ଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରେ ବଢିଛି କଲରାପତରିଆ ବାଘ ସଂଖ୍ୟା

ଶେଷ ୪ବର୍ଷରେ ବଢ଼ିଲା ଦୁଇଗୁଣ

ଦେଶରେ କଲରାପତରିଆ ବାଘଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ପ୍ରକାଶ କରିଥିବା ରିପୋର୍ଟରେ ଏହି ସୂଚନା ମିଳିଛି । ଷ୍ଟାଟସ୍ ଅଫ୍ ଲିଓପାର୍ଡ -୨୦୧୮ ରିପୋର୍ଟର ତଥ୍ୟ ଅନୁଯାୟୀ , ଭାରତରେ ଏବେ କଲରାପତରିଆ ବାଘ ସଂଖ୍ୟା ୧୨ ହଜାର ୮୫୨ ।

ପୂର୍ବରୁ ୨୦୧୪ରେ ପ୍ରକାଶ ପାଇଥିବା ରିପୋର୍ଟ ତୁଳନାରେ ଏବେ କଲରାପତରିଆ ବାଘ ସଂଖ୍ୟା ୬୦ ପ୍ରତିଶତ ବଢିଛି । ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିବା ବେଳେ, ମଧ୍ୟପ୍ରଦେଶରେ ସର୍ବାଧିକ ୩ ହଜାର ୪୨୧, କର୍ଣାଟକରେ ୧୭ ଶହ ୮୩ ଏବଂ ମହାରାଷ୍ଟ୍ରରେ ୧୬ ଶହ ୯୦ ବୋଲି ତଥ୍ୟ ଦିଆଯାଇଛି ।

ସୂଚନା ଅନୁସାରେ, ଶିମିଳିପାଳ, ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟ, ଫୁଲବାଣୀ-ରାୟଗଡ଼ା- କଳାହାଣ୍ଡି ଜଙ୍ଗଲ, ସାତକୋଶିଆ ଅଭୟାରଣ୍ୟର ଦୁଇ ପାଶ୍ୱର୍ରେ କଲରାପତରିଆ ସଂଖ୍ୟା ଅଧିକ ବୃଦ୍ଧିପାଇଛି । ଏହାଛଡ଼ା ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର ରେଞ୍ଜରେ ସଂଖ୍ୟା ବଢିଛି। ମହାବଳ ସଂଖ୍ୟା ଉଦ୍‌ବେଗଜନକ ହାରରେ କମୁଛି। ଏବେ ଓଡ଼ିଶାରେ ବାଘ ସଂଖ୍ୟା ମାତ୍ର ୧୮। କିନ୍ତୁ ହୁ ହୁ ହୋଇ ବଢ଼ୁଛି କଲରାପତରିଆ ବାଘ ସଂଖ୍ୟା। ଗତ ଚାରି ବର୍ଷ ଭିତରେ ୨ ଗୁଣାରୁ ଅଧିକ ବଢ଼ି ଯାଇଛି।

ଜଣେ ବରିଷ୍ଠ ଜଙ୍ଗଲ ଅଧିକାରୀଙ୍କ କହିବାନୁସାରେ ଏକଥା ବି ସମ୍ଭବ ଯେ ପଡ଼ୋଶୀ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଜଙ୍ଗଲରୁ ଅନେକ କଲରାପତରିଆ ଓଡ଼ିଶା ଭିତରକୁ ଆସିଥିବେ । ମଧ୍ୟପ୍ରଦେଶରେ ସର୍ବାଧିକ କଲରାପତରିଆ ଠାବ କରାଯାଇଛି। ଗତ ୪ ବର୍ଷ ଭିତରେ ମଧ୍ୟ ପ୍ରଦେଶରେ ୮୮% ବଢ଼ିଛି ସଂଖ୍ୟା । ୧୮୧୭ ଥିଲେ । ଏବେ ୩୪୨୧। ଛତିଶଗଡ଼ରେ ୨୦୧୪ ଗଣନାରେ ଥିଲେ ୮୪୬ । ବଢ଼ିଛି ମାତ୍ର ୬ ।

ଆଶଙ୍କା କରାଯାଉଛି ଯେ, ଶିକାର ସନ୍ଧାନରେ ପଡ଼ୋଶୀ ରାଜ୍ୟରୁ କଲରାପତରିଆ ମାଡ଼ି ଆସିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଓଡ଼ିଶା ଜଙ୍ଗଲରେ କଲରାପତରିଆର ଖାଦ୍ୟ ଯୋଗ୍ୟ ଶିକାର ଯଥେଷ୍ଟ ସଂଖ୍ୟାରେ ଉପଲବ୍ଧ ଅଛି। ବନ୍ୟଜନ୍ତୁ ବିଷାରଦଙ୍କ ଅନୁସାରେ ମହାବଳ ବାଘ ତୁଳନାରେ କଲତରାପତରିଆର ଶିକାର ପସନ୍ଦ ଯଥେଷ୍ଟ ଅଧିକ। କଲରାପତରିଆ ୮୦ରୁ ୯୦ ପ୍ରକାର ବନ୍ୟପ୍ରାଣୀଙ୍କୁ ଶିକାର କରେ । ଓଡ଼ିଶା ଜଙ୍ଗଲରେ ବିଶେଷ କରି ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡା ଓ ଫୁଲବାଣୀ-ରାୟଗଡ଼ା ରେଂଜରେ କଲରାପତରିଆଙ୍କ ପାଇଁ ଶିକାର ଅଧିକ ମିଳୁଥିବା ଜଣାପଡିଛି ।

Show More

Related Articles

Back to top button