ଓଡ଼ିଶାପାଣିପାଗ

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ

ଗଭୀର ଅବପାତର ରୂପ ନେଇଛି ଲଘୁଚାପ । ମଙ୍ଗଳବାର ଅବପାତଟି ଉପକୂଳ ଓଡ଼ିଶା ଉପରେ ରହିଥିବାବେଳେ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିଛି । ଏହା ପ୍ରଭାବରେ ଆଜି ସକାଳୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି ।

ଆଜି ସକାଳୁ ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝରରେ ଭୀଷଣରୁ ଅତିଭୀଷଣ ବର୍ଷା ହୋଇଥିବା ବେଳେ ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସେହିପରି ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଉତ୍ତରପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ। ଏଣୁ ଆସନ୍ତା ୧୧ ତାରିଖ ଯାଏ ସମୁଦ୍ର ଭିତରକୁ ପ୍ରବେଶ ନିଷେଧ ।  ଅତିପ୍ରବଳ ବର୍ଷା ଯୋଗୁଁ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଓ ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ଆଦି ସମସ୍ୟା ଦେଖାଯାଇପାରେ। ଖାଲି ସେତିକି ନୁହେଁ, ରାଜ୍ୟର ଅନ୍ୟ କିଛି ଜିଲ୍ଲା ଯଥା, ନୂଆପଡ଼ା, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲା‌ରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

୧୧ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ ଓ ବିସ୍ତୃତି କମିବ। କିନ୍ତୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ୧୧ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭ‌ାବନା ରହିଛି। ସେହିଭଳି ୧୨ତାରିଖ ଦିନ ମଧ୍ୟ ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲାରେ ଭାରୀ ବର୍ଷାର ସମ୍ଭାବନା ରହିଛି। ୧୩ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ମାଲକାନଗିରି, କୋରାପୁଟ, ନୟାଗଡ଼, ଖୋର୍ଧା, ପୁରୀ, କଟକ, ବୌଦ୍ଧ, ବରଗଡ଼, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Show More

Related Articles

Back to top button