ଓଡ଼ିଶାମୁଖ୍ୟ ଖବର

ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବାପାଇଁ କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କୁଚିଣ୍ଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାଲିଠୁ ଜମାଦାରପାଲି ଏୟାରଷ୍ଟ୍ରିପ୍‌ରୁ ଆରମ୍ଭ କରି ମୁକୁନ୍ଦି ପଡ଼ିଆ ଯାଏ ପୁଲିସ ଛାଉଣୀରେ ପରିଣତ ହେଲାଣି ।

ମୁକୁନ୍ଦି ପଡିଆରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇସାରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜିଲ୍ଲା ଗସ୍ତ ବେଳେ ଯେଉଁଭଳି ବ୍ୟବସ୍ଥା କରାଯାଉଛି ଏଠାରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନୁରୂପ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସଭା ସ୍ଥଳକୁ କେବଳ ହାତଗଣତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ହିଁ ଅନୁମତି ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସାରା ଜିଲ୍ଲାର ରାଜନୀତି ସରଗରମ ହୋଇଉଠିଥିବା ବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ବିରୋଧ ପାଇଁ ବି ଜୋରଦାର ପ୍ରସ୍ତୁତି ଚଲାଇଥିବା ଜଣାପଡିଛି । ଆଉ ପରିସ୍ଥିତିକୁ ଦେଖି ସୋମବାର ଅପରାହ୍ନ ପରଠାରୁ ବିରୋଧୀ ଦଳର ନେତାମାନଙ୍କୁ ପୁଲିସ ଅଟକ ରଖିବା ଆରମ୍ଭ କରିଛି । ସୂଚନା ମୁତାବିକ, ଆଜି ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ କୁଚିଣ୍ଡା ମୁକୁନ୍ଦି ପଡିଆରେ ଅବତରଣ କରି ସଭାସ୍ଥଳକୁ ଯିବେ । ସେଠାରେ ବିଏସ୍‌କେୱାଇ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହିତ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରାୟ ୭ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ବହୁ ପ୍ରତୀକ୍ଷିତ ଧନକଉଡା ବ୍ଲକର କୁଦଗୁଣ୍ଡେରପୁର ସେତୁ ସମେତ ଗୋଶାଳାର ସୈନିକ ସ୍କୁଲ କୋଠା ଏବଂ ବୁର୍ଲାର ପାରା ମେଡିକାଲ ହଷ୍ଟେଲ ଆଦି ବୃହତ ପ୍ରକଳ୍ପର ଉଦଘାଟନ ସମେତ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।ଏଥିପାଇଁ କୁଚିଣ୍ଡା ମୁକୁନ୍ଦି ଖେଳ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ।

ଗତକାଲି ଜିଲ୍ଲାପାଳ ଶୁଭମ ସକ୍ସେନା, ଡିଆଇଜି ଡ. ଦୀପକ କୁମାର, ଏସ୍‌ପି ବି. ଗଙ୍ଗାଧରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ସୁରକ୍ଷା ତଥା ଅନ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ସଭାସ୍ଥଳ, ଅସ୍ଥାୟୀ ହେଲିପ୍ୟାଡ, କାରକେଡ ବ୍ୟବସ୍ଥା ସମେତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଏହି ସମୟରେ ଜିଲ୍ଲା ପଦାଧିକାରୀ, କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲ, ବିଡିଓ ନିରଞ୍ଜନ ସା, ତହସିଲଦାର ପ୍ରତିମା ପିଙ୍ଗ, ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ ଶୁଭାକର ସେଠ ପ୍ରମୁଖ ସାମଲ ହୋଇଥିଲେ ।ପୁଲିସ ପକ୍ଷରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ଜମାଦାରପାଲି ପଡିଆ ଭିତରେ ଗୋଟିଏ ସେକ୍ସନ୍‌ ଓଏସ୍‌ଏପି ଯବାନଙ୍କୁ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏୟାରକ୍ରାଫ୍ଟରେ ଆସି ଜମାଦାରପାଲିରୁ ହେଲିକପଟର୍‌ରେ କୁଚିଣ୍ଡା ଯିବାର କାର୍ଯ୍ୟକ୍ରମ ଥିବାରୁ ଆଜି ଠାରୁ ଉକ୍ତ ହେଲିକପଟର୍‌ ଆସି ଜମାଦାରପାଲିରେ ପହଞ୍ଚିସାରିଛି । ସେହିପରି ଆସନ୍ତାକାଲି ସକାଳୁ ସମଗ୍ର ଏୟାରଷ୍ଟ୍ରିପ୍‌ର ଚାରି କଡରେ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ । ଏହାବାଦ୍‌ ଏୟାରଷ୍ଟ୍ରିପ୍‌ରୁ ବାହାରିବାର ରାସ୍ତାରେ ମଧ୍ୟ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।ସେହିପରି କୁଚିଣ୍ଡାର ସଭା ସ୍ଥଳରେ ୧୨ ପ୍ଲାଟୁନ୍‌ ଫୋର୍ସ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ନିୟୋଜିତ ହେବେ ବୋଲି ଜଣାପଡିଛି । ଏଥିପାଇଁ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଆସି କୁଚିଣ୍ଡାରେ ପହଞ୍ଚିସାରିଛନ୍ତି । ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ବିଜେପି ପୁରା ଦମ୍‌ରେ ଲାଗି ପଡିଛି । ବିଜେପି ଏନେଇ ଘୋଷଣା କରିବା ପରେ ପୁଲିସ ସମସ୍ତ ଛାମୁଆ ନେତାଙ୍କ ଉପରେ ନଜର ରଖିବା ସହିତ ଅପରାହ୍ନ ଠାରୁ ଆଗୁଆ ଅଟକ ରଖିବା ଆରମ୍ଭ କରିଛି । ଏଥିରେ କୁଚିଣ୍ଡାରୁ ପୂର୍ବତନ ବିଧାୟକ ରବି ନାରାୟଣ ନାଏକଙ୍କ ସମେତ ପୂର୍ବତନ କାଉନସିଲର ସୁଶିଲ କର ଓ ମହେଶ ରାୟଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସମ୍ବଲପୁର ସହର ଏବଂ ବୁର୍ଲାରୁ ପ୍ରାୟ ୨୦ରୁ ଅଧିକ ଲୋକ ଅଟକ ଥିବା ସୂଚନା ମିଳିଛି । ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତାହେଲେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି ସମ୍ୱଲପୁର ଏସପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି ।

Show More

Related Articles

Back to top button