ଓଡ଼ିଶାପୂଜା ପାର୍ବଣ

ପାର୍ବଣ ଋତୁ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ୍ ଜାରି

ଆୟୋଜକଙ୍କ ପାଇଁ ରହିଛି ଏସବୁ ନିୟମ

ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ସମେତ ଅନ୍ୟାନ୍ୟ ଧାର୍ମିକ ପୂଜା ଓ ପର୍ବ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଗାଇଡ ଲାଇନ ଜାରି କରିଛନ୍ତି । ମଣ୍ଡପରେ ପୂଜା ଅନୁମତି ପାଇଁ ହେଲେ ଆୟୋଜକଙ୍କୁ କମିଟିର ସମସ୍ତ ସଦସ୍ୟଙ୍କ ଡବଲଜୋଡ୍ ଟିକା କିମ୍ବା ଆରଟିପିସିଆର ଟେଷ୍ଟ ନେଗେଟିଭ୍ ରିପୋର୍ଟ ସହ ଆବେଦନ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ପୂଜା ଅନୁମତି ପାଇଁ ଫାୟାର, ବିଦ୍ୟୁତ ଓ ସ୍ଥାନୀୟ ପୋଲିସ ବିଭାଗର ଏନଓସି ରିପୋର୍ଟ ମଧ୍ୟ ଆବେଦନ ବେଳେ ଦାଖଲ କରିବାକୁ ଜିଲାପାଳ ଗାଇଡଲାଇନ୍ ଜାରି କରିଛନ୍ତି । ସ୍ଥାନୀୟ ଉପଜିଲାପାଳଙ୍କ ନିକଟରେ ପୂଜା ପାଇଁ ଆବେଦନ ହେବ ଏବଂ ଉପଜିଲାପାଳ ସମସ୍ତ ବିଷୟକୁ ତର୍ଜମା କରି ପୂଜା ପାଇଁ ଅନୁମତି ଦେବେ । ମୂର୍ତ୍ତିଗୁଡିକର ଉଚ୍ଚତା ୪ ଫୁଟ୍ ମଧ୍ୟରେ ସୀମିତ ରହିବ । ପୂଜା ମଣ୍ଡପର ୩ ପାର୍ଶ୍ଵ ଆବଦ୍ଧ ରହିବ ଏବଂ ଚତୁର୍ଥରେ କୌଣସି ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ନାହିଁ । ପୂଜକ, କର୍ତ୍ତା ସହ ୭ ଜଣ ହିଁ ମଣ୍ଡପରେ ରହିପାରିବେ ।

 

ମଣ୍ଡପରେ କୋଭିଡ୍ ପ୍ରୋଟୋକଲ, ମାସ୍କ ଓ ସାମଜିକ ଦୂତା ବାଧ୍ୟତାମୂଳକ କରାଯାଇଛି । ଭସାଣୀ ଉତ୍ସବ, ସାଂସ୍କୃତି କାର୍ଯ୍ୟକ୍ରମ, ମ୍ୟୁଜିକାଲ ସମ୍ପୂର୍ଣ୍ଣ ନିଷେଧ ରହିଛି । ଭୋଜିଭାତ, ପ୍ରସାଦ ବଂଟନକୁ ମଧ୍ୟ ମନା ରହିଛି । ନବରାତ୍ରୀ ଦାଣ୍ଡିଆ ମଧ୍ୟ ହୋଇପାରିବନି । ଉପଜିଲାପାଳ ଓ ତହସିଲଦାର ମାନଙ୍କୁ ଚଢାଉ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଚଳିତ ପାର୍ବଣରେ ବାଣ ଫୁଟା ନିଷେଧ ରହିଛି । ଏହି ନିୟମର ଉଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆକ୍ଟ-୨୦୦୫, ମହାମାରୀ ରୋଗ ଆକ୍ଟ ୧୮୯୭ ଓ ଆଇପିସି ର ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଦେଇଛନ୍ତି । ଜିଲ୍ଲାରେ ଏବେ କରୋନା ସଂକ୍ରମଣ ନାହିଁ, କିନ୍ତୁ ପର୍ବାଣି ସମୟରେ ପ୍ରବଳ ଭିଡ ରହିବ ଯାହାଫଳରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହିସବୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଏପରିକି କିଛି ଦିନ ତଳେ ଯଦି କୈାଣସି ପୂଜା କମିଟି ଅଚଂଳରେ କରୋନା ସଂକ୍ରମଣ ବ୍ୟାପେ ଏଥିପାଇଁ କମିଟି ଦାୟୀ ରହିବେ ବୋଲି ପୁର୍ବରୁ ମଧ୍ୟ ଜିଲାପାଳ ଚେତାବନୀ ଦେଇଥିଲେ ।

Show More

Related Articles

Back to top button