରିମାଣର ନଗଦ ଟଙ୍କା ବାହାରିବ। ଯାହାକୁ ଗଣିବା ପାଇଁ ସେ ଟଙ୍କା ଗଣିବା ମେସିନ ସାଥିରେ ନେଇନଥିଲେ। ତେଣୁ ଭିଜିଲାନ୍ସ କର୍ମଚାରୀମାନେ ଏତେ ପରିମାଣର ନଗଦ ଟଙ୍କା, ସୁନା ଅଳଙ୍କାର ଓ ବିଭିନ୍ନ କାଗଜପତ୍ର ଗଣି ହାଲିଆ ହୋଇଯାଇଥିଲେ।

ଭାରତରେ କିମ୍ୱା ଆମ ରାଜ୍ୟରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢଉ ନୂଆ ଘଟଣା ନୁହେଁ। କାରଣ ଗତ କିଛିମାସ ପୂର୍ବରୁ ପୂର୍ବତନ ଆଇଏଫ୍ଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢଉ କରିଥିଲା। ତାଙ୍କ ପାଖରୁ ଏତେ ପରିମାଣର ଟଙ୍କା ବାହାରିଥିଲା ଯେ, ତାକୁ ଗଣିବା ପାଇଁ ଗୋଟେ କିମ୍ୱା ଦୁଇଦିନ ନୁହେଁ ପାଖପାଖି ତିନିଦିନ ଧରି ଏହି ଚଢଉ ଜାରି ରହିଥିଲା। ଯାହାକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା। ତେବେ ବର୍ତ୍ତମାନ ସମୟରେ ଓଏସ୍ଏସସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ଅନେକ ଦିଗରୁ ବିଶେଷଭାବେ ଗୁରୁତ୍ୱ ବହନ କରୁଛି। କାରଣ ଏଥିରେ, ଲକ୍ଷାଧିକ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଯୋଡ଼ି ହୋଇରହିଛି।
ଲାଇବ୍ରେରି ହେଉ କିମ୍ୱା ଘରେ, କୋଚିଂ ସେଣ୍ଟରରେ ହେଉ କିମ୍ୱା ନିଜସ୍ୱ ଉଦ୍ୟମରେ ସବୁଠି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବା ପାଇଁ ଦିନରାତି ଏକ କରିଦେଇଥାନ୍ତି ବିଦ୍ୟାର୍ଥୀ। ସକାଳ 5ଟାରୁ ରାତି 11ଟା ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ଏକ ପାଠ୍ୟଖସଡା ଦ୍ୱାରା ପ୍ରତିଦିନ ଶିକ୍ଷାଗ୍ରହଣ କରିଥାନ୍ତି। ପରିବାର ସଦସ୍ୟଙ୍କ ରହିଥିବା ଆଶା, ନିଜ ସାଙ୍ଗସାଥି ଅନେକ ସ୍ଥାନରେ ପାଇଥିବା ଚାକିରି, ଆର୍ଥିକ ଅଭାବର ଚିନ୍ତା, ସରକାରୀ କ୍ଷେତ୍ରରେ ବାହାରୁ ଥିବା ସ୍ୱଳ୍ପ ପଦବୀ, ଏଭଳି ଅନେକ ବିଷୟକୁ ନେଇ ଚିନ୍ତାରେ ରହିଥାନ୍ତି ବିଦ୍ୟାର୍ଥୀ। ବର୍ତ୍ତମାନ ସମୟରେ ମହାମାରୀ କୋରୋନାକୁ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭିନ୍ନ ବିଦ୍ୟାର୍ଥୀ ଅନେକ ସମସ୍ୟାର ଶିକାର ହେଉଛନ୍ତି। ମହାମାରୀ କାରଣରୁ ଦୀର୍ଘ ଦେଢ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଛି ଶିକ୍ଷାନୁଷ୍ଠାନ, ନା ପିଲାମାନେ ସେଠାକୁ ଯାଇପାରୁଛନ୍ତି, ନା ନିଜ ପ୍ରଶ୍ନ ଶିକ୍ଷକଙ୍କ ସାମ୍ନାରେ ରଖିପାରୁଛନ୍ତି। ସେହିପରି ଅନେକ ପିଲାମାନେ ଘର ବାହାରେ ରହି ପାଠ ପଢୁଛନ୍ତି। ଏହି ପିଲାମାନେ ପାଠ ପଢିବା ପାଇଁ ଲାଇବ୍ରେରି ଉପରେ ନିର୍ଭର କରିଥାନ୍ତି। କିନ୍ତୁ, ବର୍ତ୍ତମାନ ସମୟରେ ଲାଇବ୍ରେରି ବନ୍ଦ ରହିବା କାରଣରୁ ପିଲାମାନେ ହଷ୍ଟେଲ କିମ୍ୱା ମେସରେ ଠିକ ଭାବରେ ପଢିପାରୁନାହାନ୍ତି। ସେହିପରି କୋରୋନା କାରଣରୁ ଅନେକ ବିଦ୍ୟାର୍ଥୀଙ୍କ ପରୀକ୍ଷା ବନ୍ଦ ରହିଛି, ଅନେକ ସରକାରୀ ସଂସ୍ଥା ମହାମାରୀ କୋରୋନାର ଶିକାର ହୋଇ ନୂଆ ପଦବୀ ମଧ୍ୟ ସୃଷ୍ଟି କରୁନାହାନ୍ତି। ଏହି ସମୟରେ ବୟସର ଅତିକ୍ରମ କରୁଥିବା ଛାତ୍ରଛାତ୍ରୀ ନାନଦି ମାନସିକ ଅବସାଦ ଦେଇ ଗତି କରିଛନ୍ତି। ଏଭଳି ଏକ ଅବସାଦପୂର୍ଣ୍ଣ ସମୟରେ, ଏହି ଚଢଉ ପିଲାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ଚଢଉ ସମୟରେ ଅନେକ ଛାତ୍ରଛାତ୍ରୀଙ୍କ ଆଡମିଡ କାର୍ଡ ମିଳିବା, ସ୍ୱଚ୍ଛ ଶାସନ ପରୀକ୍ଷାର ଡିଣ୍ଡିମ ପିଟୁଥିବା ଏ ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁଠି 5ଟି ଓ ମୋ ସରକାରର ନାରା ଓ ହୋଡିଂ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭର୍ତ୍ତି ହୋଇଛି, ସେହି ପ୍ରଦେଶରେ ବା ସେହି ଶାସନ କାଳରେ ଏଭଳି ଏକ ବଡ଼ ଦୁର୍ନୀତିକୁ ପ୍ରସୟ ଦେଲା କିଏ। ପିଏ ବିରଞ୍ଚି ନାରାୟଣ ସାହୁଙ୍କ ଅମାପ ସମ୍ପତ୍ତିକୁ ଦେଖିଲେ ଏହା 6 ମାସ କିମ୍ୱା ଗୋଟିଏ ବର୍ଷର ଦୁର୍ନୀତି ହୋଇଥିବା ମନେ ହେଉନାହିଁ। ଏହି ଦୁର୍ନୀତି ଗତ କିଛି ବର୍ଷ ଧରି ଚାଲୁଥିବା ଅନୁମାନ କରାଯାଉଛି। ଏହାସହ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଏତେ ବଡ଼ ଦୁର୍ନୀତିରେ ଏକା ସାମିଲ ହୋଇଥିବେ ଏହା ମଧ୍ୟ ସହଜରେ ସାଧାରଣ ଲୋକଙ୍କର ହଜମ ହେଉନାହିଁ। ତେଣୁ ସରକାର ଏଭଳି ଏକ ସଙ୍ଗୀନ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ଦରକାର। ନହେଲେ ଅନେକ ଅଯୋଗ୍ୟ ବିଦ୍ୟାର୍ଥୀ ଚାକିରି ପାଇବେ ଓ ଯୋଗ୍ୟ ଛାତ୍ରଛାତ୍ରୀ ପରାଜିତାର ସ୍ୱାଦ ଚାଖିବେ।

Show More

Related Articles

Back to top button