Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟ କ୍ୟାବିନେଟ ବୈଠକରେ ୨୪ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଗତକାଲି ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥି ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ପଲିସି ୨୦୨୧ । ଏହା ଅନ୍ୟ ରାଜ୍ୟମାନଙ୍କରେ ଥିବା ପଲିସିଗୁଡ଼ିକ ଅପେକ୍ଷା ଢେର ଭଲ । ଯାହା ଦ୍ୱାରା ଶିଳ୍ପ ପ୍ରତିଷ୍ଠା ନେଇ ଆକୃଷ୍ଟ ହେବେ ଏବଂ ଓଡ଼ିଶା ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ।

ଏହା ସହ ଲୋୟର ସୁକତେଲ ନଦୀ ଉପରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ ମିଳିଛି । ଅଢ଼େଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ପୂରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ୪ଶହରୁ ଊର୍ଦ୍ଧ୍ୱ ଅଞ୍ଜଳରେ ଜଳ ସେଚନ ମଧ୍ୟ ହୋଇପାରିବ ।

ସେହିଭଳି ପାର୍ବତୀଗିରି ମେଗା ଉଠାଜଳସେଚନା ଯୋଜନା ଅନୁଯାୟୀ ଆସନ୍ତା ୫ବର୍ଷ ପାଇଁ ୧୦ ୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁରୀ ହୋଇଛି । ଏହାଦ୍ୱାରା ରାଜ୍ୟର ଅଣ ଜଳସେଚିତ ପ୍ରାୟ ୨ଲକ୍ଷ ୬୩ ହଜାର ୮ଶହ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯାଇପାରିବ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନୁଯାୟୀ କୃଷି ଶିଳ୍ପ ପାଇଁ ଆସନ୍ତା ୫ବର୍ଷ ପାଇଁ ୪୮୪ କୋଟି ଟଙ୍କା ବଜେଟ ରଖିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାଦ୍ୱାରା ବିଶେଷକରି ଗ୍ରମାଞ୍ଚଳରେ ଏଗ୍ରୋ ପ୍ରେସେସିଂ ୟୁନିଟ ହୋଇପାରିବେ ।

କ୍ରୀଡ଼ାବିତ ଓ ପାରା କ୍ରୀଡ଼ାବିତଙ୍କୁ ମଧ୍ୟ ସମାନ ସରକାରୀ ଚାକିରି ମିଳିବ । ଆବଶ୍ୟକସ୍ଥଳେ ବୟସ ସୀମାକୁ କୋହଳ କରାଯିବା । ତେବେ କେଉଁ ସ୍ତରରେ ପ୍ରତିଯୋଗିତାରେ କେଉଁ ପଦକ ଜିତିଲେ ଚାକିରି ପାଇବେ ସେ ସମ୍ପର୍କିତ ନିୟମାବାଳୀକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଅନ୍ୟପକ୍ଷରେ ପଥର କାରିଗରମାନେ ମଧ୍ୟ କିଭଳି ସୁବିଧାରେ ପଥର ପାଇପାରିବେ ସେ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି ।

ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଓ ହାଇସ୍କୁଲର ଦଖଲରେ ରହିଥିବା ସରକାରୀ ଜମିକୁ ବିନାମୂଲ୍ୟରେ ସେମାନଙ୍କୁ ପ୍ରଦାନ କରାଯିବ । ଏହି ଜମିର ମାଲିକାନା ଯଥାକ୍ରମେ ଉଚ୍ଚଶିକ୍ଷା ବିଭାଗ ଏବଂ ଗଣଶିକ୍ଷା ବିଭାଗ ନାଁରେ କରାଯିବ । ବିଭିନ୍ନ ସ୍ଥାନରେ କଲେଜ ସ୍ଥାପନ ପାଇଁ ସହରାଂଚଳରେ ୧୦ ଏକର ଓ ଗ୍ରାମାଂଚଳରେ ୧୫ଏକର ସରକାରୀ ଜମି ଯୋଗାଇ ଦେବାକୁ ୧୯୭୭ ମସିହାରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ହାଇସ୍କୁଲ ଗୁଡ଼ିକ ପାଇଁ ସହରାଂଚଳରେ ୨ଏକର ଓ ଗ୍ରାମାଞ୍ଚଳରେ ୩ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ।

ଏହି ନିଷ୍ପତ୍ତିକୁ ୧୯୯୮ ମସିହାରେ ସରକାର ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ମଧ୍ୟ ଲାଗୁ କରିଥିଲେ । ତେବେ ଆଜି କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁସାରେ ସରକାରୀ ଡିଗ୍ରୀ କଲେଜ(ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ) କଲେଜର ଜମିଗୁଡ଼ିକ ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ । ଯେଉଁଠି ଉଭୟ ଜୁନିୟର ଓ ସିନିୟର କଲେଜ ମିଶି କରି ଥିବ ସେଠାରେ ପୃଥ୍‌କ ଭାବେ ନକରି ଉଚ୍ଚଶିକ୍ଷା ବିଭାଗ ନାମରେ ନାମିତ କରାଯିବ ।

ସେହିପରି ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକର ଦଖଲରେ ଥିବା ଗ୍ରାମାଂଚଳରେ ୫ଏକର ଓ ସହରାଂଚଳରେ ୩ଏକର ଜମିକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମାର୍ଫତରେ ରହିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାଁରେ ରେକର୍ଡ କରାଯିବ । ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣଜଙ୍ଗଲ କିସମ, ଡିଏଲସି ଲିଷ୍ଟରେ ନଥାଇ ଅବରୋଧମୁକ୍ତ ଓ ବିବାଦମୁକ୍ତ ହୋଇଥିବା ଆବଶ୍ୟକ । ଏହି ଜମିକୁ ବିନାମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନରେ ତହସିଲଦାର ରେକର୍ଡ କରିବେ ।

ଏଥିପାଇଁ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ୱ ବିଭାଗ ଦ୍ୱାରା କରାଯିବ । ସେହିପରି ଏସବୁ ଜମି ଉପରେ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ । ଏହାର ମୂଲ୍ୟାୟନ ପାଇଁ ଟୋକନ ପରିମାଣ ପ୍ରତିବର୍ଷ ଏକ ପିଛା ଏକ ଟଙ୍କା ହସିବାରେ ଓ ଜୋରିମାନା ଏକର ପିଛା ୧୦ଟଙ୍କା ଆଦାୟ କରାଯିବ । ବକେୟା ରାଶି ଉପରେ ଯଦି କୌଣସି ସୁଧ ଥାଏ ତାକୁ ଛାଡ଼ କରାଯିବ ।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠର ପରିଚାଳନାକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ଦେବା ପାଇଁ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଦ୍ୱାରା ମନ୍ଦିର କାର୍ଯ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ । ଏହା ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟି ସଶକ୍ତ କରିବ । ଏହାସହ ଲିଙ୍ଗରାଜ ମନ୍ଦିରର ଉନ୍ନତି ପାଇଁ ସରକାର ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଛନ୍ତି । ଯାହାକୁ ଅଗ୍ରାଧିକାର ଭିତ୍ତିରେ କରାଯିବ ।

Show More

Related Articles

Back to top button