ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଓସିଏ ସଭାପତି ପଦ ପାଇଁ ମନୋନୀତ ହେଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ଉପରେ ସିଧାସଳଖ କବଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦ ପାଇଁ ସର୍ବସମ୍ମତ ପ୍ରାର୍ଥୀ ଭାବେ ଆଜି ମନୋନୀତ ହେବା ପରେ ଓସିଏ ଏଣିକି ବିଜେଡିର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଣବ ପ୍ରକାଶ ଦାସ ନିକଟରେ ଯାଜପୁର ଜିଲ୍ଲା ଆସୋସିଏସନରୁ ଓସିଏକୁ ପ୍ରତିନିଧିତ୍ୱ କରିଥିଲେ । ସୂଚନା ଅନୁସାରେ, ପୁରୀରେ ଆଜି ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓସିଏର ବିଭିନ୍ନ ଜିଲ୍ଲା ପ୍ରତିନିଧିମାନେ ସାମିଲ ହୋଇଥିଲେ । ପ୍ରଣବ ପ୍ରକାଶଙ୍କ ନାଁ ଓସିଏ ସଭାପତି ପଦ ନିମନ୍ତେ ଯାଜପୁର ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସେଠାରେ ଥିବା ଅନ୍ୟ ସଂଘର ସଦସ୍ୟମାନେ ଏହାକୁ ସମର୍ଥନ କରିଛନ୍ତି। ସେହିପରି ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପଦ ନିମନ୍ତେ ଓ ସଞ୍ଜୟ ବେହେରା ସମ୍ପାଦକ ପଦ ପାଇଁ ପ୍ରାର୍ଥୀ ହେବେ । ଅନ୍ୟ ୩ଟି ପଦ ଯଥା- ଯୁଗ୍ମ ସମ୍ପାଦକ,କୋଷାଧ୍ୟକ୍ଷ ଓ ସଦସ୍ୟ ପଦବୀ ନିମନ୍ତେ ପ୍ରାର୍ଥୀଙ୍କ ନାମ ଚୟନ ଚୂଡ଼ାନ୍ତ କାର୍ଯ୍ୟ ଆଶୀର୍ବାଦ ବେହେରାଙ୍କ ଉପରେ ନ୍ୟସ୍ତ ହୋଇଛି । ଆସନ୍ତା ୨୧ତାରିଖରେ ନାମାଙ୍କନ ପତ୍ର ଦାଖଲ ଓ ୨୮ତାରିଖରେ ଓସିଏର ସାଂଗଠନିକ ନିର୍ବାଚନ ହେବ ଓ ସେହିଦିନ ଫଳାଫଳ ଘୋଷଣା ହେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଓସିଏ ପକ୍ଷରୁ ୭୩ ସଦସ୍ୟ ବିଶିଷ୍ଟ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ ଯାଜପୁର ଜିଲ୍ଲାରୁ ପ୍ରଣବ ପ୍ରକାଶ ଦାସ ପ୍ରତିନିଧିତ୍ୱ କରୁଥିବା ସାମିଲ ଥିଲା । ଓସିଏ ସୂତ୍ର ଅନୁସାରେ ପ୍ରଣବ ପ୍ରକାଶଙ୍କ ବିରୁଦ୍ଧରେ କେହି ପ୍ରାର୍ଥୀ ନଥିବାରୁ ତାଙ୍କର ଜିତିବା ସମ୍ଭାବନା ଅଧିକ । ବିଜେଡି ନେତା ଦିଲ୍ଲୀପ ତିର୍କୀ ଏବେ ହକି ଇଣ୍ଡିଆ ସଭାପତି ଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓସିଏ ସଭାପତି ଦାୟିତ୍ୱ ତୁଲାଇବେ । ଓଡ଼ିଶାର ସବୁଠୁ ଧନୀ କ୍ରୀଡ଼ା ସଂଘ ଭାବେ ଓସିଏ ପରିଚିତ ।

Show More

Related Articles

Back to top button