Breaking PLUSରାଜନୀତି

ସମସ୍ତଙ୍କୁ ଚମକାଇଲା ତେଲେଙ୍ଗାନାର ନିର୍ବାଚନ ଫଳ

ତେଲଙ୍ଗାନାର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଲା ପରି ହୋଇଛି। ଅନ୍ୟ ତିନି ରାଜ୍ୟରେ ପରାଜୟର ସାମ୍ନା କରିଥିବା କଂଗ୍ରେସ ତେଲେଙ୍ଗାନାରେ ବିଜୟୀ ହୋଇଛି। ଗତ କିଛି ମାସ ପୂର୍ବରୁ ତେଲଙ୍ଗାନାରେ କଂଗ୍ରେସର ସେଭଳି ବିଶେଷ ସ୍ଥିତି ନଥିବା ବେଳେ ଦଳକୁ ସେଠାରେ ଏତେ ବଡ ବିଜୟ କେମିତି ମିଳିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଥିସହିତ ତେଲଙ୍ଗାନାରେ କଂଗ୍ରେସର ବିଜୟର ଶ୍ରେୟ ନିର୍ବାଚନ ରଣନୀତିକାର ସୁନୀଲ କାନୁଗୋଲୁଙ୍କୁ ଦିଆଯାଉଛି। ଏହା ପୂର୍ବରୁ କର୍ଣ୍ଣାଟକରେ ତାଙ୍କ ରଣନୀତିର ସୁଫଳ କଂଗ୍ରେସ ପାଇଥିଲା। ତେଣୁ ସିଦ୍ଧାରମେୟା ସରକାର ତାଙ୍କୁ କ୍ୟାବିନେଟ ପାହ୍ୟାର ଏକ ପଦବୀ ପ୍ରଦାନ କରିଛନ୍ତି। ଚଳିତ ଥର ସୁନୀଲ କାନୁଗୋଲୁ ତେଲେଙ୍ଗାନା ରାଜ୍ୟର କଂଗ୍ରେସ କମିଟି ମୁଖ୍ୟ ଏ ରେଭନ୍ତ ରେଡ୍ଡିଙ୍କ ସହିତ ମିଶି କେ ଚନ୍ଦ୍ର‌ଶେଖର ରାଓଙ୍କ ନେତୃତ୍ୱରେ ଥିବା ବିଆରଏସ୍ ସରକାରକୁ କ୍ଷମତାରୁ ହଟାଇବା ପାଇଁ ରଣନୀତି ରଚିଥିଲେ। ଏହାର ସୁଫଳ ମିଳିଛି।  କଂଗ୍ରେସ ୧୧୯ଟି ଆସନ ଥିବା ତେଲେଙ୍ଗାନା ବିଧାନସଭାରେ ୬୪ଟି ଆସନରେ ବଜୟୀ ହୋଇଛି। ଆଞ୍ଚଳିକ ଦଳ ବିଆରଏସ୍ ଖାତାକୁ ମାତ୍ର ୩୯ଟି  ଆସନ ଯାଇଛି। ରାଜସ୍ଥାନ‌ରେ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ସୁନୀଲ କାନୁଗୋଲୁ ରଣନୀତି କରିଥିଲେ। କିନ୍ତୁ  କାନୁଗୋଲୁଙ୍କ ଆକଳନକୁ  ଅଶୋକ ଗେହଲଟ୍ ବିଶ୍ୱାସ କରିପାରି ନଥଲେ। ଫଳରେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ କଂଗ୍ରେସର ସଫଳତା  ସୁନୀଲ କାନୁଗୋଲୁଙ୍କୁ କାମ କରିବାର ସ୍ୱାଧୀନତା ଦିଆ ଯାଇଥିବାର ଫଳାଫଳ ବୋଲି କୁହାଯାଉଛି। ସେ ନିର୍ବାଚନ ପୂର୍ବରୁ କିଛି ମାଷ୍ଟର ଷ୍ଟ୍ରୋକ୍ ପ୍ରସ୍ତୁତ କରିଥିଲେ, ଯାହାକି ଦଳକୁ ଜିତାଇବାରେ ରାମବାଣ ସାବ୍ୟସ୍ତ ହେଲା ବୋଲି କୁହାଯାଉଛି। କର୍ଣ୍ଣାଟକର କାନୁଗୋଲୁ ବିଜେପି ବିରୋଧରେ ‘ପିସିଏମ୍’ ଅଭିଯାନର ରଣନୀତି ସ୍ଥିର କରିଥିଲେ। ନିର୍ବାଚନ ପୂର୍ବରୁ କାନୁଗୋଲୁ କଂଗ୍ରେସର ଅଭିଯାନରେ କେ ଚନ୍ଦ୍ରଶେଖର ରାୱଙ୍କ ସରକାରଙ୍କ ଦୁର୍ନୀତି ଉପରୁ ପରଦା ଉଠାଇଥିଲେ, ଯାହାକି ଲୋକଙ୍କ ବିଶ୍ବାସକୁ ଭାଙ୍ଗି ଦେଇଥିଲା। ଏହା ପୂର୍ବରୁ ୪୦ ବର୍ଷୀୟ ସୁନୀଲ କାନୁଗୋଲୁ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ପରିକଳ୍ପନା ଓ ରୂପାୟନ କାର୍ଯ୍ୟକରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ତାଙ୍କୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରଣନୀତି ସ୍ଥିର କରିବା ଲାଗି ସ୍ୱାଧୀନ ଦାୟିତ୍ୱ ଦିଆଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେ‌ବେ ଯେ କାନୁଗୋଲୁ ବିଜେପି ସହିତ ବି କାମ କରିଛନ୍ତି ଓ ଦଳର ନିର୍ବାଚନ ପ୍ରଚାରରେ ରଣନୀତିକାର ଭାବେ ଯୋଗ ବି ଦେଇଥିଲେ। ୨୦୧୪ରେ ସେ ଉତ୍ତରପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ବିଜେପି ଲାଗି କାର୍ଯ୍ୟ କରିଥିଲେ।

Show More

Related Articles

Back to top button