ଓଡ଼ିଶାପାଣିପାଗମୁଖ୍ୟ ଖବର

କୁହୁଡିର ଚାଦରରେ ଦାରିଙ୍ଗବାଡି

ମନ ମୋହୁଛି ପ୍ରାକୃତିକ ଦୃଶ୍ୟ

କୁହୁଡିର ଚାଦର ତଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି । ମନ ମୋହୁଛି ମନୋରମ ପ୍ରାକୃତିକ ଦୃଶ୍ୟ । ଓଡିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହାଯାଉଥିବା ଦାରିଙ୍ଗବାଡ଼ି କୁହୁଡ଼ି ଚାଦର ତଳେ ଆଚ୍ଛାଦିତ ହୋଇ ରହିଛି । ଦୁଇ ଦିନ ହେଲା ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ିରେ ପରିପୂର୍ଣ୍ଣ ହୋଇ ରହୁଛି ସାରା ଦାରିଙ୍ଗବାଡ଼ି ଅଞ୍ଚଳ। ସନ୍ଧ୍ୟା ୫ ଟାରୁ ଆରମ୍ଭ ହୋଇଯାଏ କୁହୁଡ଼ିର ଆସ୍ତରଣ । ଅଞ୍ଚଳରେ ଥଣ୍ଡା ମଧ୍ୟ ବୃଦ୍ଧି ପାଇଛି ।ଧିରେ ଧିରେ ତାପମାତ୍ରା ହ୍ରାସ ପାଇ ୧୧.୫ ଡିଗ୍ରୀ ସେଲସିଅସରେ ପହଞ୍ଚିଛି । ଶୀତ ସାଙ୍ଗକୁ କୁହୁଡ଼ିର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନନ୍ଦ ଆଣିଦେଇଛି । ଗାଡ଼ିରେ କିମ୍ବା ଚାଲିକି ଗଲେ କୁହୁଡ଼ିର କାକର ବୁନ୍ଦାରେ ଶରୀର ଭିଜି ଯାଉଥିବାର ଅନୁଭବ ଅବର୍ଣ୍ଣନୀୟ ।

ଚତୁର୍ପାଶ୍ବ ଦେଖିଲେ ସତେ ଯେମିତି ଲାଗୁଚି ମେଘ ସହ ମାଟିର ମିଳନ ହୋଇଛି । ରାସ୍ତା ଦେଖା ଯାଉନାହିଁ । ସବୁ ଆଡ଼େ ଖାଲି କୁହୁଡ଼ି ହିଁ କୁହୁଡ଼ି । ଶାନ୍ତ ପରିବେଶରେ ରହିଛି ଦାରିଙ୍ଗବାଡ଼ି ଅଞ୍ଚଳ । ବିଶୁଦ୍ଧ ବାୟୁ ସାଙ୍ଗକୁ ସୁନ୍ଦର ପରିବେଶ ଓ ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ଆକର୍ଷିତ କରିଥାଏ । ଏହାକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ଭୋଜି ଭାତର ଆସର ମଧ୍ୟ ଖୁବ ଜମେ । ଏଭଳି କୁହୁଡ଼ି ଆଚ୍ଛାଦିତ ଦାରିଙ୍ଗବାଡ଼ିକୁ ଦେଖି କିଛି ପର୍ଯ୍ୟଟକ ଶୈଳନିବାସ ଉଟିରେ ଥିଲା ଭଳି ମନେ ହେଉଥିବା ମଧ୍ୟ କହୁଛନ୍ତି ।

Show More

Related Articles

Back to top button