ପାଣିପାଗ: ରାଜ୍ୟରେ ୩ତାରିଖ ଯାଏ ଲାଗିରହିବ ଶୀତ
ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ଲହରୀ ଜାରି ରହିବ। ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ଶୀତ ପ୍ରକୋପ ଅନୁଭୂତ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି
ପାଣିପାଗ ବିଭାଗର କହିବାନୁସାରେ, ସୋମବାର ୧୧ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ। ଶୀତ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍(ଏସ୍ଆର୍ସି) ସତର୍କ ସୂଚନା ଜାରି କରିଛନ୍ତି ।ରାଜ୍ୟର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଶୀତ ପ୍ରବାହ ସମ୍ଭାବନା ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାତି ସମୟରେ ଘରେ ରହିବାକୁ କୁହାଯାଇଛି । ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌର କମିଶନର୍, ଆରଡିସିଙ୍କୁ ସୂଚିତ କରାଯାଇଛି । ରାତି ସମୟରେ ନିରାଶ୍ରୟଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ, ଆବଶ୍ୟକ ପଡ଼ିଲେ ସ୍କୁଲ୍ ବିଲ୍ଡିଂ ଖୋଲିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ଶୀତ ପ୍ରବାହ ଜାରି ରହିବ । ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବୋହୁଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଉପକୂଳ ଓଡ଼ିଶାରେ ପାଗ ବିଶେଷ ପରିବର୍ତ୍ତନ ହେବ ନାହିଁ । ୫ କିମ୍ବା ୬ ତାରିଖରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ସେ ଅନୁମାନ କରିଛନ୍ତି ।