ଓଡ଼ିଶାବାଣିଜ୍ୟ

ଚିକେନ୍‌ କିଲୋ ୩୦୦ ଛୁଇଁବାକୁ ବସିଲାଣି

ଇଦ୍‌ ପରଠୁ ବଢୁଛି ଚିକେନ୍‌ ଦର । ଖୁବଶୀଘ୍ର ଦର ୩୦୦ ଡେଇଁବ । ରାଜଧାନୀରେ ବଢିଚାଲିଛି ଚିକେନ୍‌ ଦର । ସପ୍ତାହେ ତଳେ ଚିକେନ୍‌ ମାଂସ କେଜି ପ୍ରତି ୨୦୦ରେ ମିଳୁଥିଲା । ଏବେ ତାହା ବଢ଼ି ୨୭୦ରେ ପହଞ୍ଚିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଖରାଦିନେ କୁକୁଡ଼ା ମୃତ୍ୟୁହାରରେ ବୃଦ୍ଧି ତଥା କୁକୁଡ଼ା ଖାଦ୍ୟ ଦର ବୃଦ୍ଧି ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କୁହାଯାଉଛି । ରସୁଲଗଡ଼ କୋଚିଲେଇ ହାଟର ମାଂସ ବ୍ୟବସାୟୀ ଉମେଶ ପଣ୍ଡା କହିଛନ୍ତି, ଏବେ କିଲୋ ପିଛା ଚିକେନ ୨୬୦ରୁ ୨୭୦ ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ହେବ ଏହି ଦର ବଢି ଚାଲିଛି । ସୂଚନା ମୁତାବକ, ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି । ବିବାହ ଭୋଜିରେ ଚିକେନ୍‌ ମେନ୍ୟୁ ମୁଖ୍ୟ ଖାଦ୍ୟ ପାଲଟିଛି। କରୋନା କଟକଣା ହଟିଥିବାରୁ ଲୋକଙ୍କୁ ବିବାହରେ ଯୋଗ ଦେବାର କଟକଣା ନାହିଁ । ଫଳରେ ଚାହିଦା ଅନୁସାରେ ଯୋଗାଣ ହୋଇପାରୁନାହିଁ । ଏହାବାଦ ଚଳିତ ବର୍ଷ ଗରମ ପ୍ରବଳ ହେବା ଯୋଗୁ କୁକୁଡ଼ା ଉତ୍ପାଦନ ଉପରେ ପ୍ରଭାବ ପଡିଛି । ଫାର୍ମଗୁଡିକରେ କୁକୁଡା ଗରମ ସହି ନପାରି ମରି ଯାଉଛନ୍ତି । ଏହା ଯୋଗାଣକୁ ପ୍ରଭାବିତ କରୁଛି। ଅନ୍ୟପକ୍ଷରେ କୁକୁଡା ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ କାମ କରୁଥିବା କମ୍ପାନିଗୁଡିକୁ ଉତ୍ପାଦନ ଏବଂ ପରିଚାଳନା ଜନିତ ଚାପ ସହିବାକୁ ପଡୁଛି ।

କୁକୁଡ଼ା ଖାଦ୍ୟ ଦର ବଢ଼ିଥିବାରୁ ସେ ବାବଦରେ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ଅଧିକ ଖର୍ଚ୍ଚକୁ ଖାଉଟିଙ୍କ ଉପରେ ଥୋଇ ଦିଆଯାଉଛି । ଫଳରେ ଚିକେନ୍‌ ଖୁଚୁରା ଦର ବଢ଼ି ଚାଲିଛି । କୁକୁଡ଼ା ବ୍ୟବସାୟୀଙ୍କ ଅନୁସାରେ, ପୂର୍ବରୁ କୁକୁଡା ଦାନା ପ୍ୟାକେଟ ପିଛା ୧୭୦୦ ଟଙ୍କା ଥିଲା । ତାହା ଏବେ ୨୪୦୦କୁ ବଢ଼ିଛି । ଫଳରେ କମ୍ପାନି ସେମାନଙ୍କ ଖର୍ଚ୍ଚ ଚାପ କମାଇବା ପାଇଁ ଦର ବଢ଼ାଇଛନ୍ତି । ଯାହାର ପ୍ରଭାବରେ ଚିକେନ ଦର ଏବେ ପ୍ରାୟ ୨୭୦ ଟଙ୍କା ଛୁଇଁଛି । ତେବେ ସାଧାରଣ ଗ୍ରାହକ ୨୬୦ ଟଙ୍କାରୁ ୨୭୦ ଟଙ୍କାରେ କିଣୁଥିବା ବେଳେ ଦରକୁ ନେଇ ଅସନ୍ତୋଷ ପ୍ରକଟ କରୁଛନ୍ତି । ସେପଟେ ହୋଟେଲ ଏବଂ ରେସ୍ତୋରାଁ ଗୁଡିକ ଅଧିକ ଚିକେନ୍‌ କ୍ରୟ କରୁଥିବାରୁ ସେମାନଙ୍କୁ ବ୍ୟବସାୟୀ କିଲୋ ପିଛା ୨୩୦ ଟଙ୍କାରେ ବିକ୍ରି କରୁଛନ୍ତି । ଏପଟେ କମ୍ପାନିଗୁଡ଼ିକ ନିକଟରେ ଉତ୍ପାଦନ ଏବଂ ବଣ୍ଟନ ଦାୟିତ୍ୱ ରହୁଥିବାରୁ ସେମାନେ ମଧ୍ୟ ବିଭିନ୍ନ ସମୟରେ ଦର ବଢ଼ାଉ ଦେଉଥିବା ଅନ୍ୟ ଜଣେ ବ୍ୟବସାୟୀ ଅଭିଯୋଗ ଆଣିଛନ୍ତି । ଚାରି ନମ୍ବର ମାର୍କେଟ୍‌ ଚିକେନ ବ୍ୟବସାୟୀ କହିଛନ୍ତି ଯେ, ଇଦ୍‌ ପରଠାରୁ ଏଭଳି ଦରବୃଦ୍ଧି ଦେଖାଯାଇଛି । ଏଭଳି ସ୍ଥିତି ଲାଗି ରହିଲେ ଚିକେନ କିଲୋ ପିଛା ଦର ୩୦୦ ଟଙ୍କା ଛୁଇଁବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

Show More

Related Articles

Back to top button