୨୦୪୦ ସୁଦ୍ଧା ୪୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିଥିବ ଭାରତ : ଆର୍ଥିକ ପରାମର୍ଶଦାତା
ଆଗାମୀ ଦୁଇ ଦଶନ୍ଧୀ ମଧ୍ୟରେ ଭାରତର ଅର୍ଥନୀତି ୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ହୋଇପାରେ। ବୁଧବାର ଏପରି ପୂର୍ବାନୁମାନ କରିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନ। ସେ କହିଛନ୍ତି ଯେ ଯଦି ମୋଟ ଘରୋଇ ଉତ୍ପାଦ ପ୍ରତି ୭ବର୍ଷରେ ଦୁଇଗୁଣା ହୋଇ ଯାଉଛି ତେବେ ଆଗାମୀ କିଛି ଦଶକରେ ଭାରତର ଅର୍ଥବ୍ୟବସ୍ଥା ୨୦ ଟ୍ରିଲିୟନ ଡଲାରରେ ପହଞ୍ଚିବା ନିଶ୍ଚିତ।

ନାଗେଶ୍ୱରନ କହିଛନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୬-୨୭ ବେଳକୁ ୫ ଟ୍ରିଲିୟନ ପାର କରିଥିବ ବୋଲି ଆକଳନ କରିଛନ୍ତି। ଏଥିରେ ଯଦି ଡଲାର ଜିଡିପି ପ୍ରତି ୭ ବର୍ଷରେ ଦୁଇଗୁଣା ହୋଇ ଯାଏ ତେବେ ଆମେ ୨୦୪୦ ବେଳକୁ ୨୦ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ଥିବା ବୋଲି କହିଛନ୍ତି। ଯେତେବେଳେ ପ୍ରତି ପୁଞ୍ଜି ଆୟ ପାଖାପାଖି ୧୫ ହଜାର ଡଲାର ରହୁଥିବ। ଗତ କିଛି ବର୍ଷ ତଳେ ବିକାଶ ରାସ୍ତାକୁ ଆସିଥିବା ଭାରତୀୟ ଅର୍ଥବ୍ୟବସ୍ଥା କୋଭିଡ-୧୯ ବୈଶ୍ୱିକ ମହାମାରୀ ଓ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଲକ୍ଷ୍ୟଚ୍ୟୁତ ହୋଇଛି ସତ, ଯେଉଁଥି ଯୋଗୁ ବଜାରରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ହେଲେ ଏହା ବେଶି ସମୟର ନୁହେଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଗତ ଦଶନ୍ଧୀରେ ଭାରତ ନିଜର ଆର୍ଥିକ ବ୍ୟବସ୍ଥାର ମରାମତି ସହିତ ମଜଭୁତ କର୍ପୋରେଟ ବାଲାନ୍ସ ସିଟରେ ବାହାରି ପାରିଥିଲା। ତେବେ ସରକାରଙ୍କ କିଛି ରଚନାତ୍ମକ ସଂସ୍କାର ଅସ୍ଥାୟୀ ଭାବେ ମହାମାରୀ ଓ ଭୂ ରାଜନୈତିକ ପରିସ୍ଥିତି ଯୋଗୁ ପ୍ରଭାବିତ ହୋଇପାରେ।
ହେଲେ ଥରେ ଯଦି ଏହି କଳା ବାଦଲ ହଟି ଯାଏ ଭାରତ ପୁଣି ତା ପ୍ରଗତିର ରାସ୍ତାକୁ ଫେରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟ ଆର୍ଥିକ ପରାମର୍ଶଦାତା କହିଛନ୍ତି ଯେ ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କ ବୁଧବାର ତାଙ୍କ ଗତ ପୂର୍ବାନୁମାନକୁ କାୟମ ରଖି ୨୦୨୩ ଆର୍ଥିକ ବର୍ଷର ବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି। ଏଣୁ ମୁଦ୍ରାସ୍ପିତି ନିୟନ୍ତ୍ରଣ ଲାଗି ନୀତିଗତ ରେପୋ ହାରରେ ୫୦ ଆଧାର ଅଙ୍କ ବୃଦ୍ଧି କରି ୪.୯ ପ୍ରତିଶତ କରିଦେଇଛନ୍ତି। ଏଥିରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଏପ୍ରିଲ ଓ ମେ ମାସର ପରିସ୍ଥିତିରୁ ଦେଶର ଆର୍ଥିକ ସୁଧାର ଦୃଢ ଥିବା ପ୍ରମାଣିତ ହେଉଛି।