ଓଡ଼ିଶା

ସାରା ରାଜ୍ୟରେ ବର୍ଷା

୧୪ ଜିଲ୍ଲାରେ ସ୍ୱାଭାବିକ, ୧୩ ଜିଲ୍ଲାରେ ଅଧିକ

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବର୍ଷା ଜାରି ରହିଛି । ହେଲେ ଆସନ୍ତା ଦୁଇଦିନ ରାଜ୍ୟରେ ବଡ଼ଧରଣର ବର୍ଷା ସମ୍ଭାବନା ନାହିଁ। ମାତ୍ର ୨୧ରୁ ପୁଣି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏପଟେ ଜୁନ୍‌ ପହିଲାରୁ ଏଯାଏଁ ରାଜ୍ୟରେ ଭଲ ବର୍ଷା ଦେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ୧୩ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାବେଳେ ୧୪ ଜିଲ୍ଲାରେ ମୌସୁମୀ ସ୍ୱାଭାବିକ ରହିଛି । ୩ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ରେକର୍ଡ ହୋଇଛି ଶୁକ୍ରବାର ସୁଦ୍ଧା ।ପାଣିପାଗ ବିଭାଗ ତଥ୍ୟ କହୁଛି, ଜୁନ୍‌ ପହିଲାରୁ ଏଯାଏଁ ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୪% ଅଧିକ ବର୍ଷା ହେଲାଣି । ହାରାହାରି ୧୨୬.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ରାଜ୍ୟରେ । ସ୍ୱାଭାବିକ ତୁଳନାରେ ଝାରସୁଗୁଡ଼ାରେ ୧୨୨% ଅଧିକ ବର୍ଷା ହୋଇଥିବାବେଳେ ସୁନ୍ଦରଗଡ଼ରେ ୧୧୯%, କୋରାପୁଟରେ ୧୦୫%, ବରଗଡ଼ରେ ୯୭%, ସୋନପୁରରେ ୮୬%, ନୂଆପଡ଼ାରେ ୮୬%, ସମ୍ବଲପୁରରେ ୭୮% ଅଧିକ ବର୍ଷା ହୋଇଛି । ଏହି ୭ ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ (୬୦%ରୁ ଅଧିକ) ବର୍ଷା ହୋଇଛି ।ମାଲକାନଗିରିରେ ୫୫%, ପୁରୀରେ ୪୭%, କଟକରେ ୪୮%, ଜଗତସିଂହପୁରରେ ୩୫%, ଦେବଗଡ଼ରେ ୫୪%, ଢେଙ୍କାନାଳରେ ୩୯% ଅଧିକ ବର୍ଷା ରେକର୍ଡ ହୋଇଛି ଏଯାବତ୍‌ ମୌସୁମୀରେ । ଏ ୬ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ (୨୦%ରୁ ୫୯% ପର୍ଯ୍ୟନ୍ତ) ବର୍ଷା ହୋଇଛି ଜୁନ୍‌ ପହିଲାରୁ ଆଜି ସୁଦ୍ଧା । ଏହାବାଦ୍‌ ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁରରେ ସ୍ୱାଭାବିକ ରହିଛି ମୌସୁମୀ ବର୍ଷା । ହେଲେ ଏବେ ସୁଦ୍ଧା ୩ ଜିଲ୍ଲାରେ ବର୍ଷା କମ୍‌ ରହିଛି । ଜୁନ୍‌ ପହିଳାରୁ ଆଜି ସୁଦ୍ଧା ଯେତିକି ବର୍ଷା ହେବା କଥା ଗଜପତି ଜିଲ୍ଲାରେ ତା’ଠାରୁ ୩୮% କମ୍‌ ବର୍ଷା ରେକର୍ଡ ହୋଇଛି । ସେହିପରି ଗଞ୍ଜାମରେ ୨୯% ଓ ଭଦ୍ରକରେ ୩୦% ବର୍ଷା କମ୍‌ ରହିଛି । ଏ ବର୍ଷ ଜୁନ୍‌ରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବିହାର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ଲଘୁଚାପ ଅଛି ।

ଅନ୍ୟପକ୍ଷରେ ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ଟ୍ରଫଲାଇନ ରହିଛି । ଏହି ଦୁଇଟି କାରଣ ଯୋଗୁ ଓଡ଼ିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳରେ ଭଲ ବର୍ଷା ହୋଇଛି । ତେବେ ଲଘୁଚାପର ପ୍ରଭାବ ଶନିବାରଠାରୁ ଓଡ଼ିଶା ଉପରେ କମିବ । ତେଣୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ନାହିଁ ।ଅନୁମାନ କରାଯାଉଛି, ଶନିବାର (୧୯ ତାରିଖ) ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ରବିବାର ମଧ୍ୟ ଉତ୍ତର ଓଡ଼ିଶାରେ ସାମାନ୍ୟ ବର୍ଷା ହୋଇପାରେ । ୨୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଏବଂ ଉପକୂଳର ଅଳ୍ପ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍‌ ବରଗଡ଼, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୨ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର,କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକରେ ପ୍ରବଳ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

Show More

Related Articles

Back to top button