ଦୁର୍ଘଟଣାଦେଶ ବିଦେଶଭକ୍ତିମୁଖ୍ୟ ଖବର

ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ମୃତ

କୋଲକାତା: ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ୍ ନଦୀରେ ଏହି ଅଘଟଟ ଘଟିଛି। ବିଜୟା ଦଶମୀ ଅବସରରେ ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା। ଏହି ଦୁର୍ଘଟଣାରେ ଅନେକ ନିଖୋଜ ହୋଇଛନ୍ତି। NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ଲଘୁଚାପ ବର୍ଷା ଯୋଗୁଁ ମାଲ ନଦୀରେ ବନ୍ୟା ଜଳ ଆସିଥିଲା। ନଦୀରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମୂର୍ତ୍ତି ଭସାଣ କରୁଥିଲେ। ଏଥିରେ ଶହେରୁ ଅଧିକ ଭକ୍ତ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି । ଭାସିଯାଇଥିବା ଭକ୍ତଙ୍କ ମଧ୍ୟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୩୦ରୁ ୪୦ ଜଣ ଏବେବି ନିଖୋଜ ଥିବା ସୂଚନାମିଳିଛି । ନିଖୋଜ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର ଲାଗି ଚାଲିଛି ସର୍ଚ୍ଚ ଅପରେସନ୍ । NDRF, SDRF ଟିମ ସହ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତରଫରୁ ଚାଲିଛି ଉଦ୍ଧାର କାର୍ଯ୍ୟ।  ନଦୀର ତଳିଆ ଅଂଚଳରେ ଖୋଜାଖୋଜି ଚାଲିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ବିଜୟା ଦଶମୀ ଅବସରେ ଗତକାଲି ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଭସାଣୀ ଉତ୍ସବ ଚାଲିଥିଲା।  ଭସାଣୀ ଚାଲିଥିବାବେଳେ ରାତି ପ୍ରାୟ ସାଢେ ୮ଟା ସମୟରେ ଘଟିଥିଲା ଏହି ଅଘଟଣ । ଉଦ୍ଧାର ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଲପାଇଗୁଡ଼ିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Show More

Related Articles

Back to top button