କରୋନା ଭାଇରସର ଅନ୍ୟ ଏକ ନୂଆ ରୂପ ନେଇ ଘୋଷଣା କଲା UK
ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ଲାଗିଲା କଟକଣା, ତେବେ ଆସନ୍ତୁ ପଢିବା ସମ୍ପୂର୍ଣ ଖବର-

କରୋନା ଭାଇରସ ମହାମାରୀ ବ୍ରିଟେନକୁ ଗୁରୁତର ପ୍ରଭାବିତ କରିଛି। ଦକ୍ଷିଣ-ପୂର୍ବ ବ୍ରିଟେନରେ କରୋନା ଭାଇରସର ନୂଆ ପ୍ରକାର ନେଇ ଘୋଷଣାର କିଛି ଦିନ ନ ଯାଉଣୁ ଆଉ ଏକ ଘାତକ ଷ୍ଟ୍ରେନ୍ ନେଇ ସ୍ୱାସ୍ଥ୍ୟ ସଚିବ ମେଟ୍ ହେନକକ୍ ଘୋଷଣା କରିବା ଦେଶବାସୀଙ୍କୁ ଆତଙ୍କିତ କରିଛି। ଏହି ଷ୍ଟ୍ରେନ୍ ନିକଟ ଅତୀତରେ ଦକ୍ଷିଣ ଆଫ୍ରିକାରୁ ବ୍ରିଟେନକୁ ଆସିଥିବା ହେନକକ୍ କହିଥିବା ବେଳେ ଏହା ମଧ୍ୟ କୋଭିଡର ଏକ ଅଧିକ ସଂକ୍ରାମକ ରୂପ ବୋଲି କହିଛନ୍ତି।ଏଣୁ ଗତ ୧୦ ଦିନରେ ଦକ୍ଷିଣ ଆଫ୍ରିକାରୁ ବ୍ରିଟେନ ଆସିଥିବା ଲୋକଙ୍କୁ ତୁରନ୍ତ ଆଇସୋଲେସନ ହେବାକୁ ହେନକକ୍ ନିବେଦନ କରିଥିବା ବେଳେ ସେଭଳି ଲୋକଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ମଧ୍ୟ ସତର୍କ ହେବାକୁ କହିଛନ୍ତି।
ଏହା ଛଡା ବ୍ରିଟେନ ଏବେ ଦକ୍ଷିଣ ଆଫ୍ରିକାକୁ ଯତ୍ରା କଟକଣା ଲାଗୁ କରିଥିବା ଜଣାପଡିଛି। ୟୁକେରେ ବ୍ୟାପୁଥିବା ନୂଆ ମାମଲାକୁ ଏବେ କ୍ୱାରେଣ୍ଟାଇନ କରାଯାଉଥିବାର ମଧ୍ୟ ହେନକକ୍ ସୂଚିତ କରିଛନ୍ତି।କରୋନାର ଏହି ଦୁଇଟି ନୂଆ ମ୍ୟୁଟେସନ ପୂର୍ବ ଭୂତାଣୁ ଅପେକ୍ଷା ଅଧିକ ସଂକ୍ରାମକ ହୋଇଥିବାରୁ ଦେଖୁ ଦେଖୁ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି। ତେବେ ଦୁଇ ନୂଆ ଷ୍ଟ୍ରେନ ଲୋକଙ୍କ ସ୍ୱାସ୍ଥ୍ୟକୁ କିପରି ପ୍ରଭାବିତ କରୁଛି ସେ ନେଇ ଏପର୍ଯ୍ୟନ୍ତ ଡାକ୍ତରୀ ପରୀକ୍ଷଣ ରିପୋର୍ଟ ଆସି ନାହିଁ।