ଓଡ଼ିଶାମୁଖ୍ୟ ଖବର

ଆସୁଛି ଲଘୁଚାପ, ୧୬ରୁ ବର୍ଷା

ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ୧୧ ଓ ୧୨ ତାରିଖ ଆଡକୁ ଟ୍ରପଲାଇନ୍‌ ପ୍ରଭାବରେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଆସନ୍ତା ୧୬ରୁ ଲଘୁଚାପ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଆସନ୍ତା ୧୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କିନ୍ତୁ ଏହାର ରୁପରେଖ ନେଇ ମଡେଲ୍‌ଗୁଡିକ ଭିତରେ ସହମତି ନାହିଁ । କିଛି ମଡେଲ୍‌ ଅନୁସାରେ ଏହା ୧୬ ବେଳକୁ ସଂଗଠିତ ହେବ । ଏହା ପୁରୀରୁ ଗୋପାଳପୁର ଭିତରେ ଅବସ୍ଥିତ ରହିବ । ଅନ୍ୟ ମଡେଲ ଅନୁସାରେ ଏହା ୧୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଆନ୍ଧ୍ର ଓ ତେଲେଙ୍ଗାନା ଆଡକୁ ଯିବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ସେ ଆକଳନ କରିଛନ୍ତି ଯେ, ଏହାର ପ୍ରଭାବରେ ଓଡ଼ିଶାରେ କମ ବର୍ଷା ହେବା ସହିତ ଆନ୍ଧ୍ରରେ ପ୍ରବଳ ବର୍ଷା ହେବ ।ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ବିଶେଷ କରି ଅବିଭକ୍ତ କୋରାପୁଟରେ ଅପେକ୍ଷାକୃତ ଅଧିକ ବର୍ଷା ହେବ । ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବ । ଯଦି ଦକ୍ଷିଣ ଓଡ଼ିଶା ଉପକୂଳ ସ୍ପର୍ଶ କରିବ, ତେବେ ଏହା ଘନୀଭୂତ ହେବାର ସମ୍ଭାବନା କମ । ତଥାପି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏହା ଦ୍ୱାରା ଅନେକ ସ୍ଥାନରେ ଧାନ ରୁଆ ଆଗେଇବ କିନ୍ତୁ ନିଅଣ୍ଟିଆ ବର୍ଷା ଭରଣା ହେବା ସମ୍ଭାବନା କମ ।

ଲଘୁଚାପ ବର୍ଷା ପୂର୍ବରୁ ରାଜ୍ୟକୁ ପଶ୍ଚିମା ବାୟୁ ସହିତ ଗରମ ରହୁଥିବାରୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ଚାଲୁ ରହିବ । ବିଶେଷ କରି ୧୩ରୁ ୧୫ ମଧ୍ୟରେ ଆର୍ଦ୍ର ସାମୁଦ୍ରିକ ପବନ ଯୋଗୁଁ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଧିକ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।ଅନୁରୁପ ଭାବେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ୧୦ରୁ ୧୨ ତାରିଖ ମଧ୍ୟରେ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୬ରୁ ଲଘୁଚାପ ହେବ ବୋଲି ସେ ମଧ୍ୟ ଆକଳନ କରିଛନ୍ତି ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ରବିବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ବାରିପଦାରେ ୪୫ ମିଲିମିଟର ବର୍ଷା, ବାଲେଶ୍ୱରରେ ୧୫ ମିଲିମିଟର, ଅନୁଗୁଳରେ ୩ ମିଲିମିଟର, ଚାନ୍ଦବାଲି ଓ ସୁନ୍ଦରଗଡ଼ରେ ୨ ମିଲିମିଟର ବର୍ଷା ହୋଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Show More

Related Articles

Back to top button