ବାଣିଜ୍ୟ

LICର ବଡ ଘୋଷଣା

ଏବେ ଦେଶର କୌଣସି ବି ଶାଖାରେ ଜମା କରି ପାରିବେ ମେଚ୍ୟୁରିଟି ଡକ୍ୟୁମେଣ୍ଟ, ଜାଣନ୍ତୁ କ’ଣ କରିବାକୁ ପଡିବ ?

ଦେଶର ସବୁଠୁ ବଡ ସରକାରୀ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ନିଜ ଗ୍ରାହକଙ୍କୁ ବଡ ଆଶ୍ଵସ୍ତି ଦେଇଛି। ଏବେ ଗ୍ରାହକ ଏଲଆଇସିର ମେଚ୍ୟୁରିଟି ପଲିସି ପେମେଣ୍ଟ ପାଇଁ କାଗଜପତ୍ର ଦେଶର କୌଣସି ବି ଶାଖାରେ ଜମା କରି ପାରିବେ । କିନ୍ତୁ ମେଚ୍ୟୁରିଟି ଦାବିର ପ୍ରକ୍ରିୟା ମୂଳ ଶାଖାରେ କରାଯାଇ ପାରିବ। ଶୁକ୍ରବାର ଟ୍ଵିଟ୍ କରି ଏଲଆଇସି ଏହି ସୂଚନା ଦେଇଛି।ଏଲଆଇସି କହିଛି, ପଲିସିଧାରୀ ପଲିସିର ମେଚ୍ୟୁରିଟି ଉପରେ ଦାବି କରିବାର ଦସ୍ତାବିଜ ସମଗ୍ର ଦେଶରେ ନିଜର ନିକଟତମ କୌଣସି ବି ଏଲଆଇସି ଅଫିସ୍‌ରେ ମାସ ଶେଷ ସୁଦ୍ଧା ଜମା କରି ପାରିବେ। ଏଲଆଇସିର ଏହି ଘୋଷଣା ପରେ ସେହି ପଲିସିଧାରୀଙ୍କୁ ବଡ ଆଶ୍ଵସ୍ତି ମିଳିବ, ଯାହାଙ୍କ ପଲିସି ମେଚ୍ୟୁରିଟି ହୋଇ ସାରିଛି। କିନ୍ତୁ ମେଚ୍ୟୁରିଟି ଦାବି ଉପରେ ସମସ୍ତ ପ୍ରକ୍ରିୟା ମୂଳ ଶାଖାକୁ ସ୍ଥାନାନ୍ତର ହୋଇଯିବ।

ଏଲଆଇସିର ସମଗ୍ର ଦେଶରେ ୧୧୩ ଡିଭିଜନଲ ଅଫିସ୍, ୨,୦୪୮ ଶାଖା ଓ ୧୫୨୬ ଛୋଟ କାର୍ଯ୍ୟାଳୟ ରହିଛି। ଏହା ବ୍ୟତୀତ ଏହାର ୭୪ଟି କଷ୍ଟମର ଜୋନ୍ ରହିଛି। ଏଠାରେ ପଲିସିଧାରୀଙ୍କଠୁ ସେମାନଙ୍କର ପଲିସିର ମେଚ୍ୟୁରିଟି ସମ୍ବନ୍ଧିତ ଫର୍ମ ସ୍ଵୀକାର କରାଯିବ। ଗ୍ରାହକ କୌଣସି ବି ଶାଖାରେ ପଲିସିର ମେଚ୍ୟୁରିଟି ହେବା ପରେ ଦାବି ପତ୍ର ଜମା କରି ପାରିବେ।ଏଲଆଇସିର କହିବାନୁଯାୟୀ, ଏହି ସୁବିଧା ବର୍ତ୍ତମାନ ପରୀକ୍ଷଣ ଭାବେ ଆରମ୍ଭ କରାଯାଇଛି ଏବଂ ତୁରନ୍ତ ଏହାକୁ ଲାଗୁ କରାଯାଇଛି। ଏହି ସୁବିଧା ମାର୍ଚ୍ଚ ୩୧ରେ ସମାପ୍ତ ହେବ। ଉଲ୍ଲେଖଯୋଗ୍ୟ, ଏଲଆଇସିରେ ବର୍ତ୍ତମାନ ୨୯ କୋଟିରୁ ଅଧିକ ପଲିସିଧାରୀ ଅଛନ୍ତି।

Show More

Related Articles

Back to top button