Breaking PLUSଦେଶ ବିଦେଶ

ପାକିସ୍ତାନରେ ବନ୍ଦ ହେଲା ପାସପୋର୍ଟ ତିଆରି

ପାକିସ୍ତାନରେ ମହଙ୍ଗାମାଡ଼ ଦ୍ୱାରା ପ୍ରଭାବିତ ହେଉଛନ୍ତି ଜନସାଧାରଣ । ତେବେ ଏପରି ସ୍ଥିତିରେ ଆଉ ଏକ ସଙ୍କଟ ଦେଖାଦେଇଛି । ଦେଶରେ ଲାମିନେସନ୍ ପେପରର ଅଭାବ ଯୋଗୁ ପାକିସ୍ତାନୀ ନାଗରିକମାନେ ନୂଆ ପାସପୋର୍ଟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାସପୋର୍ଟରେ ବ୍ୟବହୃତ ଲାମିନେସନ୍ ପେପର ଫ୍ରାନ୍ସରୁ ଆମଦାନୀ ହୋଇଥାଏ। ତେବେ ଏହି ସଙ୍କଟର ମୁକାବିଲା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ପାସପୋର୍ଟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛିି। କିନ୍ତୁ ପାକିସ୍ତାନ ବାହାରକୁ ଯିବାକୁ ଚାହୁଁଥିବା ଲୋକମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବାର ସୂଚନା ମିଳିଛି। ପାକିସ୍ତାନର ଲୋକମାନେ ପୂର୍ବରୁ ଅଟା ଏବଂ ଡାଲିର ଅଭାବ ସହିତ ସଂଘର୍ଷ କରି ଆସୁଥିବା ବେଳେ ବର୍ତ୍ତମାନ ଏହି ନୂଆ ସମସ୍ୟା ସୃଷ୍ଟି ହେବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପାଠ ପଢ଼ା ବା କୌଣସି କାର୍ୟ୍ୟ କିମ୍ବା ବୁଲିବାକୁ ବିଦେଶକୁ ଯିବା ପାଇଁ ପାସପୋର୍ଟର ଆବଶ୍ୟକ ରହିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ପାସପୋର୍ଟ ମିଳିବାରେ ଡେରି ହେଉଥିବାରୁ ସେମାନଙ୍କର କାମ ଅଟକି ରହିଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀଙ୍କର ବିଦେଶ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ମଧ୍ୟ ଏହି କାରଣରୁ ବ୍ୟାହତ ହେଉଛି । ଏପରିକି ନୂଆ କାମରେ ଯୋଗ ଦେବାପାଇଁ ବାହାରିଥିବା ଜଣେ ବ୍ୟକ୍ତିଙ୍କର ଏପରି ଅସୁବିଧା କାରଣରୁ କାର୍ଯ୍ୟରେ ଯୋଗ ଦେବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ମିଳିଥିବା ଖବର ଅନୁଯାୟୀ, ୨୦୧୩ ରେ ପାସପୋର୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରିଣ୍ଟରକୁ ଟଙ୍କା ନମିଳିବା ଏବଂ ଲାମିନେସନ୍ ପେପରର ଅଭାବ ହେତୁ ପାସପୋର୍ଟର ମୁଦ୍ରଣ ଅସ୍ୱାଭାବିକ ଭାବେ ବନ୍ଦ ହୋଇଯାଇଥିଲା। ତେବେ ଏ ବାବଦରେ ପଚରା ଯିବାରୁ ପାକିସ୍ତାନ ଗୃହ ମନ୍ତ୍ରଣାଳୟ ମିଡିଆ ମହାନିର୍ଦ୍ଦେଶକ କାଦିର ୟାର ତିୱାନା କହିଛନ୍ତି ଯେ ଏହି ସଙ୍କଟ ମୁକାବିଲା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏଥି ସହ ପରିସ୍ଥିତିକୁ ଯଥାଶୀଘ୍ର ନିୟନ୍ତ୍ରଣ କରାଯିବ ଏବଂ ପାସପୋର୍ଟ ପ୍ରଦାନ ପୁଣିଥରେ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି।

Show More

Related Articles

Back to top button