ଦେଶ ବିଦେଶବାଣିଜ୍ୟ

ଟମାଟର କେଜି ୨ଶହ, ବିନ୍ସ ୩୨୦ ଟଙ୍କା

ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଏବେ ପୁରାପୁରି ଭାବେ ଦେବାଳିଆ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ଏବେ ଆକାଶ ଛୁଆଁ । ମହଙ୍ଗା ମାଡ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିସାରିଲାଣି ।

ଏକ ରିପୋର୍ଟ ଅନୁଯାୟୀ, ଖାଦ୍ୟ ପଦାର୍ଥ ଦାମ ଏକ ମାସ ମଧ୍ୟରେ ହିଁ ପ୍ରାୟ ୧୫ ପ୍ରତିଶତରୁ ଅଧିକ ମହଙ୍ଗା ହୋଇଯାଇଛି । ବାଥ୍‌ କ୍ୟୁରି ଇଣ୍ଡିକେଟର୍‌ (BCI) ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ମହଙ୍ଗା ମାଡକୁ ନେଇ ରିପୋର୍ଟ ଜାରି କରିଥାଏ । ବିସିଆଇ କହିବା ମୁତାବକ, ୨୦୨୧ ନଭେମ୍ବରରୁ ୨୦୨୧ ଡିସେମ୍ବର ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଖାଦ୍ୟ ପଦାର୍ଥ ଦାମ ଅହେତୁକ ବୃଦ୍ଧି ଘଟିଛି । ଏହାର ପ୍ରମୁଖ କାରଣ ପନିପରିବା ଦର ବୃଦ୍ଧି । ଶ୍ରୀଲଙ୍କା​‌ରେ ଯେଉଁଠି ପୂର୍ବରୁ ୧୦୦ ଗ୍ରାମ କଞ୍ଚା ଲଙ୍କାର ଦାମ ୧୮ ଟଙ୍କା ଥିଲା ଏବେ ତାହା ୭୧ ଟଙ୍କା ହୋଇଯାଇଛି । ଅର୍ଥାତ କଞ୍ଚା ଲଙ୍କା କେଜି ୭୧୦ ଟଙ୍କାରେ ମିଳୁଛି । ମାତ୍ର ଗୋଟିଏ ମାସ ଭିତରେ ଲଙ୍କା ଦାମ ୨୮୭ ପ୍ରତିଶତ ବୃଦ୍ଧି ଘଟିଛି । ସେହିଭଳି ବାଇଗଣ ଦାମରେ ୫୧ ପ୍ରତିଶତ ବୃଦ୍ଧି ଘଟିଛି । ପିଆଜ ଦାମରେ ମଧ୍ୟ ୪୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଟମାଟର ୧୦ ପ୍ରତିଶତ ବଢିଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଳୁର ଦାମ କିଲୋ ପିଛା ୨ଶହ ଟଙ୍କା ରହିଛି । ଶ୍ରୀଲଙ୍କାରେ ବର୍ତ୍ତମାନ ଟମାଟର କେଜି ୨ଶହ ଟଙ୍କା ଥିବାବେଳେ ବାଇଗଣ କେଜି ରହିଛି ୧୬୦ ଟଙ୍କା । ସେହିଭଳି ଭେଣ୍ଡି କିଲୋ ୨ଶହ ଟଙ୍କା, କଲରା କେଜି ୧୬୦ ଟଙ୍କା, ବିନ୍ସ କେଜି ୩୨୦ ଟଙ୍କା, ବନ୍ଧା କୋବି ୨୪୦ ଟଙ୍କା, ଗାଜର ୨ଶହ ଟଙ୍କା, କଞ୍ଚା କଦଳୀ ଦାମ ୧୨୦ ଟଙ୍କା ରହିଛି ।

୨୦୧୯ ତୁଳନାରେ ବର୍ତ୍ତମାନ ଶ୍ରୀଲଙ୍କାରେ ପନିପରିବା ଦାମ ଦ୍ବିଗୁଣିତ ହୋଇଯାଇଛି । ୨୦୨୦ ତୁଳନାରେ ଦର୍‌ ଦାମ ୩୭ ପ୍ରତିଶତ ବଢିଛି । ୨୦୨୦ ଡିସେମ୍ବର ମାସରେ ଯେଉଁଠି ଖାଦ୍ୟ ସାମଗ୍ରୀ ପାଇଁ ସାପ୍ତାହିକ ହାରାହାରି ୧୧୬୫ ଟଙ୍କା ଖର୍ଚ୍ଚ ହେଉଥିଲା ଏବେ ​‌ସେଥିପାଇଁ ୧୫୯୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ତଥା ଦର ଦାମରେ ଅହେତୁକ ବୃଦ୍ଧି କାରଣରୁ ଖାଉଟି ହନ୍ତସନ୍ତ ହେଉଛନ୍ତି । ପରିସ୍ଥିତି ଏମିତି ହୋଇଛି ଗରିବ ଶ୍ରେଣୀୟ ଲୋକମାନେ ଦିନକୁ ୩ ଓଳି ବଦଳରେ ଦୁଇ ଓଳା ଖାଇବାକୁ ପଡୁଛି । ଅନ୍ୟପଟେ ଦରଦାମ ବୃଦ୍ଧି କାରଣରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଏହି କ୍ରମରେ ଲୋକମାନଙ୍କ ପାଖରେ କିଭଳି ଖାଦ୍ୟ ସାମଗ୍ରୀ ପହଞ୍ଚିବ ଏବଂ ଦର ଦାମ ବୃଦ୍ଧି କାରଣରୁ କୌଣସି ସ୍ଥାନରେ ଯେପରି ଅଭାବନୀୟ ଘଟଣା ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ସେନାକୁ ନିର୍ଦେଶ ଦିଆଯାଇଛି । ବିଶ୍ବ ବ୍ୟାଙ୍କର ରେକର୍ଡ ଅନୁଯାୟୀ, କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ଯାଏଁ ଶ୍ରୀଲଙ୍କାରେ ପ୍ରାୟ ୫ ଲକ୍ଷ ଲୋକ ଗରିବ ସୀମା ରେଖାକୁ ଚାଲିଯାଇଛନ୍ତି । ଏଥିପାଇଁ ଶ୍ରୀଲଙ୍କା ଦେବାଳିଆ ଘୋଷିତ ହୋଇଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଖାଲି ଥିବାରୁ ଋଣ ମଧ୍ୟ ବୃଦ୍ଧିପାଇବାରେ ଲାଗିଛି ।

Show More

Related Articles

Back to top button