ଫେସନପ୍ରେମୀଙ୍କ ପସନ୍ଦ,ଇୟର ବଡ୍ସ
କିଛି ବର୍ଷ ପୂର୍ବେ ତାର ଲାଗିଥିବା ଇୟରଫୋନ୍ ପ୍ରଚଳନରେ ଥିଲା। ମାତ୍ର ବ୍ଲୁଟୁଥ୍ ପ୍ରଯୁକ୍ତିର ବ୍ୟବହାର ପରେ ଇୟରଫୋନ୍ ବଜାରରେ ବଡ଼ଧରଣର ପରିବର୍ତ୍ତନ ହୋଇଛି

ବ୍ଲୁଟୁଥ୍ ଇୟରଫୋନ୍ ଓ ହେଡ୍ଫୋନ୍ କିଛି ବର୍ଷ ଚର୍ଚ୍ଚାରେ ରହିବା ପରେ ଏବେ ଇୟର ବଡ୍ସର ଧାରା ଚାଲିଛି। ଏହା ଆକାରରେ ବହୁତ ଛୋଟ ହୋଇଥିବା ବେଳେ କାନ ଭିତରେ ତାହା ସୁବିଧାରେ ରହିପାରୁଛି। ଯେଉଁ ଖୋଳ ଭିତରେ ଏହା ଆସୁଛି ସେଥିରେ ଚାର୍ଜିଂ ସୁବିଧା ରହିଛି। ତେଣୁ ଏହା ଏବେ ଯୁବପିଢ଼ିଙ୍କ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ୍ରେ ପରିଣତ ହୋଇଛି। ଘର ଭିତରେ ଗୀତ ଶୁଣିବା ଠାରୁ ଆରମ୍ଭ କରି କାର୍ଯ୍ୟାଳୟରେ କଥାବାର୍ତା ହେବା ଆଦି ଅନେକ ସ୍ଥାନରେ ଇୟର୍ ବଡ୍କୁ ବ୍ୟବହାର କରାଯାଉଛି। ଇୟର ବଡ୍ ଦେଖିବାକୁ ସୁନ୍ଦର ହୋଇଥିବା ବେଳେ ତାହାର ସାଉଣ୍ଡ୍ ମାନ ବେଶ୍ ଉନ୍ନତ, ପୋର୍ଟେବଲ୍ ଏବଂ ଅତି ସହଜରେ ତାହାକୁ ସ୍ମାର୍ଟଫୋନ୍ ସହ ସଂଯୋଗ କରାଯାଇପାରୁଛି। ସହଜରେ ବ୍ୟବହାର ହୋଇପାରୁଥିବାରୁ ଏହାକୁ ଗ୍ରାହକମାନେ ଅଧିକ ପସନ୍ଦ କରୁଛନ୍ତି।
‘ନଏଜ୍ କ୍ୟାନ୍ସେଲେସନ୍’ ସୁବିଧା ପ୍ରମୁଖ ଆକର୍ଷଣ
କଂପାନିଗୁଡ଼ିକ ଇୟର୍ବଡ୍ସରେ ଅନେକ ପ୍ରକାର ସୁବିଧା ଯୋଡ଼ୁଛନ୍ତି। ସେଥିରେ ପ୍ରମୁଖ ସୁବିଧାଟି ହେଉଛି ନଏଜ୍ କ୍ୟାନ୍ସେଲେସନ୍ ପ୍ରଯୁକ୍ତି। ଏହି ବୈଶିଷ୍ଟ ଥିବା ଇୟରବଡ୍ସକୁ ବ୍ୟବହାର କରୁଥିବା ଲୋକମାନେ ଭିଡ଼ ଭିତରେ ଥିବା ବେଳେ ମଧ୍ୟ ସ୍ବଷ୍ଟ ଭାବେ କଥାବାର୍ତା ହୋଇପାରିବେ ଏବଂ ଗୀତ ଶୁଣିପାରିବେ କିମ୍ବା ଭିଡିଓ ଦେଖିପାରିବେ। ବାହାରର ଶବ୍ଦ କୌଣସି ପ୍ରଭାବ ପକାଇ ପାରିବ ନାହିଁ। ଇୟର ବଡ୍ସଗୁଡ଼ିକରେ ଭଏସ୍ ଆସିଷ୍ଟାଣ୍ଟ୍, ଆଇପି ରେଟିଙ୍ଗସ୍, ସ୍ପୋର୍ଟସ୍ ଫିଟ୍, ଏନ୍ଏଫ୍ସି ସଂଯୋଗ ଓ ଓୟାରଲେସ୍ ଚାର୍ଜିଂ ଭଳି ସୁବିଧା ମଧ୍ୟ ମିଳୁଛି।
୨୦୦୦ ଟଙ୍କାରୁ କମ୍ ଦାମ୍ର ଚାହିଦା ଅଧିକ
ଇୟର ବଡ୍ସକୁ ଗ୍ରାହକମାନେ ମୁଖ୍ୟତଃ ଅନ୍ଲାଇନ୍ରେ କିଣିବାକୁ ପସନ୍ଦ କରୁଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ ଲୋକମାନେ ଦୁଇ ହଜାର ଟଙ୍କାରୁ କମ୍ ଦାମ୍ରେ ମିଳୁଥିବା ଇୟର ବଡସ୍ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ବଜାରରେ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଇୟର୍ ବଡ୍ସ ମଧ୍ୟ ମିଳୁଛି। ଏକ ସର୍ଭେରେ ଭାଗ ନେଇଥିବା ୩୦୦୦ରୁ ଅଧିକ ଲୋକଙ୍କ ମଧ୍ୟରୁ ୫୧.୭% ଲୋକ ଦୁଇ ହଜାର ଟଙ୍କାରୁ କମ୍ ଦାମ୍ର ଇୟର୍ ବଡ୍ସ ନିଜର ପସନ୍ଦ ବୋଲି କହିଥିବା ବେଳେ ୨-୪ ହଜାର ଟଙ୍କା ମୂଲ୍ୟକୁ ୨୪.୫୦ ପ୍ରତିଶତ, ୪-୬ ହଜାର ଟଙ୍କା ଦାମ୍କୁ ୯.୫୮%, ୬-୮ ହଜାର ଟଙ୍କା ଦାମ୍କୁ ୪.୯୯%, ୮-୧୫ ହଜାର ଟଙ୍କା ଦାମ୍କୁ ୪.୪୫ ପ୍ରତିଶତ ଏବଂ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଇୟର୍ ବଡ୍ସ କିଣିବାକୁ ୫.୩୨ ପ୍ରତିଶତ ଲୋକ ପସନ୍ଦ କରୁଥିବା କହିଥିଲେ।