Breaking PLUSଓଡ଼ିଶାଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ : ରତ୍ନ ସିଂହାସନକୁ ବିଜେ କରିବେ ତିନିଠାକୁର

ପୁରୀ: ୧୨ ଦିନର ଲୀଳାଖେଳ ସାରି ନିଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ମୁରତୀ । ନବଦିନାତ୍ମକ ଯାତ୍ରାର ଶେଷ ପର୍ବ ସାରି ରତ୍ନ ସିଂହାସନକୁ ବିଜେ କରିବେ ତିନିଠାକୁର । ତେବେ ଦୀର୍ଘ ଏକମାସ ଧରି ରତ୍ନମଣ୍ଡପରୁ ବାହାରେ ଥିଲେ ମହାପ୍ରଭୁ । ବର୍ତ୍ତମାନ ସବୁସୀମାର ଅନ୍ତ ଘଟିଛି ପୁଣି ରତ୍ନବେଦୀରେ ଶୋଭା ପାଇବେ ତିନିଠାକୁର। ମହାପ୍ରଭୁଙ୍କ ଦର୍ଶନ ଲାଗି ପୁଣି ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇ ଉଠିବ। ଷାଠିଏ ପଉଟି ଭୋଗ ରୋଷଶାଳାରେ ପ୍ରସ୍ତୁତ ହେବା ସହ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବେ । ଏହି ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ସ୍ନାନପୂର୍ଣ୍ଣିମା ପର ଠାରୁ ମହାପ୍ରଭୁ ରତ୍ନବେଦୀରୁ ବାହାରକୁ ବାହାରିଥିଲେ । ୧୫ଦିନ ଅଣସର ଘରେ ରହିବା ପରେ ମହାବାହୁ ରଥରେ ନିଜ ଜନ୍ମବେଦୀକୁ ଚାଲି ଯାଇଥିଲେ । ୯ ଦିନ ଧରି ଜନ୍ମବେଦୀରେ ନିଜର ଲୀଳାଖେଳ ସମାପନ କରି ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ମହାପ୍ରଭୁ । ବାହୁଡ଼ା ଯାତ୍ରା ପରେ ସୁନାବେଶ ଓ ଅଧରପଣା ନୀତି ଶେଷ ପରେ ଆଜି ଶ୍ରୀଜିଉଙ୍କ ନିଳାଦ୍ରି ବିଜେ । ରଥାରୁଢ ଚତୁର୍ଦ୍ଧା ମୁରତୀଙ୍କ ସନ୍ଧ୍ୟାଧୂପ ସରିବା ପରେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିବେ ମହାବାହୁ । ନିଳାଦ୍ରି ବିଜେ ସମୟରେ ପ୍ରଥମେ କୃଷ୍ଣ ବଳରାମ ପରେ ମଦନମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ । ଏହା ପରେ ଶ୍ରୀସୁଦର୍ଶନ, ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ରତ୍ନବେଦୀରେ ବିଜେ କରାଯିବ । ସର୍ବଶେଷରେ କାଳିଆ ଠାକୁରଙ୍କୁ ରତ୍ନ ସିଂହାସନରେ ବିଜେ କରିବେ । ଶ୍ରୀମନ୍ଦିରକୁ ବିଜେ କରିବା ସମୟରେ ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମା ଲକ୍ଷ୍ମୀ ସାନ୍ତାଣୀ ଓ ଶ୍ରୀ ଜଗନ୍ନାଥଙ୍କ ଭେଟନୀତି ସମ୍ପନ୍ନ ହୋଇଥାଏ । ମହାପ୍ରଭୁ ନିଜ ଜନ୍ମବେଦୀକୁ କେବଳ ନିଜ ଭାଇ ଭଉଣୀଙ୍କୁ ନେଇ ଯାଇଥିବାରୁ ମା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରି ସିଂହଦ୍ୱାରକୁ ବନ୍ଦ ରଖିଥାନ୍ତି । କିଛି ସମୟ ପରେ ସିଂହଦ୍ୱାର ଆପେ ଖୋଲିଥିଲେ ମଧ୍ୟ ପରେ ଜୟବିଜୟ ଦ୍ୱାରରେ ପ୍ରବେଶ କରିବା ସମୟରେ ଏହି ଦ୍ୱାର ମଧ୍ୟ ଭିତରୁ ପଟୁ ବନ୍ଦ ରହିଥାଏ । ପରମ୍ପରା ଅନୁସାରେ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମା’ଙ୍କ ଅଭିମାନକୁ ଦୂର କରିବା ପରେ ଏହି ଦ୍ୱାର ଫିଟିଥାଏ । ସେହିପରି ମହାପ୍ରଭୁଙ୍କ ନିକଟରେ ଘସା, ବିଡ଼ିଆ ମଣୋହି ସରିବା କ୍ଷଣି ଶ୍ରୀଜିଉ ରତ୍ନବେଦୀକୁ ବିଜେ କରଥାନ୍ତି ।

Show More

Related Articles

Back to top button