ଦେଶ ବିଦେଶବାଣିଜ୍ୟ

ବିପଦରେ ଫେସବୁକ୍

ଆମେରିକୀୟ ଧନୀ ମାର୍କ ଜୁକରବର୍ଗଙ୍କ ଫେସବୁକ୍ ସାମ୍ରାଜ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଫେସବୁକ୍ ନିଜ କ୍ଷମତାର ଅପବ୍ୟବହାର କରି ଏକଚାଟିଆ ଭାବେ କାରବାର କରୁଥିବା ବେ‌ଳେ ଛୋଟ ସଂସ୍ଥାଗୁଡ଼ିକୁ ଦଳିମକଚି ଦେଉଛି ବୋଲି ଆମେରିକାର ୪୮ଟି ରାଜ୍ୟ ଅଭିଯୋଗ କରି ମକଦ୍ଦମା ରୁଜୁ କରିଛନ୍ତି।

ଫେଡେରାଲ୍ ଟ୍ରେଡ୍ କମିସନ ମଧ୍ୟ ଫେସବୁକ୍‌କୁ ବିରୋଧ କରି ମକଦ୍ଦମା କରିଛି। ଫେସବୁକ୍ ପାଖରେ ଥିବା ଅତ୍ୟଧିକ କ୍ଷମତା ସମଗ୍ର ବିଶ୍ବ ପାଇଁ ବିପଦ ବୋଲି ଅନେକ ସମୟରେ ଅଭିଯୋଗ ହେଉଥିବା ବେଳେ ଏହାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ ଦାବି ହେଉଛି। ଏଭଳି ଏକ ସମୟରେ ଆମେରିକାର ସବୁ ରାଜ୍ୟ ଏକଜୁଟ ହେବା ଫେସବୁକ୍‌ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଦରକାର ପଡ଼ିଲେ ଫେସବୁକ୍‌ ଏହାର ସବୁଠୁ ଲୋକପ୍ରିୟ ସେବା ହ୍ବାଟସ୍‌ଆପ୍ ଓ ଇନଷ୍ଟାଗ୍ରାମ୍‌କୁ ବିକ୍ରି କରିବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି। ଆମେରିକାର ରାଜ୍ୟଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ନିଜ ଏକଚାଟିଆ କ୍ଷମତା ପ୍ରତି ବିଶ୍ବର ଯେଉଁ ସଂସ୍ଥା ବିପଦ ଭାବେ ଉଭା ହେଉଛି ତାହାକୁ ଫେସବୁକ୍ କିଣିନେଉଛି। ୨୦୧୨ରେ ଏହା ୧୦୦ କୋଟି ଡଲାରରେ ଇନଷ୍ଟାଗ୍ରାମ୍ ଓ ୨୦୧୪ରେ ୧୯୦୦ କୋଟି ଡଲାରରେ ହ୍ବାଟସ୍‌ଆପ୍‌କୁ କିଣିଥିଲା। କୌଣସି କଂପାନି ବହୁତ ବଡ଼ ହେବା ପୂର୍ବରୁ ଫେସବୁକ୍‌ ତାହାକୁ ନିଜ ସହିତ ମିଶାଇ ଦେଉଛି ବୋଲି ରାଜ୍ୟଗୁଡ଼ିକ ଅଭିଯୋଗ କରିଛନ୍ତି। ଏଭଳି ପଦକ୍ଷେପ ଗ୍ରହଣ କରି ଫେସବୁକ୍ ପ୍ରତିଦ୍ବନ୍ଦ୍ବିତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଉଛି ଏବଂ ନିଜର ଏକଚାଟିଆ କାରବାର ଜାରି ରହିଛି। ଏହା କଂପାନିର ବ୍ୟବସାୟ ରଣନୀତି ବୋଲି ଅଭିଯୋଗ ହୋଇଛି।

ଏହି ମକଦ୍ଦମାଗୁଡ଼ିକ ବିଷୟରେ ଫେସବୁକ୍‌ର ଜେନେରାଲ୍ କାଉନ୍‌‌ସେଲ୍ ଜେନିଫର ନିଉଷ୍ଟିଡ୍‌ କହିଛନ୍ତି ଯେ ସଫଳ କଂପାନିଗୁଡ଼ିକୁ ଦଣ୍ଡିତ କରିବା ଭଳି କୌଣସି ପ୍ରତିଯୋଗିତା ବିରୋଧୀ ନିୟମ ନାହିଁ। ହ୍ବାଟସ୍‌ଆପ୍‌ ଓ ଇନଷ୍ଟା‌ଗ୍ରାମ୍‌ରେ ଫେସବୁକ୍‌ ବିପୁଳ ନିବେଶ କରିବା ପରେ ସେଗୁଡ଼ିକ ବୃହତ ସଂସ୍ଥାରେ ପରିଣତ ହୋଇଛନ୍ତି ବୋଲି ସେ କହିଛନ୍ତି ‌। ଗୁଗୁଲ୍ ଓ ଫେସବୁକ୍‌ ଭଳି କଂପାନିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ ସେଠାକାର ନୀତି ନିର୍ଧାରକମାନେ ଦାବି କରୁଛନ୍ତି।

Show More

Related Articles

Back to top button