ଓଡ଼ିଶାମୁଖ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ‘ଅଣଛାତ୍ର’ ମୁକ୍ତ

ଦିନକୁ ଦିନ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହାଦ୍ବାରା ଶୈକ୍ଷିକ ବାତାବାରଣ ପ୍ରଭାବିତ ହେଉଛି। ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ଓ ପୁଲିସ ସହାୟତାରେ ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ କଢ଼ାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।ଶୁକ୍ରବାର ଚାଲିଥିବା ମିଡ୍‌ ସେମିଷ୍ଟର ପରୀକ୍ଷାରେ ବହୁ ବିଦ୍ୟାର୍ଥୀଙ୍କୁ ଜୋର ଜବରଦସ୍ତ କିଛି ଅଣଛାତ୍ର କାଢ଼ି ନେଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟକୁ ଅଭିଯୋଗ ଆସିଛି। ଏହାକୁ ଭିତ୍ତିକରି ଏଭଳି ପଦକ୍ଷେପ ନିଆଯାଇଛି। ଖୁବ୍‌ଶୀଘ୍ର ସବୁ ହଷ୍ଟେଲରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯିବ। କ୍ୟାମ୍ପସ୍‌ରେ ସୃଷ୍ଟ ସବୁ ବିଶୃଙ୍ଖଳାରେ ଅଣଛାତ୍ରଙ୍କ ଭୂମିକା ରହୁଥିବାରୁ ଏହାକୁ କୁଳପତିଙ୍କ ସମେତ ଅନ୍ୟ ପଦାଧିକାରୀ ଗମ୍ଭୀରତାର ସହ ନେଇଛନ୍ତି।

ମୁଖ୍ୟ ଫାଟକଠାରୁ ଆରମ୍ଭ କରି ହଷ୍ଟେଲରେ ପରିଚୟପତ୍ର, ସିସି କ୍ୟାମେରା କଡାକଡ଼ି କରାଯିବା ସହ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ପୁଲିସକୁ ଅବଗତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅଣଛାତ୍ର ମୁକ୍ତ କ୍ୟାମ୍ପସ୍‌ କରିବାକୁ ପୁଲିସ ସହାୟତାରେ ଏକ ମିଶନ ଆରମ୍ଭ କରାଯିବ।କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି କ୍ୟାମ୍ପସ୍‌ରେ ଅଣଛାତ୍ର ରହିବା ଯୋଗୁଁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। କ୍ୟାମ୍ପସ୍‌କୁ ଅଣଛାତ୍ର ମୁକ୍ତ କରିବାକୁ ପଦକ୍ଷେପ ନିଆଯିବ। ଏହାଦ୍ବାରା ଶୈକ୍ଷିକ ବାତାବରଣ ବଜାୟ ରହିବା ସହ ବିଦ୍ୟାର୍ଥୀ ଭଲରେ ପାଠ ପଢ଼ିପାରିବେ। ପୁଲିସ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରାଯବା ସହ ବିଶ୍ବବିଦ୍ୟାଳୟର ଏକ କମିଟି ଗଠନ ହେବ। ସବୁ ହଷ୍ଟେଲରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଣଛାତ୍ରଙ୍କୁ ଖାଲି କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Show More

Related Articles

Back to top button