ବାଣିଜ୍ୟ

ଥରକେ ୮୪ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ

ଲିଟର ପିଛା ଦର ଏବେ ୩୩୮ ଟଙ୍କା, ଜାଣନ୍ତୁ କେଉଁଠି

ଶ୍ରୀଲଙ୍କା ସରକାରୀ ତୈଳ କମ୍ପାନୀ ସିଲୋନ ପେଟ୍ରୋଲିୟମ କର୍ପୋରେସନ (ସିପିସି) ଥରକେ ୮୪ ଟଙ୍କା ମହଙ୍ଗା କରିଦେଇଛନ୍ତି ପେଟ୍ରୋଲ। ଫଳରେ ଦେଶରେ ଲିଟର ପିଛା ପେଟ୍ରୋଲ ଏବେ ୩୩୮ ଟଙ୍କା ଦରରେ ବିକ୍ରି ହେବା ଜନ ଅସନ୍ତୋଷର କାରଣ ପାଲଟିଛି। ଗୋଟିଏ ପଟେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ମିଳୁ ନଥିବା ବେଳେ ଯେଉଁଠି ବା ମିଳୁଛି ସେଠି ଆକାଶ ଛୁଆଁ ଦର ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଛି। ସିପିସି ସୋମବାର ମଧ୍ୟରାତ୍ରରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ତେବେ ସିପିସି ପୂର୍ବରୁ ଇଣ୍ଡିଆନ ଅଏଲଙ୍କ ସ୍ଥାନୀୟ ପରିଚାଳନା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଥିଲେ। ଫଳରେ ଦେଶରେ ଉଭୟ ତୈଳ କମ୍ପାନୀଙ୍କ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ ସମାନ ହୋଇଯାଇଛି। ତେବେ ସିପିସି ମାସକରେ ଏହାକୁ ମିଶାଇ ଦ୍ୱିତୀୟବାର ମୂଲ୍ୟବୃଦ୍ଧି କରିଛନ୍ତି। ପ୍ରଥମ ଥର ଲିଟର ପିଛା ଦରରେ ୭୭ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଦ୍ୱିତୀୟବାର ୮୪ ଟଙ୍କା ମହଙ୍ଗା କରିଛନ୍ତି। ପ୍ରଥମ ଥର ମୂଲ୍ୟ ବୃଦ୍ଧି ବେଳେ ସିଲୋନ ପେଟ୍ରୋଲିୟମ କର୍ପୋରେସନ ଡିଜେଲ ଲିଟର ପିଛା ୫୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ।

ଫଳରେ ଡିଜେଲ ଲିଟର ପିଛା ଦର ୧୭୬ ଟଙ୍କାକୁ ପହଞ୍ଚି ଯାଇଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ଦର ୨୫୪ ଟଙ୍କାକୁ ଛୁଇଁଥିଲା। ତେବେମୂଲ୍ୟ ବୃଦ୍ଧି ସତ୍ତ୍ୱେ ପେଟ୍ରୋଲ ଓ ଡିଜେଲ ଚାହିଦା କିନ୍ତୁ ଦେଶରେ ହ୍ରାସ ହୋଇନି। ମଙ୍ଗଳବାର ଦେଶରେ ପେଟ୍ରୋଲ ଓ ଡିଜେଲ ନୂଆ ଦର ଲାଗୁ ହୋଇଥିବା ବେଳେ ପେଟ୍ରୋଲ ପମ୍ପମାନଙ୍କରେ ଲୋକଙ୍କ ଦୀର୍ଘ ଧାଡି ଦେଖିବାକୁ ମିଳୁଛି। ଶ୍ରୀଲଙ୍କା ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ପେଟ୍ରୋଲ ଓ ଡିଜେଲ ଆବଶ୍ୟକତା ପୂରଣ ପାଇଁ ଦେଶରେ ବୈଦେଶିକ ମୁଦ୍ରା ସଂକଟ ଆମଦାନୀରେ ବାଧକ ପାଲଟିଛି। ଏଥିରେ ଉପଲବ୍ଧ ତୈଳ ଦର ଆକାଶ ଛୁଆଁ ହେବା ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମଧ୍ୟ ମୂଲ୍ୟ ବୃଦ୍ଧି କରିଛି। ଲୋକେ ପେଟ୍ରୋଲ ଓ ଡିଜେଲ ପାଇଁ ଗାଡି ଧରି ପେଟ୍ରୋଲ ପମ୍ପମାନଙ୍କ ସାମ୍ନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଥିବା ଦେଖା ଯାଉଛି।

Show More

Related Articles

Back to top button