ବାଣିଜ୍ୟ

ପୁଣି କମିବ ପେଟ୍ରୋଲ-ଡିଜେଲ ଦର !

ଅଶୋଧିତ ତୈଳକୁ ନେଇ ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ବି ଆକାଶ ଛୁଆଁ ରହିଛି । ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ ଦେଶର ବିଭିନ୍ନ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ବୃଦ୍ଧି ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିପାରେ । ଯାହାକି କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ଏହାରି ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ତୈଳ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଯେଉଁଥି ପାଇଁ ଆଗାମୀ କିଛି ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି କମିବା ସମ୍ଭାବନା ରହିଛି । ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ଲଗାମ ଲଗାଇବା ପାଇଁ ବଡ ଘୋଷଣା କରିବେ କେନ୍ଦ୍ର ସରକାର । ଭାରତ ଗଚ୍ଛିତ ଥିବା ପେଟ୍ରୋଲିୟମ (ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭ)ରୁ ପ୍ରାୟ ୫୦ ଲକ୍ଷ ବ୍ୟାରେଲ କ୍ରୁଡ୍‌ ଅଏଲ ରିଲିଜ୍‌ କରିବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଆମେରିକା, ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ, ଯେଉଁମାନେ କି କ୍ରୁଡ୍‌ ଅଏଲର ବଡ ଭଣ୍ଡାର ଗଚ୍ଛିତ କରିରଖିଛନ୍ତି, ସେମାନଙ୍କ ସହିତ ବିଚାର ବିମର୍ଷ ପରେ ଭାରତ ସରକାର ମଧ୍ୟ କ୍ରୁଡ୍‌ ଅଏଲ ରିଲିଜ୍‌ କରିବେ ।

ଏହି ଦେଶଗୁଡିକ ଏକା ସମୟରେ ସେମାନଙ୍କ କ୍ରୁଡ୍‌ ଅଏଲ ଭଣ୍ଡାର ଖୋଲିପାରନ୍ତି । ଯାହା ଫଳରେ ବଜାରରେ ପେଟ୍ରୋଲିୟମ ପରିମାଣ ବୃଦ୍ଧି ପାଇବ । ଏହା ହେଲେ ଦେଶରେ ତେଲ ଦର ଆହୁରି ହ୍ରାସ ପାଇବ । ଆମେରିକା ଏବଂ ଚୀନ ପରେ ଭାରତ ଏବେ ବିଶ୍ବର ତୃତୀୟ ବୃହତ ତେଲ ଉପଭୋକ୍ତା ଦେଶ । ଲିଷ୍ଟରେ ଜାପାନ, ଋଷ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ମଧ୍ୟ ରହିଛନ୍ତି । ଭାରତ ପକ୍ଷରୁ ବାରମ୍ବାର ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା ଏହି ସବୁ ଦେଶ ନିଜର କ୍ରୁଡ୍‌ ଅଏଲ ଭଣ୍ଡାର ଖୋଲିବାକୁ ଇଚ୍ଛା ପ୍ରକାଶ କରୁନଥିଲେ । ଏବେ ବିଭିନ୍ନ ଦେଶ ଏ ନେଇ ରାଜି ହେବା ପରେ ଭାରତ ମଧ୍ୟ ଷ୍ଟକ୍‌ ଗାର୍ଡ ଖୋଲିବାକୁ ରାଜି ହୋଇଛି । ସେପଟେ ବିଶ୍ବ ବଜାରରେ ପେଟ୍ରୋଲିୟମ ଦର ବୃଦ୍ଧିକୁ ନେଇ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲା ଭାରତ । ସୁହାଇବା ଭଳି ତଥା ବଜାର ଅନୂରୁପ ତୈଳ ଦର ରଖିବାକୁ ସର୍ବଦା ପ୍ରସ୍ତାବ ରଖିଛି ଭାରତ । ଅନ୍ୟପଟେ ଦେଶ​‌ରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ସମୀକ୍ଷା କରୁଛନ୍ତି ।

Show More

Related Articles

Back to top button