
ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ଉତ୍ତରାଧିକାରୀ ସୂତ୍ରରେ ଇଂଲଣ୍ଡ ରାଜବଂଶର ଶାସନ କ୍ଷମତା କିଙ୍ଗ ଚାର୍ଲସ ୩ୟଙ୍କ ହାତକୁ ଯାଇଛି। ରାଣୀଙ୍କ ମୃତ୍ୟୁ ପରେ ପ୍ରିନ୍ସ ଚାର୍ଲସରୁ କିଙ୍ଗ ଚାର୍ଲସ ୩ୟ ନାମରେ ପରିଚିତ ହୋଇଛନ୍ତି । କିଙ୍ଗ ଚାର୍ଲସ ରାଣୀ ଏଲିଜାବେଥଙ୍କ ବଡ ପୁଅ ହୋଇଥିବାରୁ ପରମ୍ପରା ଅନୁଯାୟୀ ପ୍ରିନ୍ସ ଚାର୍ଲସ ଇଂଲଣ୍ଡ ରାଜବଂଶର ଉତ୍ତରାଧିକାରୀ ହୋଇଛନ୍ତି। ରାଜବଂଶର ଉତ୍ତରାଧିକାରୀ ଭାବେ ରାଜା ହୋଇଥିବାରୁ କିଙ୍ଗ୍ ଚାର୍ଲସଙ୍କୁ ଆଜି ବିଧିବଦ୍ଧ ଭାବେ ରାଜାଭିଷେକ କରାଯାଇଛି। ପୂର୍ବାହ୍ନ ୧୦ଟା ସେଣ୍ଟ ଜେମ୍ସ ରାଜପ୍ରାସାଦରେ କିଙ୍ଗ୍ ଚାର୍ଲସ ରାଜାଭାବେ ଅଭିଷିକ୍ତ ହୋଇଛନ୍ତି। ଏହା ସହିତ ତାଙ୍କ ପତ୍ନୀ କାମିଲା ମହାରାଣୀ ଭାବେ ଅଭିଷିକ୍ତ ହୋଇଛନ୍ତି। ଏଥିପାଇଁ ଉଭୟ ରାଜା ଓ ରାଣୀ ସ୍କଟଲାଣ୍ଡରୁ ଆସି ବଙ୍କିଙ୍ଗହାମ ରାଜପ୍ରାସାଦରେ ପହଞ୍ଚିଛନ୍ତି। ରାଜପ୍ରାସାଦରେ ଆସିବା ସମୟରେ ଉଭୟ ରାଜା ଓ ରାଣୀଙ୍କୁ ସାଧାରଣ ଜନତା ସ୍ୱାଗତ କରିଥିଲେ। ମହାରାଣୀ ଅଭିଷିକ୍ତ ହେବା ସମୟରେ କାମିଲାଙ୍କୁ କୋହିନୂର ହୀରା ଖଚିତ ରାଣୀ ଏଲିଜାବେଥଙ୍କ ମୁକୁଟକୁ ପିନ୍ଧାଯାଇଛି। ରାଜାଭିଷେକ ପୂର୍ବରୁ ଆକସେସନ୍ କାଉନସିଲର ବୈଠକ ବସି କିଙ୍ଗ ଚାର୍ଲସଙ୍କୁ ରାଜବଂଶର ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଛି। ରାଜାଭିଷେକ ହେବା ପରେ କିଙ୍ଗ ଚାର୍ଲସ୍ ୩ୟଏଲିଜାବେଥ ଦ୍ୱିତୀୟଙ୍କ ସମ୍ପତ୍ତିର ମଧ୍ୟ ଉତ୍ତରାଧିକାରୀ ହେବେ। ରାଣୀଙ୍କ ନାମରେ ଏବେ ୫୦୦ ନିୟୁତ ପାଉଣ୍ଡର ବ୍ୟକ୍ତିଗତ ସମ୍ପତ୍ତି ରହିଛି।