Breaking PLUSମୁଖ୍ୟ ଖବରଶିକ୍ଷା

ଓଡ଼ିଆ ଭାଷାରେ ପଢିବେ ଇଞ୍ଜିନିଅରିଂ ଛାତ୍ରଛାତ୍ରୀ

ଖୁବଶୀଘ୍ର ଓଡ଼ିଆ ଭାଷାରେ ପଢାଯିବ ଇଞ୍ଜିନିୟରିଂ ପାଠ । ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଇଞ୍ଜିନିଅରିଂ ଛାତ୍ରଛାତ୍ରୀ । ଏନେଇ ଏଆଇସିଟିଇ ଓ ଆଇଓଏସଆର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଭୁବନେଶ୍ୱର ସ୍ଥିତ ଆଇଆଇଟି ଖଡ଼ଗପୁରର ବର୍ଦ୍ଧିତ କ୍ୟାମ୍ପସରେ ଆୟୋଜିତ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ଓ ଅବସରପ୍ରାପ୍ତ ରାଷ୍ଟ୍ରଦୂତ ତଥା ଆଇଓଏସଆର ଅଧ୍ୟକ୍ଷ ଅବସର ବେଉରିଆ ଉପସ୍ଥିତ ଥିଲେ ।

ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ବୁଝିବା ଭଳି ଡିପ୍ଲୋମା ଏବଂ ବି.ଟେକ ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରି ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପୁସ୍ତକ ପ୍ରସ୍ତୁତିର ବ୍ୟବସ୍ଥା କରୁଥିବାରୁ ଏଆଇସିଟିଇ ଓ ଆଇଓଏସଆରକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି, ନିଜ ଭାଷାରେ ଶିକ୍ଷା ଦ୍ୱାରା ବ୍ୟକ୍ତି ଓ ରାଷ୍ଟ୍ରର କିପରି ଆର୍ଥକ ବିକାଶ ଘଟିଥାଏ, ତାହାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ୟୁରୋପିୟ ଦେଶ ଜର୍ମାନୀ, ଫ୍ରାନ୍ସ ଓ ଏସିୟ ଦେଶ ଜାପାନରେ ଦେଖିବାକୁ ମିଳୁଛି । ତେଣୁ ଭାରତରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ଆବଶ୍ୟକ । ଅତୀତରେ ଗଭୀର ସମୁଦ୍ରରେ ବିଶାଳ ବୋଇତ ଚାଳନା, ଶିଳ୍ପୀ ବିଶୁ ମହାରଣାଙ୍କ ଦ୍ୱାରା ନିର୍ମିତ କୋଣାର୍କର ସୂର୍ଯ୍ୟ ମନ୍ଦିର ମାନବ ସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ । ସେ ସମୟରେ ଏହିଭଳି ବୈଷୟିକ ଶିକ୍ଷା ବଳରେ ଆର୍ଥିକ ଓ ସାମାଜିକ ବିକାଶ ଓଡ଼ିଆ ଜାତିର ଅନନ୍ୟ ନିଦର୍ଶନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆମ ରାଜ୍ୟ ୧୫ ବର୍ଷ ପରେ ୨୦୩୬ ମସିହାରେ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଏହାଛଡ଼ା ଆଉ ୨୫ ବର୍ଷ ପରେ ଅର୍ଥାତ ୨୦୪୭ ମସିହା ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳିବ । ଏହି ସମୟରେ ପୋଷଣ, ଭାଷା, ଶିକ୍ଷା ଓ ରୋଜଗାର ଆମ ପାଇଁ ଆହ୍ୱାନ । ଏହାକୁ ଗୁରୁତ୍ୱ ଦେଲେ ଆମେ ସ୍ୱାବଲମ୍ବୀ, ସ୍ୱାଭିମାନୀ ଓ ଆତ୍ମନିର୍ଭର ହୋଇପାରିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Show More

Related Articles

Back to top button