ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଅକ୍ଟୋବର ୨ ରୁ ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବ ବିଜେଡି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରୁଥିବା ଶାସକ ବିଜେଡି ଆସନ୍ତା ଅକ୍ଟୋବର ୨ ‘ଗାନ୍ଧି ଜୟନ୍ତୀ’ରୁ ଏକମାସ ଧରି ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ, ଜିଲ୍ଲା,ବ୍ଲକ ଓ ନଗର ସଭାପତି, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି ଓ ପଦାଧିକାରୀ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଚିଠି ଲେଖି ଜିଲ୍ଲାରୁ ୱାର୍ଡସ୍ତର ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନଭେମ୍ବର ୨ତାରିଖ ଶେଷଦିନରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଏକଜୁଟ ହୋଇ ଏକମାସ ବ୍ୟାପୀ ପଦଯାତ୍ରାର ସମାପ୍ତି ଘୋଷଣା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ନିମନ୍ତେ ‘ସମୂହ ଶପଥ’ ପାଠ କରିବେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏକମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରାକୁ ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ,ନଗର, ପଞ୍ଚାୟତ ଓ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜନ କରାଯିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ଓ ଅକ୍ଟୋବର ୧୧ରେ ଜୟପ୍ରକାଶ ଜୟନ୍ତୀ ପାଳନ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଦଳର ଜନସମ୍ପର୍କ ପଦଯାତ୍ରାକୁ ଓଡ଼ିଶାବାସୀଙ୍କ ସହ ପାଳିବାକୁ ପରାମର୍ଶ ଦେବା ସହ ଦଳର ମହିଳା, ଯୁବ, ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ , ଆଇନ ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସ୍ତରରେ ଏହି ପଦଯାତ୍ରାରେ ଯୋଗ ଦେବେ ତଥା ବହୁ ସଂଖ୍ୟାରେ କର୍ମୀ ଯେଭଳି ସବୁ ସ୍ଥାନରେ ଯୋଗ ଦେବେ ତାହା ସୁନିଶ୍ଚିତ କରାଇବେ । ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସ ପକ୍ଷରୁ ଅକ୍ଟୋବର ୩୧ରୁ ୩ମାସ ପାଇଁ ରାଜ୍ୟବ୍ୟାପୀ ‘ଭାରତ ଯୋଡ଼’ କାର୍ଯ୍ୟକ୍ରମ ଅନ୍ତର୍ଗତ ପଦଯାତ୍ରା ହେବାକୁ ଥିବାବେଳେ ବିଜେପି ପକ୍ଷରୁ ଖୁବଶୀଘ୍ର ପଦଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

Show More

Related Articles

Back to top button