ଖେଳଦେଶ ବିଦେଶମୁଖ୍ୟ ଖବର

ଆଜିଠୁ ଫିଫା ବିଶ୍ୱକପ୍ ସେମିଫାଇନାଲ: ଆର୍ଜେଣ୍ଟିନା ସହ ମୁକାବିଲା କରିବ କ୍ରୋଏସିଆ

ଆଲ୍‍ ଖୋର୍‍, ଦୋହା : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ କ୍ରୋଏସିଆ ସହ ମୁକାବିଲା ହେବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ସହ। ଏହି ମ୍ୟାଚ୍‍କୁ ନିଜ କବ୍‍ଜାରେ ରଖି କ୍ରୋଏସିଆ ମଧ୍ୟ ମେସିଙ୍କ ବିଶ୍ୱକପ୍‍ ଜିତିବା ଆଶାକୁ ଧୂଳିସାତ କରିବା ଲକ୍ଷ୍ୟରେ ରହିଛି। ଏହି ଛୋଟିଆ ଦେଶର ଲକ୍ଷ୍ୟ ସ୍ୱତନ୍ତ୍ର। ଏହା କେଉଁଠାରେ ବଡ଼ିମା ଦେଖାଉ ନାହିଁ କିମ୍ବା ବଡ଼ ବଡ଼ ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇଛି। ଏଭଳି ସମୟରେ ୭ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ମେସି ତାଙ୍କ ଜୀବନରେ ଶେଷଥର ଲାଗି ଏହି ଟ୍ରଫି ହାସଲ କରିବାକୁ ଲଢ଼ିବେ। ଟ୍ରଫି ହାସଲ କରିବାରେ କ୍ରୋଏସିଆ ଏବେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି।

ଏହାର ଖେଳାଳିମାନେ ମଧ୍ୟ ମ୍ୟାଚ୍‍କୁ ନେଇ ବେଶି ଉତ୍ସାହିତ ନୁହଁନ୍ତି। ‘ଆମେ କୌଣସି ଦଳ କିମ୍ବା ଖେଳାଳିଙ୍କୁ ଭୟ କରୁନାହୁଁ। ଆମେ କେବଳ ନିଜର ଶ୍ରେଷ୍ଠ ଖେଳ ଉପରେ ନିର୍ଭର କରୁଛୁ’ ବୋଲି କ୍ରୋଏସିଆର ରକ୍ଷଣଭାଗ ଖେଳାଳି ଜୋସିପ୍‍ ଜୁରାନୋଭିଚ୍‍ କହନ୍ତି। ସେ ଆହୁରି ମଧ୍ୟ କହନ୍ତି, ଆମେ ମ୍ୟାଚ୍‍ ଖେଳିଲାବେଳେ ଗୋଟିଏ ପରିବାର ଭଳି ଏକତ୍ର ହୋଇ ଖେଳିଥାଉ। ଏହା ହିଁ ଆମର ଶକ୍ତି ଓ ସଫଳତାର ମୂଳମନ୍ତ୍ର ବୋଲି ଜୁରାନୋଭିଚ୍‍ଙ୍କ ମତ। କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସହ ନିର୍ଦ୍ଧାରିତ ଓ ଅତିରିକ୍ତ ସମୟ ଖେଳ ୧-୧ ଗୋଲରେ ସମାନ ସ୍ତରରେ ରହିଥିଲା। କିନ୍ତୁ ପେନାଲ୍ଟି ସୁଟ୍‍ଆଉଟରେ କ୍ରୋଏସିଆ ୪-୨ ଗୋଲରେ ବିଜୟୀ ହେବା ଫଳରେ ନେମାରଙ୍କ ବିଶ୍ୱକପ୍‍ ଖେଳିବା ଆଶା ଧୂଳିସାତ ହୋଇଯାଇଥିଲା।

ଅନ୍ୟପକ୍ଷରେ ଆର୍ଜେଣ୍ଟିନାକୁ ସେମିଫାଇନାଲ୍‍ରେ ପ୍ରବେଶ କରାଇବାରେ ମେସିଙ୍କ ଭୂମିକା ଢ଼େର ଅଧିକ। ସେ ୫ଟି ମ୍ୟାଚ୍‍ରେ ୪ଟି ଗୋଲ କରିଛନ୍ତି ଓ ନେଦରଲାଣ୍ଡ୍‍ସ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଗୋଲ ଦେଇଥିବା ନାହୁଏଲ ମୋଲିନାଙ୍କୁ ସହାୟତା ଦେଇଥିଲେ। ଏହା ମେସିଙ୍କ ମ୍ୟାଜିକ୍‍ ବୋଲି ଧରିବାକୁ ହେବ। ୧୯୮୬ରେ ଶେଷଥର ଆର୍ଜେଣ୍ଟିନା ବିଶ୍ୱକପ୍‍ ଟାଇଟଲ ଜିତିଥିଲା। ଏବେ ମେସିଙ୍କ ସମୟରେ ଆର୍ଜେଣ୍ଟିନା ଥରେ ଫାଇନାଲ ୨୦୧୪ରେ ଖେଳି ମଧ୍ୟ ପଡୋଶୀ ବ୍ରାଜିଲଠାରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ମେସିଙ୍କର ଏହା ହୁଏତ ଶେଷ ଟୁର୍ଣ୍ଣାମେଣ୍ଟ। ଏଣୁ ସେ ଓ ତାଙ୍କ ଟିମ୍‍ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ଏଣୁ ଆଉ ଦୁଇଟି ମ୍ୟାଚ୍‍ ଜିତିପାରିଲେ ମେସିଙ୍କ ଟ୍ରଫି ଜିତିବାର ସ୍ୱପ୍ନ ସାର୍ଥକ ହୋଇପାରିବ।

Show More

Related Articles

Back to top button