ଓଡ଼ିଆ ଗଳ୍ପଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ସକଳ ଗୁଣନିଧାନ ପ୍ରଭୁ ଶ୍ରୀରାମ

ପ୍ରଭୁ ଶ୍ରୀରାମ

ନୂଆ ସମ୍ବତ୍ସରର ଶୁଭାରମ୍ଭ ସହିତ ନବରାତ୍ରୀ ଆରମ୍ଭ ହୋଇଥିଲା ! ଲୋକେ ଉପବାସ ରହି କେହି କେହି ଦିନରେ ଥରେ ଭୋଜନ କରି ବିଶେଷ ମନ୍ତ୍ର ଜପକରି ନବରାତ୍ରୀ ପାଳନ କଲେ ! ମନ୍ଦିରରେ ଦେବୀଙ୍କର ବିଶେଷ ପୂଜା ଅର୍ଚ୍ଚନା ହେଲା ! ଆଜି ନବରାତ୍ରିର ନବମ ଦିନ ! ଅର୍ଥାତ ଆଜି ରାମ ନବମୀ ! ଆଜି ଭଗବାନ ରାମଙ୍କର ଜନ୍ମ ଦିନ ! ତ୍ରେତୟା ଯୁଗରେ ଭଗବାନଙ୍କର ରାମ ରୂପରେ ଅବତାର ହୋଇଥିଲା ! କେବଳ ଭାରତରେ ନୁହେଁ ସମ୍ପୂର୍ଣ୍ଣ ବିଶ୍ୱରେ ଶ୍ରୀରାମ ଅବତାରକୁ ଭଗବାନଙ୍କ ପ୍ରକଟୀକରଣ ବୋଲି କୁହାଯାଏ !
ବିଶ୍ୱରେ ଭଗବାନ ଅବତାର ବ୍ୟତୀତ କେଉଁଠି ପୁତ୍ର ରୂପେ, କେଉଁଠି ଦୂତ ରୂପେ ଆସିଛନ୍ତି, କିନ୍ତୁ ଭାରତ ଏପରି ଏକ ଦେଶ ଯେଉଁଠି ଭଗବାନ ସ୍ୱୟଂ ରାମ ଓ କୃଷ୍ଣ ରୂପେ ଅବତରିତ ହୋଇ ପୃଥିବୀର ଭାର ଲାଘବ କରିଛନ୍ତି ! କଣ ପାଇଁ ତାଙ୍କର ଭାରତ ପ୍ରତି ଏତେ ପ୍ରେମ ??? କାରଣ ଭାରତକୁ ସେ ସେହିପରି ଗଢ଼ିଛନ୍ତି !ପରମାତ୍ମା ଯେବେ ଲୀଳା କରିବାକୁ ଚାହାନ୍ତି, ଜ୍ଞାନ ପ୍ରଦାନ କରିବାକୁ ଚାହାନ୍ତି, ମୂଲ୍ୟବୋଧର ପୁନଃ ପ୍ରତିଷ୍ଠା ଚାହାନ୍ତି କିମ୍ବା ଦୁଷ୍ଟ ଦଳନ କରିବାକୁ ଚାହାନ୍ତି ତେବେ ସେ ଏହି ଭାରତ ଭୂମିକୁ ଆସନ୍ତି !
ସେହି ପରମାତ୍ମା ଏଇ ଭୂମିକୁ ସ୍ୱର୍ଗରୁ ଗଙ୍ଗା ଓ ଯମୁନାକୁ ନେଇ ଆସିଛନ୍ତି ! ଦେବତାତ୍ମା ହିମାଳୟର ସୃଜନ କରିଛନ୍ତି ! ଏଠାରେ ସେ ନିଜକୁ ଅନେକ ରୂପରେ ପ୍ରକଟ କରିଛନ୍ତି ! ଏଥିପାଇଁ ବଦ୍ରୀ କେଦାରଠାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ଶ୍ରେଷ୍ଠ ପୂଜନୀୟ ତୀର୍ଥର ଜାଲ ବିଛେଇ ହୋଇଯାଇଛି ! ଏଥିପାଇଁ ଆମେ ଗୀତ ଗାଉଛନ୍ତି –
“ମୋ ଭାରତ ସମ ଦେଶ
ଆଉ କାହିଁ ନାହିଁ
ଆଉ କେଉଁ ଦେଶେ
ବହେନି ଗଙ୍ଗା
ବହେନା ଯମୁନା ନଈ…”
ଆଉ କେଉଁଠି ଗଙ୍ଗା ନଦୀ ଭଳି ପାପ ନାଶିନୀ, ମୁକ୍ତି ପ୍ରଦାୟିନୀ ନଦୀ ବହୁ ନାହାନ୍ତି !
ଗଙ୍ଗା ତଟରେ କେତେ ସାଧୁ ସନ୍ଥଙ୍କର ଆଶ୍ରମ ବିଦ୍ୟମାନ ! ହିମାଳୟରେ ଆଜି ବି ଏପରି ଶ୍ରେଷ୍ଠ ତପସ୍ୱୀ ଅଛନ୍ତି, ଯାହାଙ୍କୁ ଦର୍ଶନ କରିବା, ଯାହାଙ୍କୁ ବୁଝିବା ଅତି ଦୁର୍ଲ୍ଲଭ ! ଭଗବାନ ସ୍ୱୟଂ ଏଇ ଭୂମିର ରଚନା କରିଛନ୍ତି କାରଣ ଏଇଠି ସେ ନିଜର ଲୀଳା କରିପାରିବେ !
ସେହି ଲୀଳାବିହାରି ଅନେକ ବିଶେଷତାକୁ ନେଇ ଏଇ ପାବନ ଭାରତ ଭୂମିରେ ଅବତରିତ ହୁଅନ୍ତି ! ବିଦ୍ୱାନଜନ ମାନେ କୁହନ୍ତି ଭଗବାନ ଶ୍ରୀରାମଙ୍କ ଭିତରେ ଅନେକ ଦେବତାଙ୍କ ପ୍ରକାଶ ଥିଲା ! ଇନ୍ଦ୍ରଙ୍କ ଅଂଶ ଥିବାରୁ ତାଙ୍କ ଭିତରେ ପ୍ରଭୁତ୍ୱ କରିବାର ଶକ୍ତି ଥିଲା ! କୁବେରଙ୍କ ଅଂଶ ଥିବାରୁ ସେ ବୈଭବ ନିର୍ମାଣ କରିପାରିଥିଲେ, ବରୁଣଙ୍କ ଅଂଶ ଥିବାରୁ ସେ ଦାନୀ ହୋଇପାରିଲେ, ଚନ୍ଦ୍ରଙ୍କ ପ୍ରଭାବରୁ ପ୍ରଜାଙ୍କୁ ସୁଖୀ ରଖିବାର ଯୋଗ୍ୟତା ତାଙ୍କ ପାଖରେ ଥିଲା, ସୂର୍ଯ୍ୟଙ୍କ ଅଂଶ ଥିବାରୁ ତାଙ୍କର ଜ୍ଞାନ ଅତି ପ୍ରଖର ଥିଲା, ଯମଙ୍କ ଅଂଶ ଥିବାରୁ ସେ ନ୍ୟାୟପରାୟଣ ଥିଲେ, ଅଗ୍ନିଙ୍କ ଅଂଶରୁ ସେ ପବିତ୍ର ଥିଲେ, ପବନର ଅଂଶ ଥିବାରୁ ତାଙ୍କର ଗୁପ୍ତଚର ବିଭାଗ ବହୁତ ସୁଦୃଢ଼ ଥିଲା ! ଏ ସମସ୍ତ ଗୁଣ ଶ୍ରୀରାମଙ୍କ ପାଖରେ ସ୍ୱାଭାବିକ ଥିଲା କାରଣ ସେ ଥିଲେ ସର୍ବଶକ୍ତିମାନ; କିନ୍ତୁ ଯେହେତୁ ସେ ମାନବ ଦେହ ଧାରଣ କରିଥିଲେ, ସେଥିପାଇଁ ସେ ମାନବ ଦ୍ୱାରା ଯେତିକି ସମ୍ଭବ ସେତିକି କାର୍ଯ୍ୟ କରିଗଲେ !
ସେ ଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ! ତାଙ୍କୁ ସବୁ ଆଦର୍ଶର ଗନ୍ତାଘର କହିଲେ କିଛି ଅତିଶୟୋକ୍ତି ହେବ ନାହିଁ ! ତାଙ୍କ ଚରିତ୍ରରୁ ମନୁଷ୍ୟ ସତ୍ ଶିକ୍ଷା ପ୍ରାପ୍ତ କରିପାରିବ ! ସେ କେବେବି ମର୍ଯ୍ୟାଦାର ଉଲଂଘନ କରି ନାହାନ୍ତି ! ବାପାଙ୍କ ବନବାସ ଆଦେଶକୁ ସେ ଯେମିତି ସ୍ୱୀକାର କଲେ, ଆଜିର ଦିନରେ ତୁଳନା କଲେ ସେମିତି କିଏ ମିଳିବା ଅସମ୍ଭବ !
ଚିତ୍ରକୁଟରେ ଭରତ, ବଶିଷ୍ଠ ଋଷି, ଜାବାଳୀ ଋଷି ସମସ୍ତେ ତାଙ୍କୁ ଅଯୋଧ୍ୟା ଫେରିଯିବାକୁ ଆଗ୍ରହ କରିଛନ୍ତି, କିନ୍ତୁ ସେ ସବୁ ଆଗ୍ରହକୁ ଆଡ଼େଇ ଦେଇ କହିଲେ ମୁଁ ଚଉଦ ବର୍ଷ ବନବାସ ପୂର୍ଣ୍ଣ କରି ହିଁ ଫେରିବି ! ସେ ଭରତଙ୍କୁ କହିଲେ, “ତୁ ମୋତେ ରାଜ୍ୟ ଚଳାଇବା ପାଇଁ କହୁଛୁ, କିନ୍ତୁ ଯେଉଁ ରାଜା ସତ୍ୟନିଷ୍ଠ ନୁହେଁ ସେ କି ରାଜ୍ୟ ଚଳାଇବ ??? ରାଜ୍ୟ ସତ୍ୟ ଉପରେ ହିଁ ପ୍ରତିଷ୍ଠିତ ହୋଇଥାଏ !”
ଯଦି ପ୍ରଜା ଦୁଃଖୀ ହୁଏ, ସେ ଭାର ମଧ୍ୟ ରାଜା ଉପରେ ଆସେ ବୋଲି ସେ କହୁଥିଲେ ! ଏହା ହିଁ ରାଜାର ଉଚ୍ଚତ୍ତମ ଆଦର୍ଶ ଅଟେ !
ରାବଣକୁ ମାରିବା ଛଡ଼ା ଆଉ କିଛି ରାସ୍ତା ନ ଥିଲା, ତଥାପି ସେ ଅଙ୍ଗଦକୁ ଦୂତ ରୂପେ ପଠାଇ ତାଙ୍କୁ ବୁଝାଇବାର ଚେଷ୍ଟା କଲେ ! ଏହା ବିଫଳ ହେବା ପରେ ହିଁ ସେ ଯୁଦ୍ଧ କଲେ !
ଶ୍ରୀରାମ ଜଣେ ଆଦର୍ଶ ଶାସକ ଥିଲେ ! ପ୍ରଜାରଞ୍ଜନ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ! ସେଥିପାଇଁ ସେ ଘୋଷଣା କରିଥିଲେ –

“ସ୍ନେହଂ ଦୟାଂ ଚ ସୌଖ୍ୟଂ ଚ
ଯଦି ବା ଜାନକୀମପି
ଆରାଧାନାୟ ଲୋକସ୍ୟ
ମୁଞ୍ଚତେ ନାସ୍ତି ମେ ବ୍ୟଥା।।”

ଅର୍ଥାତ ସୀତା ମୋର ପ୍ରାଣଠୁ ପ୍ରିୟ; କିନ୍ତୁ ଲୋକାରାଧନା ତା ଠୁ ଅଧିକ ପ୍ରିୟ ଓ ଅଧିକ ଶ୍ରେଷ୍ଠ କର୍ତ୍ତବ୍ୟ ଅଟେ ! ଆବଶ୍ୟକ ପଡ଼ିଲେ ପ୍ରାଣ ଓ ପ୍ରାଣପ୍ରିୟ ଜାନକୀକୁ ମଧ୍ୟ ତ୍ୟାଗ କରିଦେବି !
ଶ୍ରୀରାମ ଏକପତ୍ନୀବ୍ରତର ଆଦର୍ଶ ଅଟନ୍ତି ! ପତ୍ନୀ ସୀତାଙ୍କ ପ୍ରତି ତାଙ୍କର କେତେ ପ୍ରେମ ଥିଲା, ତାହା ସୀତା ହରଣ ପ୍ରସଙ୍ଗରୁ ସ୍ପଷ୍ଟ ବୁଝିହୁଏ ! ପତ୍ନୀ ବିରହରେ ତାଙ୍କ ନେତ୍ରରୁ ଅଶ୍ରୁଧାର ବହିଯାଉଛି, କଦମ୍ବ, ବେଲ, ଅଶୋକାଦି ବୃକ୍ଷମାନଙ୍କୁ ସେ ସୀତାଙ୍କ ବିଷୟରେ ପଚାରୁଛନ୍ତି !ଏପରିକି ମୃଗ ଆଦି ପଶୁମାନଙ୍କୁ ପଚାରୁଛନ୍ତି, ପାଗଳ ଭଳି ବିଳାପ, ପ୍ରଳାପ କରି ଚେତାଶୂନ୍ୟ ହୋଇଯାଉଛନ୍ତି ! ଏଭଳି ମାନବୀ କାର୍ଯ୍ୟ କୃତି ଶ୍ରୀରାମଙ୍କ ଦ୍ଵାରା ପ୍ରେମବଶତଃ ପ୍ରକଟିତ ହୋଇଛି !

ହନୁମାନ ଭଳି ବନବାସୀକୁ କହିଛନ୍ତି –
“ତୁମ ମମ ପ୍ରିୟ ଭରତ ସମ ଭାଇ।”

ଶବରୀ, ଜଟାୟୁ, ବିଭୀଷଣ, କେଉଟ ଆଦିଙ୍କ ପ୍ରତି ଅତ୍ୟନ୍ତ ପ୍ରେମ, ଋଷି ମହର୍ଷିଙ୍କ ପ୍ରତି ଅତ୍ୟନ୍ତ ଆଦର, ଏପରିକି କ୍ରୋଧିତ ପର୍ଶୁରାମଙ୍କ ପ୍ରତି ମଧ୍ୟ ସେ ଆଦରଯୁକ୍ତ ବ୍ୟବହାର ପ୍ରଦର୍ଶନ କରିଛନ୍ତି ! ନିଜ ଭାଇମାନଙ୍କ ପ୍ରତି ପ୍ରେମ ଓ ମା’ ମାନଙ୍କ ପାଖରେ ପୁତ୍ରବତ୍ ରହି ତାଙ୍କ ସମ୍ମାନ କରିଛନ୍ତି ! କୈକେୟୀଙ୍କ ବ୍ୟବହାରରେ ସେ କେବେ କ୍ରୋଧିତ ହୋଇ ନାହାନ୍ତି ! ସେଥିପାଇଁ ସେ ଭାରତୀୟ ଜନମନର ଆଦର୍ଶ ପୁରୁଷ !
ଏଭଳି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁଙ୍କ ଦୁଷ୍ଟ ଦଳନ ଦ୍ୱାରା ଭାରତ ବର୍ଷରେ ରାମରାଜ୍ୟ ପ୍ରତିଷ୍ଠିତ ହୋଇଥିଲା ! ତେଣୁ ଆଜିକାର ଏହି ପାବନ ତିଥିରେ ଆମେ ସମସ୍ତେ ତାଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପ୍ରତିବଦ୍ଧ ହେବା ଉଚିତ ! ତାସହିତ ରାଜ୍ୟ ଓ ଦେଶର ଶାସନ ଗାଦିରେ ବସିଥିବା ଏବେକାର ଶାସକ ମାନେ ମଧ୍ୟ ଶ୍ରୀରାମଙ୍କ ଜୀବନକୁ ଅଧ୍ୟୟନ କରି ଭାରତକୁ ବିଶ୍ୱରେ ସର୍ବଶେଷ୍ଠ କରିବାକୁ ଆଗଭର ହେବା ଉଚିତ !
ଜୟଶ୍ରୀରାମ

Show More

Related Articles

Back to top button