କଳା ସଂସ୍କୃତି ଓ ସାହିତ୍ୟଜୀବନଚର୍ଯ୍ୟାଭକ୍ତିସ୍ୱତନ୍ତ୍ର

ସ୍କୁଲ ପାଠ୍ୟକ୍ରମରେ ଗୀତା 

ସ୍କୁଲ ପାଠ୍ୟକ୍ରମରେ ଗୀତା

କଥାରେ ଅଛି— ରୁଚୁ ନରୁଚୁ ଖାଆ ପିତା , ବୁଝୁ ନବୁଝୁ ପଢ଼ ଗୀତା। କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ପୂର୍ବରୁ ଭାଙ୍ଗି ପଡ଼ିଥିବା ଅର୍ଜୁନଙ୍କୁ ସାହସ ଦେବାକୁ ଯାଇ ସାରଥୀ ଶ୍ରୀକୃଷ୍ଣ ଯେଉଁ ଉପଦେଶ ଦେଇଥିଲେ ତାହା ଗୀତା ଭାବରେ ସାରା ବିଶ୍ଵରେ ପ୍ରସିଦ୍ଧ। ଶ୍ରୀକୃଷ୍ଣଙ୍କର ଗୀତା ଉପଦେଶ ଶୁଣିଲା ପରେ ଅର୍ଜୁନଙ୍କ ଅଭୁତପୂର୍ବ ପରିବର୍ତ୍ତନ ଆସିଲା। ତାଙ୍କ ଜୀବନର ଗତିବିଧ ବଦଳି ଯାଇଥିଲା। ଯଦିଓ ଗୀତା ଉପଦେଶ କେଇ ହଜାର ବର୍ଷର ତଳର କିନ୍ତୁ ସେଇଥିରେ ଥିବା ଉପଦେଶ ସମୟ ସ୍ୱତନ୍ତ୍ର ଓ ଚିର ନୂତନ। ଗୀତାକୁ ହୃଦୟଙ୍ଗମ କରିପାରିଲେ ଦୈନଦିନ ଜୀବନ ଗତିପଥ ବଦଳିଯାଏ। ନିଜ ଭିତରେ ଥିବା ଇଚ୍ଛାଶକ୍ତିକୁ ଜାଗ୍ରତ କରିବା ଓ କାହିଁକି , କିପରି ଭଳି ପ୍ରଶ୍ନକୁ ନିଜେ ଖୋଜି ବାହାର କରିବା ଗୀତାରୁ ଶିକ୍ଷା ମିଳିଥାଏ। ତେଣୁ ଛାତ୍ରଛାତ୍ରୀମାନଙ୍କୁ ଗୀତାର ମାହାତ୍ମ୍ୟ ଜାଣିବା ନିହାତି ଜରୁରୀ। ଏହା ଆମ୍ଭଙ୍କୁ ପ୍ରାଚୀନ ଭାରତୀୟ ପରମ୍ପରା ଓ ସଂସ୍କୃତି ସହିତ ପରିଚୟ କରେଇଥାଏ । ଗୀତାର ଚିର ଶାଶ୍ଵତ ଶ୍ଳୋକ ଜୀବନର ଛୋଟ ବଡ଼ ଘଟଣାକ୍ରମକୁ ସାମ୍ନା କରିବା ପାଇଁ ବାଟ ଦେଖେଇଥାଏ। ଏହା ଜୀବନର ସତ୍ୟତା ବିଷୟରେ ଅବଗତ କରେଇ ଜଣେ ଛାତ୍ରକୁ ଜୀବନରେ ଭଲ , ଦୟାଳୁ , ପରୋପକାରୀ , ମିଷ୍ଟଭାଷୀ ହେବାକୁ ପ୍ରେରଣା ଦେଇଥାଏ। ଭଗବତ ଗୀତାର ସବୁଠୁ ବଡ଼ ଶିକ୍ଷା ହେଲା ନିଷ୍କାମ କର୍ମ ବା ଫଳକୁ ଆଶା ନକରି କର୍ମ କରିବା। ଗୀତା କହେ – କର୍ମଣେବ ଅଧୀକାରହ , ଅର୍ଥାତ୍ କର୍ମ କରିଚାଲ। ଅନ୍ୟ ଅର୍ଥରେ ମଣିଷ ଅନେକ ସମୟରେ ଫଳକୁ ଆଶା କରି ଦୁଃଖ ଦୁର୍ଦ୍ଦଶା ଭୋଗିଥାଏ , ଯାହାକୁ ଗୀତା ବାରଣ କରେ। ଯୁଦ୍ଧକ୍ଷେତ୍ରରେ ନିଜ ସମ୍ପର୍କୀୟମାନଙ୍କୁ ଦେଖି ଯୁଦ୍ଧ ପରର ପରିଣାମ ବିଷୟରେ ଭାବୁଥିବାରୁ ଅର୍ଜୁନ ଭାଙ୍ଗି ପଡ଼ିଥିଲେ । କିନ୍ତୁ ଗୀତାର ଉପଦେଶ ତାଙ୍କୁ ଜୀବନର ଲକ୍ଷ୍ୟ ବିଷୟରେ ଅବଗତ କରେଇଲା। କ’ଣ କରିବା ଉଚିତ୍ ବା ଅନୁଚିତ୍ ତାହା ଅର୍ଜୁନ ହୃଦୟଙ୍ଗମ କରିପାରିଥିଲେ ।
ଗୀତା ଅନୁସାରେ ମଣିଷ ଜୀବନ ଓ ତାର ପାରିପାର୍ଶ୍ବିକ ଦୁନିଆ ସବୁ ପରିବର୍ତ୍ତନଶୀଳ। ତେଣୁ ସବୁ ପରିବର୍ତ୍ତନ ହେଇଥିବା ପରିସ୍ଥିତିରେ କାତର ନହେଇ ତାକୁ ଗ୍ରହଣ କରିବା ଉଚିତ୍। ଅର୍ଥାତ୍‌ ସଫଳତା ପାଇବାକୁ ହେଲେ ଜଣେ ମଣିଷକୁ ପରିବର୍ତ୍ତନଶୀଳ ସମୟ ସହିତ ତାଳଦେଇ ନିଜକୁ ବଦଳେଇବାକୁ ପଡ଼ିବ , ଆଧୁନିକତା ଆଣିବାକୁ ହେବ…ଏହାକୁ ଆଧୁନିକ ମ୍ୟାନେଜମେଣ୍ଟ ଜଗତକୁ ଗୀତାର ଏକ ବଡ଼ ଶିକ୍ଷା କହିଲେ ଭୁଲ ହେବନି। ଗୀତାର ଦ୍ଵିତୀୟ ଅଧ୍ୟାୟ ଚତୁର୍ଦ୍ଦଶ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି– ତାଂସ୍ତିତିକ୍ଷସ୍ଵ ଭାରତ । ଅର୍ଥାତ୍ ଜୀବନରେ ଆସୁଥିବା ଝଡ଼ଝଞ୍ଜାକୁ ସାମ୍ନା କରିବା ଶିଖିବା ଉଚିତ। ଯେହେତୁ ଶ୍ରୀକୃଷ୍ଣ ନିଜେ କହନ୍ତି— ମା ଫଳେସୁ କଦାଚନ ଯାହାର ଅର୍ଥ ହେଲା- ଫଳାଫଳ ଉପରେ ଆମର ନିୟନ୍ତ୍ରଣ ନାହିଁ , ତେଣୁ ଫଳକୁ ଆଶା ନକରି କର୍ମ କରିଚାଲିବା ଉଚିତ୍। ଭାଗବତ ଗୀତା ଦୟା , କ୍ଷମା ଓ ସହନଶୀଳତାର ଅନନ୍ୟ ଶିକ୍ଷା ପ୍ରଦାନ କରିଥାଏ ଯାହା ଆଜିକାଲିର ଛାତ୍ରଛାତ୍ରୀମାନଙ୍କ ପାଇଁ ନିହାତି କାମ୍ୟ । ସେହିପରି ଷୋଡ଼ଶ ଅଧ୍ୟାୟ ଶ୍ଳୋକ ଏକରୁ ତିନି ପର୍ଯ୍ୟନ୍ତ ମଣିଷକୁ ଅହିଂସା ଆଚରଣ କରିବା ସହିତ କ୍ରୋଧ ତ୍ୟାଗ କରିବା , ଅସହାୟକୁ ଦାନ କରିବା , ସକଳ ପ୍ରାଣୀ ପ୍ରତି ଜୀବେ ଦୟାର ଭାବ ରଖିବାକୁ କୁହାଯାଇଛି। ଜଣେ ଛାତ୍ର ଜୀବନରେ ଅନେକ ଘଟଣାକ୍ରମ ଯଥା- ପରୀକ୍ଷା , ପାଠ , ଫଳାଫଳ ଓ ଭବିଷ୍ୟତ ଭିତରେ ସେ ନିଜେ ବଡ଼ ହେଇ ଜଣେ ନାଗରିକରେ ପରିଣତ ହୋଇଥାଏ। ଏହି ଲମ୍ବା ସମୟ ଭିତରେ ସେ ଯଦି ନିଜ ମନ ଓ ମସ୍ତିଷ୍କକୁ ନିୟନ୍ତ୍ରଣ କରି ସବୁ ସମସ୍ୟାକୁ ସାମ୍ନା କରେ ତାହାଲେ ସଫଳତା ନିଶ୍ଚିତ ମିଳିଥାଏ। ତେବେ ସର୍ବଦା ବିଚଳିତ ରହୁଥିବା ମନ-ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ଗୀତାର ଉପଦେଶରୁ ପ୍ରାପ୍ତ ହୋଇଥାଏ। ଅର୍ଜୁନଙ୍କ ବିଚଳିତ ମନ ସହିତ ଜଣେ ଛାତ୍ରର ମନସ୍ତତ୍ତ୍ଵ ସହିତ ତୁଳନା କରାଯାଇପାରେ। କଠିନ ବିଜ୍ଞାନ ଓ ଗଣିତର ଉପାଖ୍ୟାନ ଆଗରେ ଭାଙ୍ଗିପଡୁଥିବା ଛାତ୍ରକୁ ଗୀତାର ଉପଦେଶ ଉପଶମ ପ୍ରଦାନ କରି ମାର୍ଗ ଦର୍ଶନ କରିବାରେ ସହାୟକ ହେବ। ଶ୍ରେଣୀଗୃହରେ ଶାରୀରିକ ଭାବରେ ଉପସ୍ଥିତ ରହି ମଧ୍ୟ ଚପଳ ଛାତ୍ରର ମନ ବାହାର ଦୁନିଆରେ ଭ୍ରମଣ କରୁଥାଏ। ତେଣୁ ଗୀତାର ଉପଦେଶ ଗ୍ରହଣ କରି ଛାତ୍ରଜଣକ ମନକୁ ସ୍ଥିର କରିପାରିଲେ ଆଶ୍ଚର୍ଯ୍ୟଜନକ ସଫଳତା ପ୍ରାପ୍ତ କରିପାରିବ। ବେଳେବେଳେ ଘଟିନଥିବା ଘଟଣାକୁ କଳ୍ପନା କରି ଆମେ ବ୍ୟସ୍ତ ବିବ୍ରତ ହେଇପଡୁ…ଏହା ଋଣ ନନେଇ ମଧ୍ୟ ସୁଧ ବିଷୟରେ ଭାବି ଭାଙ୍ଗିପଡ଼ିବା ସହିତ ସମାନ। ତେଣୁ ଗୀତାରେ କୁହାଯାଇଛି ବର୍ତ୍ତମାନର ପରିସ୍ଥିତି ହିସାବରେ କର୍ମ କର , ଯାହା ଘଟିତ ହେଇନାହିଁ ତାହା ବିଷୟରେ ଭାବି ବିବ୍ରତ ହେବା ଅନୁଚିତ। ଭଗବତ ଗୀତା ଛାତ୍ରକୁ ନୈତିକତାର ଶିକ୍ଷା ଦେବା ସଙ୍ଗେ ସଙ୍ଗେ ସମାଜ ପ୍ରତି ଆମର ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରେଇଥାଏ । ପିଲାମାନେ ଆମର ଭବିଷ୍ୟତ , ସେମାନଙ୍କୁ ନୈତିକ ଓ ସାମାଜିକ ମୂଲ୍ୟବୋଧର ଶିକ୍ଷା ଦିଆଯିବା ଉଚିତ୍ ଯାହା ସେମାନଙ୍କ ମଧ୍ୟରେ ଭଲ ମନୋବଳ ସୃଷ୍ଟି କରିବ। ଗୀତାର ଶିକ୍ଷାକୁ ଜୀବନର ପ୍ରତିଟି ସୋପାନରେ ଉପଯୋଗ କରି ସେମାନଙ୍କୁ ସଠିକ୍ ନିର୍ଣ୍ଣୟ ନେବାରେ ସାହାଯ୍ୟ କରିବ। ବର୍ତ୍ତମାନର ଟେଲିଭିଜନ , ଚଳଚ୍ଚିତ୍ର ଏବଂ ଇଣ୍ଟରନେଟ୍ ଛାତ୍ରମାନଙ୍କୁ ହିଂସା , ଅଶ୍ଳୀଳତା ଏବଂ ସାମାଜିକ ମୂଲ୍ୟବୋଧର ଅଭାବ ପ୍ରଦାନ କରି ତାଙ୍କ ଜୀବନର ଗତିପଥକୁ ବିଭ୍ରାନ୍ତ କରୁଛି। ଗୀତାର ଆଧ୍ୟାତ୍ମିକ ଶିକ୍ଷା ସେମାନଙ୍କ ବୌଦ୍ଧିକ ଶକ୍ତିକୁ ଦୃଢ଼ କରିବ ଏବଂ ନକାରାତ୍ମକ ଭାବନାକୁ ମୁକାବିଲା କରିବାରେ ସାହାଯ୍ୟ କରିବ।

ସୂଚନାଯୋଗ୍ୟ ଯେ , ଗୀତାର ମହାନ ଶିକ୍ଷାକୁ ଆର୍ଲବଟ ଆଇନଷ୍ଟାଇନ , ଆଲଡସ୍ ହକ୍ସଲି , ୱିଲହେମ୍ ଭିନ୍ ହର୍ମୋଲ୍ଡ , ହେନେରୀ ଡେଭିଡ ଥୋରା , ମହାତ୍ମା ଗାନ୍ଧୀ ଏବଂ ଅନ୍ୟାନ୍ୟ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ବ ସେମାନଙ୍କ ଜୀବନର ବ୍ରତରୂପେ ଗ୍ରହଣ କରିଥିଲେ। ଯେତେବେଳେ ଅଣଭାରତୀୟମାନେ ଭଗବତ ଗୀତା ସାରକୁ ଅନୁସରଣ କରୁଛନ୍ତି, ତେବେ କାହିଁକି ଭାରତର ଛାତ୍ରମାନଙ୍କୁ ଭଗବଦ୍ ଗୀତା ଶିକ୍ଷା ଦିଆଯାଇପାରିବନାହିଁ ? ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ମହିଳା , ଗୁରୁଜନ , ପିତାମାତା ଓ ସର୍ବୋପରି ରାଷ୍ଟ୍ର ପାଇଁ ପ୍ରଖର ଗତିରେ ବଦଳୁଥିବା ମାନସିକତାର ପରିବର୍ତ୍ତନ ପାଇଁ ଯୁବସମାଜ ଏକ ଦିଗଦର୍ଶନର ଆବଶ୍ୟକତା କରୁଛି। ଏଥିପାଇଁ ଭଗବତ ଗୀତା ଏକାନ୍ତ କାମ୍ୟ ।

Show More

Related Articles

Back to top button