ଓଡ଼ିଶା

ଆଜିଠୁ ଡିଏଲ ପାଇଁ କାଟାଗୋରୀ ‘ବି’ ଜିଲ୍ଲାରେ ଆରମ୍ଭ ହେବ ସ୍ଲଟ୍ ବୁକିଂ

ପୁରୀରେ ୧୪ରୁ ଡିଏଲ ଟେଷ୍ଟ୍

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମେ ‘ଏ’ କାଟାଗୋରୀ ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପାଇଁ ସ୍ଲଟ୍‌ ବୁକିଂ ପାଇଁ ଅନୁମତି ମିଳିଥିଲାବେଳେ ଶନିବାରଠୁ ‘ବି’ କାଟାଗୋରୀ ଜିଲ୍ଲାରେ ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ଶୁକ୍ରବାର ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ସ୍ଲଟ୍‌ ବୁକିଂ ଆରମ୍ଭ ହେଉଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ । ପୁରୀରେ ଆସନ୍ତା ୧୨ ତାରିଖରେ ରଥଯାତ୍ରା ହେଉଥିବାରୁ ସେଠାରେ ୧୩ ତାରିଖରୁ ସ୍ଲଟ୍‌ ବୁକିଂ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।କମିସନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶନିବାର ସକାଳ ୧୧ଟାରୁ ଏହି ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ଏହାପରେ ପ୍ରତିଦିନ ସକାଳ ୭ଟାରୁ ୧୦ଟା ଭିତରେ ସ୍ଲଟ୍‌ ବୁକିଂ କରାଯିବ । ଯେଉଁମାନେ ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବେ ସେହିମାନେ କେବଳ ବର୍ତ୍ତମାନ ପାଇଁ ସ୍ଲଟ୍‌ ବୁକିଂ କରିପାରିବେ । ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସର ନବୀକରଣ ହେବ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ । ଯେଉଁମାନେ ସ୍ଲଟ୍‌ ବୁକିଂ କରିବେ ସେମାନଙ୍କୁ ୧୩ ତାରିଖଠାରୁ ପରୀକ୍ଷା ଦେବାକୁ ପଡ଼ିବ । ଆବେଦନକାରୀମାନେ ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲାବେଳେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ପୁରୀରେ ଡିଏଲ୍‌ ଟେଷ୍ଟ ୧୪ ତାରିଖରୁ ଆରମ୍ଭ ହେବ । ଡିଏଲ୍‌ ପରୀକ୍ଷା ପାଇଁ ଅଧିକ ସଂକ୍ରମଣ ଅଞ୍ଚଳରୁ କୌଣସି ବ୍ୟକ୍ତିଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କେହି ଏହି ଅଞ୍ଚଳରୁ ଆସିଥିବାର ଜଣାପଡ଼େ ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବ ବୋଲି ବିଜ୍ଞପ୍ତିରେ ଚେତବାନୀ ଦିଆଯାଇଛି । ଯଦି ଆବେଦନକାରୀଙ୍କ ପାଖରେ କାରୋନାର କୌଣସି ସାମାନ୍ୟ ଲକ୍ଷଣ ଦେଖାଯାଏ ତାହେଲେ ତାଙ୍କୁ ଡିଏଲ୍‌ ପରୀକ୍ଷା ପାଇଁ ଅନୁମତି ଦିଆଯିବ ନାହିଁ । ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ କେବେ କରାଯିବ ସେ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ ବୋଲି କୁହାଯାଇଛି । ନୂଆ ଏଲ୍‌ଏଲ୍‌ ଏବଂ ନୂଆ ଡିଏଲ୍‌ ପାଇଁ କେବେ ସ୍ଲଟ୍‌ ବୁକିଂ କରାଯିବ ସେ ସଂକ୍ରାନ୍ତରେ ମଧ୍ୟ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୨୦ଟି ‘ଏ’ କାଟାଗୋରୀ ଜିଲ୍ଲାରେ ଗତ ମାସ ୨୨ ତାରିଖରୁ ଡିଏଲ୍‌ ପାଇଁ ସ୍ଲଟ୍‌ ବୁକିଂ ହୋଇଆସୁଛି ।

Show More

Related Articles

Back to top button