Breaking PLUSଓଡ଼ିଶାମୁଖ୍ୟ ଖବର

ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା, ୧୦ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଆହୁରି ଦୁଇଦିନ ଧରି ପାରଦ ଖସିବ

ଶୀତରେ ଥରୁଛି ସାରା ଓଡିଶା । ହେଉଛି ହାଡ ଭଙ୍ଗା ଶୀତ । କାଲୁଆ ପବନରେ ଠକ୍‌ଠକ୍‌ ହୋଇ ଥରୁଛି ରାଜ୍ୟ। ପଦାକୁ ବାହାରିଲେ ଶୀତ ଗୋଡ଼ାଉଛି। ଘର ଭିତରେ କାନ୍ଥ, ଚଟାଣ ସବୁ କାଲୁଆ ଲାଗୁଛି। କେବଳ ଆଭ୍ୟନ୍ତରୀଣ ଓଡ଼ିଶା ନୁହେଁ ଉପକୂଳରେ ବି ଅଚାନକ ବଢ଼ିଯାଇଛି ଥଣ୍ଡା ପ୍ରକୋପ। ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଅଛି। ଫୁଲବାଣୀ ଏବେ ଓଡ଼ିଶାର ସବୁଠୁ କାଲୁଆ ଅଞ୍ଚଳ ପାଲଟିଛି। ଫୁଲବାଣୀରେ ରାତି ତାପମାତ୍ରା ୪ ଡିଗ୍ରୀ ସେଲସିୟସ ତଳେ ରହିଛି । ଯାହାକି ସ୍ୱାଭାବିକଠାରୁ ୪ ଡିଗ୍ରୀ କମ୍‌।ପାଣିପାଗ ବିଭାଗର ସୂଚନାନୁସାରେ, ଶୀତ ପ୍ରକୋପ ଆହୁରି ୨ ଦିନ ରହିପାରେ। ଗୁରୁବାର ଯାଏଁ ଥଣ୍ଡା କମିବାର ସମ୍ଭାବନା ନାହିଁ । ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଶୀତ ପ୍ରକୋପ ଜାରି ରହିବ।

 

winter

ଆସନ୍ତା ୩ ଦିନ ଯାଏଁ ସ୍ୱାଭାବିକଠାରୁ ପାରଦ ୩/୪ ଡିଗ୍ରୀ କମ୍‌ ରହିବ। ଉପକୂଳ ଓଡ଼ିଶାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମ୍‌ ରହିବା ସମ୍ଭାବନା ରହିଛି ।ମଙ୍ଗଳବାର ସକାଳେ, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭୀଷଣ ଶୀତ ଲହରୀ ଲାଗି ରହିବ। ଏହା ବ୍ୟତୀତ କଳାହାଣ୍ଡି, ଦେବଗଡ଼, ନୂଆପଡ଼ା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କଟକ ଓ ବରଗଡ଼ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ। ବୁଧବାର ରାତି ଓ ଗୁରୁବାର ସକାଳେ ମୟୂରଭଞ୍ଜ, ଅନୁଗୁଳ ଓ ବରଗଡ଼ରେ ଭୀଷଣ ଶୀତ ଲହରୀ ଥରାଇବ। ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା ଆଦି ଜିଲ୍ଲାରେ ହାଡ ଭଙ୍ଗା ଶୀତ ଅନୁଭୂତ ହେବ। ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ପ୍ରକୋପ ଏମିତି ଥରାଇବ । ତା’ ପରେ ଶୀତ ସାମାନ୍ୟ କମିବ । ହେଲେ ଦିନେ ଦୁଇଦିନ ପରେ ପୁଣି ଥଣ୍ଡା ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ, ମଙ୍ଗଳବାର ରାତିଠାରୁ ଶୀତ ପ୍ରକୋପ ସାମାନ୍ୟ କମିବ । ୨୭ରୁ ପୁଣି ଥଣ୍ଡା କମିବା ସମ୍ଭାବନା ଅଛି । ଚଳିତବର୍ଷ ଶେଷବେଳକୁ ଶୀତ ପ୍ରକୋପ ଯଥେଷ୍ଟ କମିପାରେ ବୋଲି ସେ କହିଛନ୍ତି ।

Show More

Related Articles

Back to top button