ଓଡ଼ିଶାମୁଖ୍ୟ ଖବର

ତାତିରୁ ମିଳିବନି ତ୍ରାହି, ଆହୁରି ୩ ଦିନ ଲାଗିରହିବ ଗରମ

ରାଜ୍ୟରେ ବର୍ଷିବ ନିଆଁ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଜଳୁଛି ସାରା ଓଡ଼ିଶା । ଭୁବନେଶ୍ୱର ପୁଣି ଥରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରବିବାର ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍‌ ଥିଲା

ଅସହ୍ୟ ତାତିରେ ଛଟପଟ ହେଉଥିଲେ ରାଜ୍ୟବାସୀ । ଏହାବାଦ୍‌ ଆହୁରି ୧୬ଟି ସହର ତାପମାତ୍ରା ଥିଲା ୪୦ ଡିଗ୍ରୀ ଉପରେ ।ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏବେ ନିସ୍ତାର ମିଳିବନି । ଉପକୂଳ ଓଡ଼ିଶା ଆଉ ୪୮ ଘଣ୍ଟା ଗରମରେ ସନ୍ତୁଳି ହେବ । ଅନ୍ୟପକ୍ଷେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ଆସନ୍ତା ଦୁଇଦିନ ଭିତରେ । ରବିବାର ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ସକାଳୁ ଟାଏଁଟାଏଁ ଖରା ନାକେଦମ କରିଥିଲା । ୧୧ଟା ପରେ ସ୍ଥିତି ପୂରା ସାଂଘାତିକ ହୋଇଥିଲା । ଆକାଶରୁ ଯେମିତି ନିଆଁ ଝୁଲ ଖସୁଥିଲା । ସଟଡାଉନ ଯୋଗୁ ସହରାଞ୍ଚଳ ଲୋକେ ଘରେ ଥିଲେ ମଧ୍ୟ ଗରମରୁ ନିସ୍ତାର ମିଳିନଥିଲା । ଘର ଚଟାଣ, କାନ୍ଥ ଖରାରେ ତାତି ଟକଟକ ହୋଇ ଫୁଟୁଥିଲା ।

ଅନ୍ୟ ସହର ଭିତରେ ବୌଦ୍ଧ ୪୨.୫ ଡିଗ୍ରୀ, ଟିଟିଲାଗଡ଼ ୪୨, ବାରିପଦା ୪୨.୪, ଝାରସୁଗୁଡ଼ା ୪୧.୮, ସମ୍ବଲପୁର ୪୧.୫, ତାଳଚେର ୪୧.୧, ବଲାଙ୍ଗିର ୪୧.୨, ସୋନପୁର ୪୧, ନୟାଗଡ଼ ୪୧.୫, ସୋନପୁର ୪୧, ସୁନ୍ଦରଗଡ଼ ୪୧, ବାଲେଶ୍ୱର ୪୦.୯, କଟକ ୪୦.୮, ଅନୁଗୁଳ ୪୦.୯, ହୀରାକୁଦ ୪୦.୩, ଭବାନୀପାଟଣା ୪୦.୬, ମାଲକାନଗିରି ୪୦ ଡିଗ୍ରୀ ତାପମାତ୍ରାରେ ସିଝିଥିଲା ।

ପାଣିପାଗ ବିଭାଗର କହିବାନୁସାରେ,ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨-୩ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ତାହା ଅପରିବର୍ତ୍ତିତ ରହିବ । ଉପକୂଳ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସ୍ୱାଭାବିକ ତାପମାତ୍ରା ୪-୫ ଡିଗ୍ରୀ ଅଧିକ ରହିବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୋମବାର ସାମୁଦ୍ରିକ ପବନ ବହିବାର ସମ୍ଭାବନା କମ୍‌ । ତେଣୁ ସୋମବାର ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିପାରେ । ମଙ୍ଗଳବାର ପାରଦ ୪୦ରୁ କମିପାରେ । ବୁଧବାର ଏହା ୩୮ ଡିଗ୍ରୀରୁ କମି ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଉପକୂଳ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୨୯ରୁ ସର୍ବାଧିକ ତାପମାତ୍ରା କମିବ । ହେଲେ ପଶ୍ଚିମ ଓଡ଼ିଶାରେ ୨୯ ତାରିଖରେ କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିବ । ୩୦ ତାରିଖରୁ ସାମାନ୍ୟ କମିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ରହିପାରେ । ଏପ୍ରିଲ ୩୦ରୁ ରାଜ୍ୟରେ ସ୍ଥାନେ ସ୍ଥାନେ କାଳବୈଶାଖୀ ସମ୍ଭାବନା ଅଛି । ମେ’ ୨ ତାରିଖରୁ ୫ ତାରିଖ ମଧ୍ୟରେ ଏହାର ସମ୍ଭାବନା ଅଧିକ । ଉପକୂଳ ଜିଲ୍ଲାରେ ମେ’ ୩ ଓ ୪ ତାରିଖରେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Show More

Related Articles

Back to top button