ଦେଶ ବିଦେଶମୁଖ୍ୟ ଖବର

ମାର୍ଚ୍ଚ ୧୬ତାରିଖରୁ ୧୨-୧୪ ବର୍ଷ ପିଲାଙ୍କୁ ଟିକାକରଣ

ବୟସ୍କଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ନେଇ ବଡ ଘୋଷଣା

ଦେଶରେ କରୋନା ସଂକ୍ରମଣ ହାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ କମିବାର ପ୍ରମୁଖ କାରଣ ହେଉଛି ସାରା ଦେଶରେ ବ୍ୟାପକ ହୋଇଥିବା କରୋନା ଟିକାକରଣ । ବିଭିନ୍ନ ବର୍ଗ ବୟସର ବ୍ୟକ୍ତିଙ୍କ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ଆସିଛି ଆଉ ଏକ ବଡ ଖବର । ୧୨ରୁ ୧୪ ବର୍ଷ ବୟସର ଶିଶୁଙ୍କୁ ଟିକାକରଣ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ । ମାର୍ଚ୍ଚ ୧୬ ତାରିଖରୁ ଦେଶରେ ୧୨ ବର୍ଷରୁ ୧୪ ବର୍ଷ ବୟସ ବର୍ଗର ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କୋର୍ବେଭାକ୍ସ (Corbevax) ଭ୍ୟାକସିନ୍‌ ଦିଆଯିବ ।

ବାୟୋଲୋଜିକାଲ ଇ ଲିମିଟେଡ୍‌ କମ୍ପାନୀ ଦ୍ବାରା କୋର୍ବେଭାକ୍ସ ଟିକା ତିଆରି କରାଯାଇଛି । କେବଳ ଶିଶୁ ନୁହେଁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ । ଏବେ ଭାରତରେ ଆଗଧାଡିର କରୋନା ଯୋଦ୍ଧା, ଯେପରିକି ସ୍ବାସ୍ଥ୍ୟକର୍ମୀ ଏବଂ ବିଭିନ୍ନ ରୋଗରେ ପୀଡିତ ଥିବା ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ଟ୍ବିଟ୍‌ କରି କହିଛନ୍ତି, ପିଲାମାନେ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ । ଆଗକୁ ସେ ଲେଖିଛନ୍ତି, ‘ଆସନ୍ତା ମାର୍ଚ୍ଚ ୧୬ ତାରିଖ ଠାରୁ ଦେଶରେ ୧୨ ରୁ ୧୪ ବର୍ଷ ବୟସ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ଏହା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ’ । ପିଲାମାନେ ତଥା ବୟସ୍କ ବ୍ୟକ୍ତିମାନେ ଟିକା ନେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ସୂଚନାଯୋଗ୍ୟ, ଗତ ଜାନୁଆରୀ ୩ ତାରିଖରୁ ଭାରତରେ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୫ ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଆଉ ପାଦେ ଆଗେଇଛି ସ୍ବାସ୍ଥ୍ୟ ବିଭାଗ । ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କୁ ଟିକାକରଣ କରାଯିବ ।

Show More

Related Articles

Back to top button