ଅପରାଧ

ବିବାହ ଉତ୍ସବରେ ସମୁଦିକୁ ଗୁଳି କଲା ସମୁଦି

ନାଚଗୀତରେ ଫାଟି ପଡ଼ୁଥିଲା ବିବାହ ସମାରୋହ ସ୍ଥଳ। ଖାଦ୍ୟପାନୀୟଠୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ଭିଡ଼ରେ କମ୍ପୁଥିଲା ପରିବେଶ। ଆଉ ଅଳ୍ପ ସମୟରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ କେହି କିଛି ବୁଝିବା ପୂର୍ବରୁ ଜଣେ ସମୁଦିଙ୍କ ଗୁଳିରେ ଟଳି ପଡ଼ିଲେ ଆଉ ଜଣେ ସମୁଦି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଛି। ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ଏକ ଫାର୍ମ ହାଉସରେ ବିନୋଦ ଯାଦବ ନାମକ ବ୍ୟକ୍ତିଙ୍କ ଝିଅର ବିବାହ ଚାଲିଥିଲା। ଉକ୍ତ ବିବାହରେ ଯୋଗ ଦେବାକୁ ବିନୋଦଙ୍କ ସାଙ୍ଗ ଅଶୋକ ଯାଦବ ମଧ୍ୟ ପହଞ୍ଚିଥିଲେ। ଅପରପକ୍ଷ ତରଫରୁ ଶେଖର ନାମକ ବ୍ୟକ୍ତି ବିବାହ ସମାରୋହକୁ ଆସିଥିଲେ। ଉଭୟ ଅଶୋକ ଯାଦବ ଓ ଶେଖର ପରସ୍ପରର ସମୁଦି। ଶେଖରଙ୍କ ଝିଅଙ୍କ ବିବାହ ଅଶୋକଙ୍କ ପୁଅ ସହ ପୂର୍ବରୁ ହୋଇ ସାରିଛି। ମାତ୍ର ଉଭୟ ପରିବାର ମଧ୍ୟରେ ବିବାଦ ଚାଲୁ ରହିଥିବା ବେଳେ ବିବାହ ସ୍ଥଳରେ ଉଭୟ ମୁହାଁମୁହିଁ ହେବାରୁ କଥା କଟାକଟି ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ଶେଖର ନିଜ ପାଖରେ ଥିବା ବନ୍ଧୁକରୁ ଅଶୋକ ଯାଦବଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ତେବେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ବାନ୍ଧି ନ ଥିବାର ସୂଚନା ମିଳିଛି।

Show More

Related Articles

Back to top button