Breaking PLUSଖେଳ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: ପାକିସ୍ତାନକୁ ୩-୧ ରେ ପରାସ୍ତ କଲା ଭାରତ

ଭାରତୀୟ ହକି ଦଳ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୩-୧ ରେ ପରାସ୍ତ କରିଛି । ଭାରତ ପାଇଁ ହରମାନପ୍ରୀତ ୨ ଏବଂ ଆକାଶଦୀପ ସିଂ ୧ ଟି ଗୋଲ ସ୍କୋର କରିଥିଲେ । ଏହି ବିଜୟ ସହିତ ଭାରତ ବର୍ତ୍ତମାନ ୩ ଟି ମ୍ୟାଚରୁ ୭ ପଏଣ୍ଟ ପାଇଛି ।

ପ୍ରଥମ କ୍ୱାର୍ଟରରେ ଭାରତ ପାଇଁ ହରମାନପ୍ରୀତ ସିଂ ପ୍ରଥମ ଗୋଲ ସ୍କୋର କରିଥିଲେ ।

ପେନାଲ୍ଟି କର୍ଣ୍ଣରରେ ଗୋଲ ସ୍କୋର କରି ହରମାନପ୍ରୀତ ଭାରତୀୟ ଦଳକୁ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳର ଫରୱାର୍ଡମାନେ ପାକିସ୍ତାନୀ ପୋଷ୍ଟ ଉପରେ ଆକ୍ରମଣ ଜାରି ରଖିଥିଲେ । ତେବେ ପାକିସ୍ତାନୀ ଗୋଲକିପର ଅଲି ଅମଜାଦ ଚମତ୍କାର ରକ୍ଷା କରୁଥିବାବେଳେ ଭାରତୀୟ ଦଳର ଅଗ୍ରଣୀକୁ ଦ୍ୱିଗୁଣିତ କରିବାକୁ ଦେଇନଥିଲେ ।

ତୃତୀୟ କ୍ୱାର୍ଟରରେ ଆକାଶଦୀପ ସିଂ ଟିମ୍ ଇଣ୍ଡିଆର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ୪୧ ତମ ମିନିଟରେ ଏହି ଗୋଲର ମାତ୍ର ୨ ମିନିଟ ପରେ ପାକିସ୍ତାନର ଜୁନାଦ ମଞ୍ଜୁର ଏକ ଗୋଲ ସ୍କୋର କରି ମ୍ୟାଚକୁ ପୁଣି ରୋମାଞ୍ଚକର କରିଥିଲେ । ତେବେ ଚତୁର୍ଥ କ୍ୱାର୍ଟରରେ ହରମାନପ୍ରୀତ ଅନ୍ୟ ଏକ ପେନାଲ୍ଟି କର୍ଣ୍ଣରକୁ ରୂପାନ୍ତର କରି ଟିମ୍ ଇଣ୍ଡିଆର ଅଗ୍ରଣୀକୁ ୩-୧ ରେ ପରିଣତ କରିଥିଲେ । ଅନ୍ତିମ କ୍ୱାର୍ଟରରେ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ ଏହି ଅଗ୍ରଣୀ ବଜାୟ ରଖିଥିଲେ । ପାକିସ୍ତାନ ଉପରେ ଏହି ବିଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ନେଇ ନିଶ୍ଚିତ ହୋଇଛି ।

ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍ କୋରିଆ ବିପକ୍ଷରେ ୨-୨ ଡ୍ର ରହିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଆୟୋଜକ ବାଂଲାଦେଶକୁ ୯-୦ ରେ ପରାସ୍ତ କରିଥିଲା ।

Show More

Related Articles

Back to top button