ଖେଳ

ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ

ଚେନ୍ନାଇର ଚିପକ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ପାକିସ୍ତାନକୁ ୮ ଓ୍ବିକେଟରେ ହରାଇଦେଇଛି ଆଫଗାନିସ୍ତାନ । ଏହି ବିଜୟ ସହ ଚଳିତ ବିଶ୍ବକପରେ ଆଉ ଏକ ବଡ଼ ଓଲଟପାଲଟ କରିଛି ଆଫଗାନୀ ଦଳ । ଏହା ପୂର୍ବରୁ ଆଫଗାନୀ ଦଳ ଇଂଲଣ୍ଡକୁ ହରାଇ ଚହଳ ପକାଇଦେଇଥିଲା । ତେବେ ଆଜି ପାକିସ୍ତାନ ଦ୍ବାରା ଆଫଗାନିସ୍ତାନ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ଅନାୟାସରେ ହାସଲ କରିନେଇଥିଲା ଆଫଗାନ ଦଳ । ଦଳ  ପକ୍ଷରୁ ରେହମାନୁଲ୍ଲା ଗୁରବାଜ ୬୫ ରନ କରିଥିବାବେଳେ ଇବ୍ରାହିମ ଜଦରାନ ୮୭ ରନ, ରହମତ ଶାହ ୭୭ ରନ ଓ ହସମାତୁଲ୍ଲା ସହିଦି ୪୮ ରନ କରିଥିଲେ । ଏହି ମ୍ୟାଚରେ ପାକିସ୍ତାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ଅବଦୁଲ୍ଲା ସଫିକ୍ ଓ ଇମାମ-ଉଲ-ହକ୍ ଦଳକୁ ଏକ  ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୬ରନ କରିଥିରେ । ହକ୍ ମାତ୍ର ୧୭ ରନ କରି ଆଉଟ ହେବା ପରେ ଅଧିନାୟକ ବାବର ଆଜମଙ୍କ ସହ ମିଶି ସଫିକ୍ ଆଉ ଏକ ଭଲ ପାର୍ଟନରସିପ କରିଥିଲେ । ସଫିକ୍ ୫୮ରନ ଓ ବାବର ୭୪ ରନ କରିଥିଲେ । ମାତ୍ର ମହମ୍ମଦ ରିଜଓ୍ବାନ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ଓଭରଗୁଡ଼ିକରେ ସଦାବ ଖାଁ ଓ ଇଫତିଖାର ଅହମ୍ମଦ ଲଢୁଆ ବ୍ୟାଟିଂ କରି ପାକିସ୍ତାନର ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ଇଫତିଖାର ଓ ସଦାବ ୪୦ ରନ ଲେଖାଏଁ କରି ଆଉଟ ହୋଇଥିଲେ ।  ପାକିସ୍ତାନ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୮୨ ରନ କରିଥିଲା । ଆଫଗାନିସ୍ତାନ ପକ୍ଷରୁ ନୁର ଅହମ୍ମଦ ୩ଟି ଓ୍ବିକେଟ ନେଇଥିବାବେଳେ ନବୀନ-ଉଲ-ହକ ୨ଟି ଓ୍ବିକେଟ ନେଇଥିଲେ । ସେହିପରି ଅଜମାତୁଲ୍ଲା ଓମାରଜାଇ ଓ ମହମ୍ମଦ ନବି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Show More

Related Articles

Back to top button