Breaking PLUSଓଡ଼ିଶାସ୍ୱାସ୍ଥ୍ୟ

ଏବେ ଡେଙ୍ଗୁ ପରେ ମ୍ୟାଲେରିଆର ଭୟ

ରାଜ୍ୟରେ ଡ଼େଙ୍ଗୁ ରୋଗ କାୟା ବିସ୍ତାର କରୁଥିବାବେଳେ ଏବେ ଲୋକଙ୍କୁ କଲବଲ କଲାଣି ମ୍ୟାଲେରିଆ ଜ୍ୱର । ଗତ ଅଗଷ୍ଟ ମାସରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ସାଢେ ୩ ହଜାରରେ ପହଁଞ୍ଚିଥିବା ବେଳେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରେ ଛୁଁଇଥିବା ସୂଚନା ମିଳିଛି । ତେବେ ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ମ୍ୟାଲେରିଆ ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଔଷଧୀୟ ମଶାରୀର ଅବଧି ଶେଷ ହୋଇଯାଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି । କେନ୍ଦ୍ର ସରକାର କେବେ ଔଷଧୀୟ ମଶାରୀ ପ୍ରଦାନ କରିବେ ତାହାକୁ ଚାହିଁ ବସିଛନ୍ତି ରାଜ୍ୟ ସରକାର । ମଶାରୀ ଆସିବା ଯେତେ ବିଳମ୍ବ ହେବ ରାଜ୍ୟରେ ମ୍ୟାଲେରିଆ ସଂଖ୍ୟା ସେତେ ବଢି ପାରେ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ୨୦୧୬ ମସିହାରୁ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାକୁ ଲାଗିଥିଲା । କିନ୍ତୁ କୋଭିଡ଼ ମହାମାରୀ ସମୟରେ ଅର୍ଥାତ୍ ୨୦୨୦ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବଢିଥିବା ବେଳେ ପୁର୍ନବାର ଏହା କମି ଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟରେ ପୁଣି ମୁଣ୍ତ ଟେକିଛି ମ୍ୟାଲେରିଆ । ଏନଭିବିଡ଼ିପିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ମେ ମାସ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୫ ଥିବାବେଳେ ଚଳିତ ବର୍ଷ ସଂଖ୍ୟା ୯୯୦୭କୁ ବୃଦ୍ଧି ପାଇଛି । ଅର୍ଥାତ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୯୫ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ଆଗକୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି । ଯାହା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ମ୍ୟାଲେରିଆ ଆକ୍ରାନ୍ତ ତାଲିକାରେ ଛତିଶଗଡ଼ ପ୍ରଥମରେ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ରାଜ୍ୟ । ତେବେ ମେ ମାସ ସୁଦ୍ଧା ଦେଶରେ ମ୍ୟାଲେରିଆରେ ୨ ଜଣ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଓଡ଼ିଶାର ଜଣେ ଥିବା ଜଣାପଡ଼ିଛି । ସେହିପରି ଗତ ବର୍ଷ ମ୍ୟାଲେରିଆରେ ରାଜ୍ୟରେ ୫ ଜଣଙ୍କ ମତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହୁଛି । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ୨୦୧୮ ମସିହାରେ ରାଜ୍ୟରେ ଔଷଧୀୟ ମଶାରି ବଣ୍ଟନ କରାଯାଇଥିଲା । ଯାହାର ଅବଧି ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ରହିଥିଲା । ତେବେ ଗତବର୍ଷ ଡିସେମ୍ବର ମାସରେ ଏହି ଅବଧି ଶେଷ ହୋଇଛି। କେନ୍ଦ୍ର ସରକାର ଯଦି ଏହି ମଶାରି ପ୍ରଦାନରେ ବିଳମ୍ବ କରନ୍ତି ତାହାଲେ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଙ୍ଗୀନ ହେବା ନେଇ ଆଶଙ୍କା କରାଯାଉଛି । ମ୍ୟାଲେରିଆ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଦମନ’କାର୍ଯ୍ୟକ୍ରମ ଜାରି ରହିଛି ।

Show More

Related Articles

Back to top button