ବାଲ୍ୟ ବିବାହ ଓ ସ୍ୱାସ୍ଥ୍ୟ ସମସ୍ୟା
ଡାକ୍ତର କାନ୍ତୀ ନାୟକ (ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଅର୍ବାନ ସିଏଚ୍ସି, ସିଡ଼ିଏ, କଟକ,) ଆଜିର ସମୟରେ ଏକ ପ୍ରକାର ପୂର୍ବ ପ୍ରଥା କୁହାଯାଉଥବା ବାଲ୍ୟ ବିବାହ ମଧ୍ୟ ଗୋଟିଏ ଗୋଟିଏ ସ୍ଥାନରେ ଅନୁଷ୍ଠିତ ହେଉଛି । ବାଲ୍ୟ ବିବାହକୁ ନେଇ କେତେକ କ୍ଷେତ୍ରରେ ଝିଅଟି ପ୍ରଶାସନର ସାହାରା ନେଇ ନିଜ ଗୋଡରେ ପ୍ରଥମେ ଛିଡ଼ାହୋଇ ପରବର୍ତ୍ତୀ ସମୟରେ ବିବାହ ପରି ଏକ ମାଙ୍ଗଳିକ ବିଧି ବ୍ୟବସ୍ଥରେ ନିଜକୁ ସାମିଲ କରୁଛି
![](https://www.utkalprahari.com/wp-content/uploads/2021/01/child_marriage-780x450.jpg)
ଅନେକ ହୁଏତ ଜାଣିନାହାଁନ୍ତି ଯେ ସମଗ୍ର ପୃଥିବୀର ସର୍ବମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ହେଉଛନ୍ତି କିଶୋରୀ । ଏକ ପରିସଂଖ୍ୟନର ତଥ୍ୟ ଅନୁଯାୟୀ ଭାରତରେ ୧୦-୨୦ ବର୍ଷ ମଧ୍ୟରେ ପ୍ରାୟ ୧୯୦ ନିୟୁତ କିଶୋରୀ ବାସ କରନ୍ତି । ଦୁଃଖଦ ଚିତ୍ରର ସଙ୍କେତଟି ହେଉଛି ଏହା ଯେ, ସେମାନଙ୍କ ମଧ୍ୟରୁ ୨୦ ବର୍ଷ ତଳକୁ ପ୍ରାୟ ଶତକଡ଼ା ୨୦ରୁ ୬୦ ଭାଗ ଗର୍ଭଧାରଣ ଓ ପ୍ରସବ ହୋଇଥାଏ । ଭାରତରେ ପ୍ରତି ବର୍ଷ ୩୦ ଲକ୍ଷ କିଶୋରୀ କନ୍ୟା ବିବାହ କରିଥାନ୍ତି ଏବଂ ସେମାନଙ୍କ ଭିତରୁ ଶତକଡ଼ା ୪୩ ଭାଗ ମୃତୁ୍ୟ ଗର୍ଭ ଯନ୍ତ୍ରଣା ଓ ଅସମୟରେ ସନ୍ତାନ ପ୍ରସବଜନିତ କାରଣରୁ ହୋଇଥାଏ ।
କିଶୋରୀ ଝିଅ ମାନଙ୍କର ଅବୈଧ ଗର୍ଭଧାରଣ ହେଲେ, ସେମାନେ ନିକଟସ୍ଥ ଏମ.ଟି.ପି. କେନ୍ଦ୍ରକୁ ନ ଯାଇ ଗାଁ ଗହଳିରେ ଅଣତାଲିମ ପ୍ରାପ୍ତ କ୍ୱାକ୍ ଠାରୁ ତୁଟୁକା ତୁଟୁକି ଚେରମୂଳି ଔଷଧ ଖାଇ ବିଷାକ୍ତ ଗର୍ଭପାତ ପରେ ସେପ୍ଟିକ ଆବୋରସନ୍ର ଶିକାର ହୁଅନ୍ତି । ଏହି ନକଲି ଡାକ୍ତରମାନେ ହଜାର ହଜାର ସଂଖ୍ୟାର କିଶୋାରୀ ମାନଙ୍କ ଜୀବନକୁ କ୍ଷତାକ୍ତ ଓ ଯନ୍ତ୍ରଣାଦାୟକ କରିବାରେ ସହାୟକ ପାଲଟିଥାନ୍ତି । ଅନେକ ମୃତୁ୍ୟମୁଖରେ ପଡ଼ିଥାନ୍ତି ତ ଆଉ କେତେକ ଆଜୀବନ ନିଜର ଜରାୟୁ ହରାଇଥାନ୍ତି । କେତେଜଣଙ୍କର ମଧ୍ୟ ବନ୍ଧ୍ୟାଦୋଷ, ବାରମ୍ବାର ଗର୍ଭପାତ ଓ ଅପରିଣତ ପ୍ରସବ ହୋଇଥାଏ । ତେବେ ଏହା ହିଁ ସବୁଠାରୁ ଅଭାବନୀୟ ଘଟଣା । ଏହି ସମୟରେ ଝିଅଟି ତା ଶରୀରର ପ୍ରତିପୋଷଣ ଓ ପରିବର୍ଦ୍ଧନ ପାଇଁ ସୁଷମ ଖାଦ୍ୟ ଆବଶ୍ୟକ ହେଉଥିବା ବେଳେ ପିଲାଟି ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟର ଦରକାର ହୋଇଥାଏ । ଏହି ସମୟରେ ଝିଅଟିର ଶରୀରର ବର୍ଦ୍ଧନ ପାଇଁ ସୁଷମ ଖାଦ୍ୟ ଦରକାର ହେଉଥିବାବେଳେ ଶିଶୁଟି ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଆବଶ୍ୟକ ହୋଇଥାଏ । ଯାହାକି ରକ୍ତହୀନତା ରୋଗର ସୃଷ୍ଟି କରିଥାଏ । ପ୍ରସବ କଷ୍ଟସାଧ୍ୟ ହୋଇଥାଏ । ସିଜରିଆନ୍ କରାଯାଏ ।
ଫଳରେ ଅଳ୍ପ ଓଜନର ଶିଶୁ ହୁଏ । ତେଣୁ ଶିଶୁ ମୃତୁ୍ୟହାର ଅନେକାଂଶରେ ବଢ଼ିଯାଏ । ଏଠାରେ ସୂଚାଇ ଦେଉଛି କି ଯେ, ଜଣେ ବିବାହିତା କିଶୋରୀ ଗର୍ଭାବସ୍ଥା ଓ ପ୍ରସବକୁ ଆନନ୍ଦର ସହ ଗ୍ରହଣ କରୁଥିବା ସମୟରେ ବାଲ୍ୟ ବିବାହ କରିଥିବା ଝିଅଟିଏ ପାଇଁ ଏହା ମାନସିକ ଦୁଶ୍ଚିନ୍ତାର କାରଣ ହୋଇଯାଏ । ନିଜ ଜୀବନର କଷ୍ଟଦାୟକ ମୁହୂର୍ତ୍ତକୁ ସାମ୍ନା କରୁଥିବାବେଳେ ସେ ଆନନ୍ଦ, କ୍ରୋଧ, ମାନସିକ ଅବସାଦ ଦେଇ ଗତିକରେ । ଏକ ଗୁରୁ୍ତ୍ୱପୂର୍ଣ୍ଣ ସୂଚନା ମନେ ରଖନ୍ତୁ ଜଣେ ଗର୍ଭବତୀ ହେବାପରେ ନିଜର ପରିଚିତ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ହୁଅନ୍ତୁ ବା ସରକାରୀ ଡାକ୍ତରଖାନା ସେଠାରେ ନିୟମିତ ବ୍ୟବଧାନରେ ବିଶେଷଜ୍ଞ ଡାକ୍ତରଙ୍କ ସହଯୋଗରେ ଗର୍ଭାବସ୍ଥାରେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା, ରକ୍ତଚାପ ଆଦି ପରୀକ୍ଷା କରାଇନେବା ଜରୁରୀ । ଏହାଛଡ଼ା ସୁଷମଖାଦ୍ୟ ଓ ଆଇରନ, କ୍ୟାଲସିୟମ ଖାଇବା ପାଇଁ ପରାମର୍ଶ ଦେବା ଉଚିତ ।
ଏକ ଦୁଃଖଦ ଘଟଣାକ୍ରମଟି ହେଉଛି ଏୟା ଯେ, କମ୍ ବୟସରେ ପହଞ୍ଚôଥିବା କିଶୋରୀଟି ନିଜ ଜୀବନ ଓ ଦୁନିଆକୁ କିଛି ବୁଝିବା ପୂର୍ବରୁ ହିଁ ସେ ଅସମୟରେ ଗର୍ଭବତୀ ହୋଇ ଯେଉଁ ସନ୍ତାନଟିକୁ ଜନ୍ମ ଦେଇଥାଏ । ଏହି କମ୍ ବୟସରୁ ମା’ ବନିଥିବା ଅଳ୍ପ ବୟସର ଗର୍ଭବତୀଙ୍କ ପ୍ରସବ ସମୟରେ ଅନେକ ଜଟିଳତା ଦେଖାଦିଏ । କେତେକ କ୍ଷେତ୍ରରେ ପ୍ରସୂତୀଟି ନିଜ ପିଲାଟିକୁ ଜନ୍ମ ଦେବା ପରେ ଦେହରୁ ଅଧିକ ରକ୍ତକ୍ଷରଣ ହୋଇଥାଏ ଓ କେତେକ କ୍ଷେତ୍ରରେ ମଧ୍ୟ ଏହା ସେପ୍ସିସ୍ର ଭୟ ରହିଥାଏ । ଏହାଛଡ଼ା ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ମା’ଟିକୁ ଉପଯୁକ୍ତ ପରାମର୍ଶ ଦେବା ଜରୁରୀ । ପ୍ରସବ ପରେ ପୁଣିଥରେ ଗର୍ଭଧାରଣ ନକରିବା ପାଇଁ ଝିଅଟିକୁ ପରିବାର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେବା ଉଚିତ । ଆଜିର କ୍ରାନ୍ତିକାରୀ ସ୍ୱାସ୍ଥ୍ୟ ବିଜ୍ଞାନର ଯୁଗରେ କମ ବୟସରେ ମା’ହେଉଥିବା କିଶୋରୀଟି ପାଇଁ ତା ଦୁନିଆଟି ଯେ କେତେ ଦୁଃଖଦ ପାଲଟି ଯାଏ ତାହା ମଧ୍ୟ ଏକ ବହୁତ ବଡ଼ ଘଟଣାର ଆହ୍ୱାନ!!
ଓଡ଼ିଶା ସରକାର ସ୍ତ୍ରୀ ଓ ପ୍ରସୂତୀରୋଗ କ୍ଷେତ୍ରରେ ଅନେକ ପ୍ରୋତ୍ସାହନ ଓ ସହାୟତା ଦେଉଛନ୍ତି । ଜଣେ ମହିଳା ବା କିଶୋରୀ ଗର୍ଭବତୀ ହେବା ସମୟରୁ ହିଁ ସେମାନେ କିପରି ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଇବେ, ସେମାନଙ୍କ ଭିତରେ କିପରି ସଚେତନତା ବଢ଼ିବ ଏବଂ ସେହିମାନେ ହିଁ ଆଜିର ଯୁଗରେ କୁସଂସ୍କାରକୁ ଦୂରେଇ ପାରିବାରେ ମଧ୍ୟ ସାମର୍ଥ୍ୟ ରଖିବେ । ସରକାରଙ୍କ ସମସ୍ତ ଡାକ୍ତରଖାନା ପିଏସ୍ସି ହେଉ ବା ସିଏସ୍ସି, ଜିଲ୍ଲାସ୍ତରୀୟ ଡାକ୍ତରଖାନା ହେଉ ବା ବଡ଼ମେଡ଼ିକାଲ ସବୁଠି ବିନା ମୂଲ୍ୟରେ ଚିକିତ୍ସା, ପରାମର୍ଶ ଓ ସହାୟତା ଗ୍ରହଣ କରନ୍ତୁ । କୌଣସି କାନକୁହା କଥା ଶୁଣି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଓଡ଼ିଶାର କିଛି ସୀମାନ୍ତ ଓ ଜଳଭଣ୍ଡାର କ୍ଷେତ୍ରର ସ୍ଥାନୀୟ ମହିଳା ମାନଙ୍କ ପାଖକୁ କିପରି ସରକାରଙ୍କ ସ୍ୱାସ୍ଥ୍ୟ ଓ ପ୍ରସୂତୀର ସହାୟତା ମିଳିପାରିବ ସରକାର ସେ ଦାୟିତ୍ୱ ମଧ୍ୟ ହାତକୁ ନେଇଛନ୍ତି । ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଓ ବୋଟ ଆମ୍ବୁଲାନ୍ସର ସୁଯୋଗ ମଧ୍ୟ ସରକାର ରାଜ୍ୟବାସୀଙ୍କୁ ଯୋଗାଇ ଦେଇଛନ୍ତି ।