ଓଡ଼ିଶାପାଣିପାଗମୁଖ୍ୟ ଖବର

ବଙ୍ଗୋପସାଗରରେ ଲଘୁଚାପ

ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା

ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ନିର୍ଘାତ ବର୍ଷା ହେବ । ୧୦ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷିବ । ରବିବାର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇପାରେ । ରାସ୍ତା ଧୋଇଯିବା ହେବା ସହ କଚ୍ଚା ଘର ଭାଙ୍ଗି ଯାଇପାରେ ବୋଲି ବିଭାଗ ଆଶଙ୍କା କରିଛି । କିଛି ସ୍ଥାନରେ ଭୂସ୍ଖଳନର ମଧ୍ୟ ଆଶଙ୍କା ଥିବା ନେଇ ସତର୍କ କରାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ୱେଲ ମାର୍କେଡ୍‌ ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ସୋମବାର ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ପୂର୍ବରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇ ସାରିଥିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ଆକଳନ ସଂସ୍ଥା ଆକ୍ୟୁ ୱେଦରର ବରିଷ୍ଠ ବୈଜ୍ଞାନିକ ଜେସନ ନିକୋଲସ୍‌ ଆକଳନ କରିଛନ୍ତି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ରବିବାର ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ଗଞ୍ଜାମ, ପୁରୀ ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ସୋନପୁର, ଖୋର୍ଦ୍ଧା, ନୟାଗଡ଼, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋମବାର ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ପୁରୀ, ଗଞ୍ଜାମ ଓ ଜଗତସିଂହପୁରର କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ । ସୋମବାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହେବ ବୋଲି ମଧ୍ୟ ବିଭାଗ ପୂର୍ବାନୁମାନ କରିଛି ।

୯ ତାରିଖ ବା ମଙ୍ଗଳବାର ମଧ୍ୟ ଅତି ପ୍ରବଳ ବର୍ଷା ଜାରି ରହିବ । ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ଢାଳିବ । ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ବରଗଡ଼, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବ ବୋଲି ପୁର୍ବାନୁମାନ କରାଯାଇଛି ।

୧୦ ତାରିଖରେ ବି ଭାରି ବର୍ଷା ଜାରି ରହିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ । ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ଶନିବାର ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଭାରି ବର୍ଷା ଯୋଗୁ ରାଜଧାନୀ ସମେତ ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରକ, ବାରିପଦା, ସୋନପୁର, ନୟାଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀର ଇସ୍କନ ମନ୍ଦିର ସମ୍ମୁଖରେ ଅଣ୍ଟାଏ ଉଚ୍ଚାର ପାଣି ସୁଅ ଚାଲିଛି । ପୁରୀ ବଡ଼ଦାଣ୍ଡରେ ବି ପ୍ରବଳ ବେଗରେ ପାଣିର ସ୍ରୋତ ଚାଲିଥିଲା । ଖୋର୍ଦ୍ଧା ଟାଉନ୍‌ ଓ ଜଟଣୀ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା ।ପୁରୀରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ହୋଇଛି । ସୋନପୁରରେ ୯୯, ଚାନ୍ଦବାଲିରେ ୫୩.୬, ଖୋର୍ଦ୍ଧାରେ ୪୦, ବାରିପଦାରେ ୩୬, ନୟାଗଡ଼ରେ ୩୫, ଢେଙ୍କାନାଳରେ ୩୪.୨, ଭୁବନେଶ୍ୱରରେ ୩୬.୬ ଓ ଭଦ୍ରକରେ ୩୩ ମିମି ବର୍ଷା ହୋଇଛି ।

Show More

Related Articles

Back to top button