
‘ପୁଷ୍ପା’ ଫେମ୍ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳାକାରଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି। ଏକ ତମାଖୁ ଉତ୍ପାଦ କମ୍ପାନୀଙ୍କ ବିଜ୍ଞାପନ ଫିଲ୍ମ ଲାଗି ଅଲ୍ଲୁ ଅର୍ଜୁନଙ୍କୁ ୨ କୋଟି ଟଙ୍କାର ଅଫର ମିଳିଥିଲା। ତେବେ ସେପରି ସାମଗ୍ରୀ ସେ ନିଜେ ଯେତେବେଳେ ଉପଯୋଗ କରନ୍ତିନି ଅନ୍ୟକୁ କିପରି ଏ ଦିଗରେ ଉତ୍ସାହିତ କରିବେ କହି ଅଫରକୁ ଠୋକର ମାରିଛନ୍ତି। ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ ପାନ ମସଲା କମ୍ପାନୀ ଲାଗି ବିଜ୍ଞାପନ କରି ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଅଲ୍ଲୁ ତାଙ୍କ ଫ୍ୟାନସ୍ଙ୍କ ମଧ୍ୟରେ କୌଣସି ପ୍ରକାର ଭୁଲ ଜିନିଷ ପ୍ରମୋଟ କରିବାକୁ ଚାହାନ୍ତିନି। ସେ ନିଜେ ମଧ୍ୟ ତମାଖୁ ଅଥବା ସେହିପରି କୌଣସି ସାମଗ୍ରୀର ସେବନ କରନ୍ତିନି। ଖାସ ଏହି କାରଣରୁ ସେ ତମାଖୁ କମ୍ପାନୀର ବ୍ରାଣ୍ଡ ଏଣ୍ଡ୍ରୋସମେଣ୍ଟ ଲାଗି ମନା କରିଦେଇଛନ୍ତି। ଅଲ୍ଲୁଙ୍କ ଅତ୍ୟନ୍ତ ନିକଟତମଙ୍କ ସୂତ୍ରରୁ ଫିଲ୍ମରେ ସ୍ମୋକ କରିବା ତାଙ୍କ ହାତ କଥା ନୁହେଁ। ତେବେ ଏପରି ସାମଗ୍ରୀ ଯେପରି କେହି ସେବନ ନ କରନ୍ତୁ ସେ ଦିଗରେ ସେ ସର୍ବଦା ଉଦ୍ୟମ କରିଆସିଛନ୍ତି।
ଅଲ୍ଲୁ ଚାହାନ୍ତିନି ତାଙ୍କର ତମାଖୁ ବିଜ୍ଞାପନ ଦେଖି ଲୋକେ ଏପରି ସାମଗ୍ରୀ ଖାଇବା ଆରମ୍ଭ କରିଦିଅନ୍ତୁ ଓ ସେମାନେଏଥିରେ ଅଭ୍ୟସ୍ତ ହୁଅନ୍ତୁ। ତାଙ୍କର କହିବା କଥା ହେଲା ଯେଉଁ ଜିନିଷ ସେ ନିଜେ ଉପଯୋଗ କରନ୍ତିନି ତାକୁ ପ୍ରମୋଟ କରିବେ କିପରି? ତେବେ ଏପରି ଅନେକ ବିଜ୍ଞାପନରେ ଗୋବିନ୍ଦା, ଶାହରୁଖ ଖାନ, ଅଜୟ ଦେବଗନ ପୂର୍ବରୁ ଅଭିନୟ କରିଥିବା ବେଳେ ଏବେ ଅକ୍ଷୟ କୁମାର ଅଭିନୟ କରି ଟ୍ରୋଲ ହୋଇଛନ୍ତି। କେବଳ ଏତିକି ନୁହେଁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଅତୀତରେ ଏକ ପାନମସଲାର ପ୍ରମୋଟ କରିଥିଲେ। ଏଥିଲାଗି ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଇଥିଲା।