ବୈଜ୍ଞାନିକଙ୍କ ଆଲର୍ଟ ବାଦଲରୁ ପ୍ରଥମଥର ମିଳିଲା ମାଇକ୍ରୋପ୍ଲାଷ୍ଟିକ୍
ଜାପାନର ଏକ ରିସର୍ଚ୍ଚରେ ଏକ ବଡ଼ ଖୁଲାସା କରିଛନ୍ତି ଅନୁସନ୍ଧାନକାରୀ। ରିସର୍ଚ୍ଚ ଅନୁସାରେ ମେଘରେ ମିଳିଛି ମାଇକ୍ରୋପ୍ଲାଷ୍ଟିକ୍। ଗବେଷକମାନେ ବିଶ୍ୱାସ କରନ୍ତି ଯେ, ଏହା ସାମୁଦ୍ରିକ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ । ସେମାନଙ୍କ କହିବା ଅନୁଯାଇ ଏହା ଏକ ବଡ ଚେତାବନୀ । ଏହାସହ ପ୍ଲାଷ୍ଟିକ ସମ୍ବନ୍ଧରେ ତୁରନ୍ତ କଡା ପଦକ୍ଷେପ ନେବାକୁ ପଡିବ ନଚେତ୍ ଭବିଷ୍ୟତରେ ଏହାକୁ ବନ୍ଦ କରାଯାଇପାରିବ ନାହିଁ । ଏହା ମାନବ ଶରୀର ଏବଂ ପରିବେଶ ପାଇଁ ଏକ ବଡ଼ ବିପଦ ହୋଇପାରେ । ୱାସେଦା ବିଶ୍ୱବିଦ୍ୟାଳୟର ପ୍ରଫେସର ହିରୋସି ଓକୋଚି ଏବଂ ଅନ୍ୟମାନଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀ ଦଳ ବାଦଲରୁ ସଂଗୃହିତ ପାଣିର ୪୪ ଟି ନମୁନା ଯାଞ୍ଚ କରିଥିଲେ । ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ, ପାଣିରେ ଅତି କମରେ ୭୦ ଟି ମାଇକ୍ରୋପ୍ଲାଷ୍ଟିକ୍ ଥିଲା । କାନାଗାୱା ଜିଲ୍ଲାର ୟୋକୋହାମାର ପଶ୍ଚିମ, ଫୁଜି ପର୍ବତର ଶିଖର ଏବଂ ପାଦଦେଶରେ ଏବଂ ତାନଜାଭା-ଓୟାମା ପର୍ବତରୁ ଏହା ଜମା କରାଯାଇଥିଲା । ଏହି ଦଳ ସେମାନଙ୍କ ଅନୁସନ୍ଧାନ କାଗଜରେ ଲେଖିଛନ୍ତି ଯେ ଆମର ଜ୍ଞାନ ଅନୁଯାୟୀ, ବାଦଲ ପାଣିରେ ବାୟୁଜନିତ ମାଇକ୍ରୋପ୍ଲାଷ୍ଟିକ୍ ଉପରେ ଏହା ହେଉଛି ପ୍ରଥମ ରିପୋର୍ଟ ।
ଜଳବାୟୁରେ ଗୁରୁତର କ୍ଷତି ହେବାର ଆଶଙ୍କା :-
ଯଦି ବାଦଲରେ ସେମାନଙ୍କର ଉପସ୍ଥିତି ସମନ୍ୱିତ ପ୍ରୟାସ ଦ୍ୱାରା ନିୟନ୍ତ୍ରିତ ନହୁଏ, ତେବେ ମାଇକ୍ରୋପ୍ଲାଷ୍ଟିକ୍ ଜଳବାୟୁ ଏବଂ ମାନବ ଶରୀର ପାଇଁ ଗୁରୁତର କ୍ଷତି ଘଟାଇପାରେ ବୋଲି ଅନୁସନ୍ଧାନକାରୀ ମାନେ କହିଛନ୍ତି । ୱାସେଦା ବିଶ୍ୱବିଦ୍ୟାଳୟର ଅଗ୍ରଣୀ ଲେଖକ ହିରୋସି ଓକୋଚି କହିଛନ୍ତି ଯେ, ଯଦି ‘ପ୍ଲାଷ୍ଟିକ ବାୟୁ ପ୍ରଦୂଷଣ’ ପ୍ରସଙ୍ଗକୁ ସକ୍ରିୟ ଭାବେ ସମାଧାନ କରା ନ ଯାଏ, ତେବେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ବିପଦ ଏକ ବାସ୍ତବିକତାରେ ପରିଣତ ହୋଇପାରେ। ଯାହା ଭବିଷ୍ୟତରେ ଅପୂରଣୀୟ ତଥା ଗୁରୁତର ପରିବେଶ କ୍ଷତି ଘଟାଇପାରେ । ଯେବେ ମେଘ ଉଚ୍ଚତାରେ ସୂର୍ଯ୍ୟକିରଣ ଏବଂ ଅଲ୍ଟ୍ରାଟୋଇଲେଟ୍ ବିକିରଣର ସମ୍ମୁଖୀନ ହୁଏ, ସେବେ ମାଇକ୍ରୋପ୍ଲାଷ୍ଟିକ୍ ଗ୍ରୀନ୍ ହାଉସ୍ ଗ୍ୟାସ୍ ପାଇଁ ଯୋଗଦାନ ଦେଇପାରେ ବୋଲି ସେ କହିଛନ୍ତି । ତେବେ ମାଇକ୍ରୋପ୍ଲାଷ୍ଟିକ୍ ହେଉଛି ପ୍ରକୃତରେ ଏକ ପ୍ଲାଷ୍ଟିକ୍ କଣିକା। ଯାହାର ଆକାର ହେଉଛି ୫ ମିଲିମିଟରରୁ କମ୍ । ସେଗୁଡିକ ବିଭିନ୍ନ ଉତ୍ସରୁ ଉତ୍ପାଦିତ ହୋଇଥାଏ। ଯେପରିକି- ଶିଳ୍ପ ବର୍ଜ୍ୟବସ୍ତୁ, ବସ୍ତ୍ର, ସିନ୍ଥେଟିକ୍ କାର୍ ଟାୟାର ଇତ୍ୟାଦି । ଏହି ସୁକ୍ଷ୍ମ କଣିକା ସମୁଦ୍ରର ଗଭୀରତମ ଅଂଶରେ ଥିବା ମାଛ ଭିତରେ, ଆର୍କଟିକ୍ ସମୁଦ୍ର ବରଫରେ ବିସ୍ତୃତ ହୋଇଥିବାର ଦେଖିବାକୁ ମିଳିଛି । ତେବେ ମାଇକ୍ରୋପ୍ଲାଷ୍ଟିକ୍ ଉପରେ ବହୁତ କମ୍ ଗବେଷଣା କରାଯାଇଛି ଏବଂ ଏହା କିପରି ମେଘରେ ପହଞ୍ଚେ ସେ ବିଷୟରେ ଅଳ୍ପ ସୂଚନା ମିଳିଛି ।