
ପ୍ରାଥମିକତା ଆଧାରରେ ହେବାକୁ ଥିବା ଟିକାକରଣରେ ପ୍ରଥମେ କେଉଁମାନଙ୍କର ଭେକ୍ସିନେସନ ହେବ ସେ ନେଇ ସୂଚୀ ପ୍ରସ୍ତୁତି ହେଉଛି। ଏଥିରେ ବିପଦରେ ଥିବା ଜନସମୂଦାୟ ସମେତ ଫ୍ରଣ୍ଟ ଲାଇନ ୱାର୍କର୍ସ ଯେପରିକି ସ୍ୱାସ୍ଥ୍ୟସେବା ପ୍ରଫେସନାଲ, ପୋଲିସ, ସ୍ୱଚ୍ଛତା କର୍ମଚାରୀଙ୍କ ଟିକାକରଣ ହେବ।
ମୋଟ ୩୦ କୋଟି ଜନତାଙ୍କୁ ୬୦କୋଟି ଟିକା ପ୍ରଦାନ କରାଯିବ। ଏବେ ଭେକ୍ସିନ ଆପ୍ରୁଭାଲକୁ ଅପେକ୍ଷ କରାଯାଇଛି। ଗୋଟିଏ ଥର ମଞ୍ଜୁରି ମିଳିଗଲେ ଦେଶରେ ଟିକାକରଣ ଆରମ୍ଭ ହୋଇଯିବ। ତେବେ ସରକାର ପ୍ରାଥମିକତା ସୂଚୀରେ ୪ଟି ବର୍ଗଙ୍କୁ ବର୍ଗିକୃତ କରିଛନ୍ତି। ଏଥିରେ ଦେଶର ୫୦ରୁ ୭୦ ଲକ୍ଷ ହେଲଥ୍ ୱାର୍କର, ୨ କୋଟିରୁ ଅଧିକ ଫ୍ରଣ୍ଟଲାଇନ ୱାର୍କର୍ସ, ୫୦ ବର୍ଷରୁ ଅଧିକ ବୟସ୍କ ୨୬କୋଟି ଲୋକଙ୍କ ସମେତ ୫୦ ବର୍ଷରୁ କମ୍ ଆୟୁବର୍ଗର ଏକାଧିକ ରୋଗରେ ପୀଡିତ ଲୋକଙ୍କୁ ଟିକାକରଣ ଲାଗି ଚୟନ କରାଯାଇଛି।

ଟିକାକରଣ ଲାଗି ଗଠିତ ଏକ୍ସପର୍ଟ ଗ୍ରୁପ ଚିଠା ଯୋଜନା ପ୍ରସ୍ତୁତ କରି ରଖିଛନ୍ତି। ନୀତି ଆୟୋଗ ସଦସ୍ୟ ଡା.ବି.କେ. ପାଲଙ୍କ ନେତୃତ୍ୱରେ ଏହି ଗ୍ରୁପ ଯେଉଁ ଯୋଜନା କରିଛନ୍ତି ଏଥିରେ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ଦେଶର ୨୩ ପ୍ରତିଶତ ଜନସଂଖ୍ୟା ଟିକା ନେଇଯିବେ। ଏକ୍ସପର୍ଟ କମିଟିଙ୍କ ଅନୁମାନ ଅନୁସାରେ ଦେଶରେ ସରକାରୀ ଓ ଘରୋଇ କ୍ଷେତ୍ରକୁ ମିସାଇ ଅନୁନ୍ୟ ୭୦ ଲକ୍ଷ ହେଲଥ କେୟାର ୱାର୍କର୍ସ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧ ଲକ୍ଷ ଏମବିବିଏସ୍ ଡାକ୍ତର, ୮ ଲକ୍ଷ ଆୟୁଷ ପ୍ରାକ୍ଟିସନର, ୭ଲକ୍ଷ ଏଏନଏମ ଓ ୧୦ ଲକ୍ଷ ଆଶା ୱାର୍କର୍ସ ସାମିଲ ଅଛନ୍ତି। ତେବେ ଏଥିଲାଗି ସୂଚୀ ଅକ୍ଟୋବର ଶେଷ ଅଥବା ନଭେମ୍ବର ପହିଲା ସୁଧା ଚୂଡାନ୍ତ ହୋଇଯିବ ବୋଲି ଏକ ପ୍ରମୁଖ ଇଂରାଜୀ ଦୈନିକ ପକ୍ଷରୁ ସଂଗ୍ରୁହୀତ ସୂଚନାରୁ ଜଣାପଡିଛି।
ଡ୍ରାଫ୍ଟ ପ୍ଲାନରେ ୪୫ଲକ୍ଷ ପୋଲିସ ଓ ଅନ୍ୟ ଫୋର୍ସ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସେନାର ୧୫ଲକ୍ଷ ଲୋକେ ମଧ୍ୟ ଏହି ସୂଚୀରେ ଅଛନ୍ତି। ଏହା ଛଡା କମ୍ୟୁନିଟି ସର୍ଭିସ, ପବ୍ଲିକ ଟ୍ରାନ୍ସପୋର୍ଟ ଡ୍ରାଇଭର, କ୍ଲିନର ଓ ଶିକ୍ଷକଙ୍କୁ ମଧ୍ୟ ଟିକାକରଣ ଲାଗି ଚିହ୍ନଟ କରାଯାଇଛି। ଏହା ଛଡା ଡାୟବେଟିଜ୍, ହୃଦରୋଗ, କିଡନୀ ରୋଗୀ, ଫୁସଫୁସ୍ ରୋଗୀ, କ୍ୟାନସର ଓ ଜକୃତରୋଗୀଙ୍କର ପ୍ରାଥମିକତା ଭିତ୍ତିରେ ଟିକାକରଣ ଲାଗି ଯୋଜନା ଚୂଡାନ୍ତ ହୋଇଛି।